Home Energy ବିଦ୍ୟୁତ୍‍ କାଟ୍‍ର ସୂଚନା ପାଉନାହାନ୍ତି ହିତାଧିକାରୀ

ବିଦ୍ୟୁତ୍‍ କାଟ୍‍ର ସୂଚନା ପାଉନାହାନ୍ତି ହିତାଧିକାରୀ

ଭୁବନେଶ୍ୱର : ମରାମତି ଓ ରକ୍ଷଣା ବେକ୍ଷଣ ନାଁରେ ଲଗାତାର ଭାବେ ବିଦ୍ୟୁତ୍‍ କାଟ୍‍ ହେଉଥିବାବେଳେ ନିଜ ନିଜ ଅଞ୍ଚଳରେ କି ପ୍ରକାର ରକ୍ଷଣାବେକ୍ଷଣ ଓ ମରାମତି ହେଉଛି ତାହା କିନ୍ତୁ ହିତାଧିକାରୀମାନେ ଜାଣିପାରୁ ନାହାନ୍ତି । ସ୍ଥାନୀୟ ବିଦ୍ୟୁତ୍‍ ଅଫିସ୍‍ ବି ଏ ନେଇ ସ୍ପଷ୍ଟ ସୂଚନା ଦେଇପାରୁ ନାହାନ୍ତି ।

ବିଦ୍ୟୁତ୍‍ ବିତରଣ ଦାୟିତ୍ୱରେ ଥିବା ସଂସ୍ଥା ପକ୍ଷରୁ ଖୋଦ୍‍ ରାଜଧାନୀରେ ବର୍ଷସାରା ରକ୍ଷଣା ବେକ୍ଷଣ ଓ ମରାମତି ନାଁରେ ବିଜୁଳି କାଟ୍‍ ହେଉଛି । କେତେବେଳେ ୨ଘଣ୍ଟା ତ ଆଉ କେତେବେଳେ ୪ଘଣ୍ଟା । କେତେକ ସମୟରେ ତ ଏହାଠାରୁ ଅଧିକ ସମୟ ଧରି ବିଦ୍ୟୁତ୍‍ କାଟ୍‍ ହେଉଛି ।

ବିଦ୍ୟୁତ୍‍ କାଟ୍‍ ପୂର୍ବରୁ ହିତାଧିକାରୀଙ୍କ ମୋବାଇଲ୍‍କୁ ଇଂରାଜୀରେ ମେସେଜ୍‍ଟିଏ ଦେବା ସହିତ ସ୍ଥାନୀୟ ଅଞ୍ଚଳରେ ମାଇକ୍‍ ଯୋଗେ ପ୍ରଚାର କରାଯାଉଛି । ତେବେ ଇଂରାଜୀରେ ଆସୁଥିବା ବାର୍ତ୍ତାରେ ବିଦ୍ୟୁତ୍‍ କାଟ୍‍ର ସମୟ ଓ ତାରିଖ ଉଲ୍ଲେଖ କରାଯାଉଛି । ସେହିଭଳି ମାଇକ୍‍ ଯୋଗେ ହେଉଥିବା ପ୍ରଚାରରେ ମଧ୍ୟ କେବଳ କେଉଁ ସମୟରୁ କେଉଁ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍‍ କାଟ୍‍ ହେବ ସେ ନେଇ ସୂଚନା ଦିଆଯାଉଛି ।

ରାଜଧାନୀରେ ଇତି ମଧ୍ୟରେ ଗୁଣାତ୍ମକ ବିଦ୍ୟୁତ୍‍ ଯୋଗାଣ ପାଇଁ କାପେକ୍ସ ଯୋଜନାରେ ବ୍ୟାପକ ଅର୍ଥ ବ୍ୟୟ ହୋଇ ସାରିଲାଣି । ବହୁ ସ୍ଥାନରେ ପୁରୁଣା ବିଦ୍ୟୁତ୍‍ ତାର ବଦଳରେ ଇନ୍‍ସୁଲେଟେଡ୍‍ ବିଜୁଳି ତାର ଲଗାଯାଇଛି । ନୂତନ ଟ୍ରାନ୍ସଫର୍ମର ବସାଯିବା ସହିତ ତାହା ଚାରିପଟେ ଲୁହାବାଡ ବି ଲଗାଯାଇଛି । ଏତେ ସବୁ ସତ୍ୱେ ବି ବର୍ଷସାରା ମରାମତି ଓ ରକ୍ଷଣା ବେକ୍ଷଣ ନାଁରେ ବିଦ୍ୟୁତ୍‍ କାଟ୍‍ ହେଉଛି ।

ଯଦି ବିଦ୍ୟୁତ୍‍ ଯୋଗାଣକାରୀ ସଂସ୍ଥା କେଉଁ କାରଣ ପାଇଁ ବିଜୁଳି କାଟ୍‍ ହେଉଛି ବୋଲି ଉପଭୋକ୍ତାଙ୍କୁ ଅବଗତ କରାନ୍ତା ତାହେଲେ ଲୋକେ ବାସ୍ତବ ଚିତ୍ର ଜାଣିପାରନ୍ତେ । ଥରେ ମରାମତି ହେଉଥିବା ସ୍ଥାନରେ ଏକାଧିକ ମରାମତି ହେଉଛି କି ନାହିଁ ତାହା ବି ଜଣାପଡନ୍ତା । ସେହିଭଳି କେଉଁ ଅଞ୍ଚଳରୁ କେତେ ଗଛ କଟାଯାଉଛି ତାହା ବି ଲୋକ ଜାଣିପାରନ୍ତେ । ହିତାଧିକାରୀଙ୍କ ମଧ୍ୟରେ ବିଦ୍ୟୁତ୍‍ ବିଭାଗର ତଳୁ ଉପର ପର୍ଯ୍ୟନ୍ତ କର୍ମଚାରୀ ଓ ଅଧିକାରୀ ଥିବାରୁ ବୈଷୟିକ ମରାମତି ସଂକ୍ରାନ୍ତରେ ସେମାନେ ବି ସହଜରେ ଅବଗତ ହୋଇପାରନ୍ତେ ।

ବିଜୁଳି ବିଭାଗ ଲୋକଙ୍କ ନିକଟକୁ ପଠାଉଥିବା ବାର୍ତ୍ତାଟି ଓଡିଆ ଭାଷାରେ ପଠାଇବା ସହିତ ମରାମତି ଓ ରକ୍ଷଣା ବେକ୍ଷଣ ସଂକ୍ରାନ୍ତରେ ସୂଚନା ଦେବାପାଇଁ ମତପ୍ରକାଶ ପାଉଥିଲେ ମଧ୍ୟ ବିତରଣ କମ୍ପାନୀ ସେଥିପ୍ରତି ଧ୍ୟାନ ଦେଉ ନାହାନ୍ତି । ଏହା ଫଳରେ ଲୋକେ ପଇସା ଗଣି କେବଳ ହଇରାଣ ହେବା ସାର ହେଉଛି ।

ରାଜଧାନୀରେ ଏବେ ବିଦ୍ୟୁତ୍‍ ରକ୍ଷଣା ବେକ୍ଷଣ ନାଁରେ ବିଭିନ୍ନ ସ୍ଥାନରେ ଗଛଗୁଡିକୁ ଅତି ନିର୍ମମ ଭାବେ କାଟି ଦିଆଯାଉଛି । ଗୋଟିଏ ପଟେ ବିଏମ୍‍ସି ଓ ବିଡିଏ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ଗଛ ଲଗାଉଛନ୍ତି, ବିଦ୍ୟୁତ୍‍ ବିଭାଗ ବି ଅର୍ଥ ବ୍ୟୟକରି ଇନସୁଲେଟ୍‍ ତାର ଲଗାଉଛି, ହେଲେ ଏହାବାଦ୍‍ ବି ବିଦ୍ୟୁତ୍‍ ବିଭାଗର ଗଛକଟା ଜାରି ରହିଛି ।

କେବଳ ବିଦ୍ୟୁତ୍‍ କାଟ୍‍ ସଂକ୍ରାନ୍ତରେ ମେସେଜ୍‍କୁ ଓଡିଆ ଭାଷାରେ ଦିଆଯାଉନାହିଁ, ପ୍ରତିମାସରେ ହିତାଧିକାରୀଙ୍କୁ ମିଳୁଥିବା ବିଦ୍ୟୁତ୍‍ ବିଲ୍‍ ବି ବର୍ତ୍ତମାନ ସୁଦ୍ଧା ଓଡିଆ ଭାଷାରେ ହୋଇପାରିଲା ନାହିଁ । ଓଡିଆ ଭାଷାରେ ସରକାରୀ କାର୍ଯ୍ୟ କରିବାକୁ ରାଜ୍ୟ ସରକାର କଡା ନିର୍ଦ୍ଦେଶ ଦେବା ସହିତ ଫାଇଲ୍‍ କାମ ଓଡିଆ ଭାଷାରେ କରୁଥିବାବେଳେ ବିଦ୍ୟୁତ୍‍ ବିଲ୍‍ ଟି କାହିଁକି ଓଡିଆ ଭାଷାରେ ହୋଇପାରୁ ନାହିଁ ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । (ତଥ୍ୟ)