ଭୁବନେଶ୍ୱର : ନିଜର ବିଜୁଳି ଖୁଣ୍ଟରେ ତାର ଟାଣିଥିବା ବିଭିନ୍ନ କମ୍ପାନୀ ଠାରୁ ବିଦ୍ୟୁତ୍ ବିତରଣ କମ୍ପାନୀମାନେ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବାବେଳେ ଏହିସବୁ ତାର ଦ୍ୱାରା ଲୋକେ କିଭଳି ହଇରାଣ ହେଉଛନ୍ତି ସେଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଖୋଦ୍ ରାଜଧାନୀରେ ବିଭିନ୍ନ ସ୍ଥାନରେ ବିଜୁଳି ଖୁଣ୍ଟରେ ଝୁଲିଥିବା ତାର ସଂକ୍ରାନ୍ତରେ ଅବଗତ କଲେ ସେଗୁଡିକ ଆମର ନୁହେଁ ବୋଲି କହି ଟାଟା ପାୱାର କର୍ତ୍ତୃପକ୍ଷ ଖସିଯାଉଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ସହରାଞ୍ଚଳରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ବିଭିନ୍ନ ସଂସ୍ଥା ସେମାନଙ୍କର ତାର ଟାଣିଥାନ୍ତି । ଏମାନଙ୍କ ମଧ୍ୟରେ ଘରୋଇ ଟେଲିକମ୍ ସଂସ୍ଥା, ଟିଭି କେବୁଲ ସଂସ୍ଥା ଆଦି ରହିଛନ୍ତି । ଏଥିପାଇଁ ସେମାନେ ବିଦ୍ୟୁତ୍ ବିତରଣ କମ୍ପାନୀ ସହିତ ଚୁକ୍ତିନାମା କରି ଖୁଣ୍ଟ ପିଛା ଅର୍ଥ ପ୍ରଦାନ କରିଥାନ୍ତି । ରାଜଧାନୀରେ ବିଦ୍ୟୁତ ଯୋଗାଣ କରୁଥିବା ଟାଟା ପାୱାରର ଟିପିସିଓଡିଏଲ୍ ଏ ବାବଦରେ ଗତ ଆର୍ଥିକ ବର୍ଷରେ ପାଖାପାଖି ଦେଢ କୋଟି ଟଙ୍କା ପାଇଛି । ୨୦୨୨-୨୩ ରେ ଏହି ପରିମାଣ ୨କୋଟି ଟଙ୍କାରୁ ଅଧିକ ଥିଲା ।
ଟାଟା ପାୱାରର କେବଳ ଟିପିସିଓଡିଏଲ୍ ନୁହେଁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବିଦ୍ୟୁତ୍ ଯୋଗାଣ ଦାୟିତ୍ୱରେ ଥିବା ଅନ୍ୟ ତିନି ବିଜୁଳି ଯୋଗାଣକାରୀ ସଂସ୍ଥା ମଧ୍ୟ ବିଦ୍ୟୁତ୍ ଖୁଣ୍ଟରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।
ତେବେ ରାଜଧାନୀରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ବିଭିନ୍ନ ଟେଲିଫୋନ୍ ଓ କେବୁଲ ସଂସ୍ଥା ସେମାନଙ୍କ ତାର ଥରେ ବାନ୍ଧି ଚାଲିଗଲା ପରେ ଆଉ ଦୃଷ୍ଟି ଦେଉନାହାନ୍ତି । କେଉଁଠାରେ ଏହା ଲୋକଙ୍କ ମୁଣ୍ଡରେ ବାଜୁଛି ତ ଆଉ କେଉଁଠାରେ ରାସ୍ତାରେ ପଡି ରହୁଛି । ଏପ୍ରତି ବିଦ୍ୟୁତ୍ ବିତରଣ କମ୍ପାନୀ ଦୃଷ୍ଟି ଦେଉନାହିଁ । ଏପରିକି ଅଭିଯୋଗ କଲେ ଏହା ଆମ ନୁହେଁ କହି ପଳାଇ ଯାଉଛନ୍ତି ।
ରାଜଧାନୀର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଲକ୍ଷାଧିକ ଟଙ୍କା ଆୟ କରୁଥିବା ବିତରଣ କମ୍ପାନୀ ତାର ଟାଣିଥିବା ସଂସ୍ଥାକୁ ତାଗିଦା କରିବାକୁ ବି ପଛାଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଘରୋଇ ସଂସ୍ଥାଗୁଡିକରେ ମାଳ ମାଳ ତାର ଖୁଣ୍ଟରେ ବାନ୍ଧିବା ଯୋଗୁଁ ଆବଶ୍ୟକସ୍ଥଳେ ବିଦ୍ୟୁତ୍ କର୍ମଚାରୀମାନେ ସହଜରେ ଖୁଣ୍ଟରେ ଚଢିପାରୁ ନାହାନ୍ତି । କେତେକ ସ୍ଥାନରେ ତ କେଉଁ ତାର କାହାର ତାହା ସଜରେ ଚିହ୍ନଟ କରାଯାଇ ପାରୁନାହିଁ ।
ତେଣୁ ଶକ୍ତି ବିଭାଗ ଏଥିରେ ହସ୍ତକ୍ଷେପ କରିବାକୁ ଗ୍ରାହକମାନେ ମତ ଦେଉଛନ୍ତି । ବିଶେଷକରି ଅର୍ଥ ଆଦାୟ କରୁଥିବା ବିଦ୍ୟୁତ୍ ବିତରଣ କମ୍ପାନୀ ତୁରନ୍ତ ବିଦ୍ୟୁତ୍ ଖୁଣ୍ଟ ସହିତ ଘରୋଇ କମ୍ପାନୀ ଟାଣିଥିବା କେବୁଲ ପ୍ରତି ଯେଭଳି ଦୃଷ୍ଟି ଦେବ ସେ ଦିଗରେ ଶକ୍ତି ବିଭାଗ ନିର୍ଦ୍ଦେଶ ଦେବାକୁ ଦାବି ହେଉଛି । (ତଥ୍ୟ)