Home Education ବିଦ୍ୟାଳୟ ପାଠ୍ୟକ୍ରମରେ ଯୋଡାହେବ ନୂଆ ବିଷୟ

ବିଦ୍ୟାଳୟ ପାଠ୍ୟକ୍ରମରେ ଯୋଡାହେବ ନୂଆ ବିଷୟ

ଭୁବନେଶ୍ୱର : ଲିଙ୍ଗଗତ ବୈଷମ୍ୟ ଦୂର ପାଇଁ ବିଦ୍ୟାଳୟ ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ସ୍ୱତନ୍ତ୍ର ଅଧ୍ୟାୟ ଯୋଡିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ଜାତୀୟ ସ୍ତରର ଏକ ବେସରକାରୀ ସଂସ୍ଥା ଏ ଦିଗରେ ରାଜ୍ୟ ସରକାରଙ୍କୁ ସହାୟତା ଦେବାପାଇଁ ଆଗ୍ରହ ପ୍ରକାଶ କରିଛି ।

ନୂଆ ଶିକ୍ଷା ନୀତି ଆଧାରରେ ୨୦୨୪ ସୁଦ୍ଧା ବିଦ୍ୟାଳୟର ବିଭିନ୍ନ ବିଷୟ ପାଠ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ ଆସିବାକୁ ଯାଉଛି । ଏଥିଲାଗି ଏବେ ଠାରୁ ସିବିଏସ୍‍ଇ, ଆଇସିଏସ୍‍ଇ ସମେତ ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଭାଷାରେ ରାଜ୍ୟ ବୋର୍ଡଗୁଡିକର ପାଠ୍ୟକ୍ରମରେ ସଂସ୍କାର ଆଣିବା ଲାଗି ପ୍ରୟାସ ଚାଲିଛି ।

ଷଷ୍ଠରୁ ଦଶମ ଶ୍ରେଣୀ ମଧ୍ୟରେ ଓଡିଆ ମାଧ୍ୟମ ବିଦ୍ୟାଳୟଗୁଡିକ ଲାଗି ସାହିତ୍ୟ, ଇତିହାସ, ସାମାଜିକ ବିଜ୍ଞାନ, ନୈତିକ ଶିକ୍ଷା ଆଦି ବିଭିନ୍ନ ବିଷୟରେ ଲିଙ୍ଗଗତ ସମାନତା ଉପରେ ବିଶେଷ ଗୁରୁତ୍ୱ ଦେବାଲାଗି ପ୍ରୟାସ ଚାଲିଛି । ଏହି କ୍ରମରେ ସ୍ୱାଧୀନତା ଆନ୍ଦୋଳନରେ ମହିଳାମାନଙ୍କ ଯୋଗଦାନ ଓ ସାହସିକତାକୁ ବିଭିନ୍ନ ବିଷୟର ପାଠ୍ୟକ୍ରମରେ ରଖାଯିବ । ଏହାଛଡା ସାମାଜିକ, ରାଜନୈତିକ, ସାଂସ୍କୃତିକ, ସାହିତ୍ୟ, ସମାଜସେବା, ବିଜ୍ଞାନ ଓ କାରିଗରି ଆଦି ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କର ଯୋଗଦାନ ଉପରେ ବି ଧ୍ୟାନ ଦିଆଯିବ ବୋଲି ଏହି କାର୍ଯ୍ୟକ୍ରମ ସହିତ ଜଡିତ ବିଶେଷଜ୍ଞମାନେ କହୁଛନ୍ତି ।

କେବଳ ସେତିକି ନୁହେଁ, ବିଭିନ୍ନ କ୍ଷେତ୍ରରେ ସାହସିକତା ସୃଷ୍ଟି ସହିତ ପ୍ରେରଣାର ଉତ୍ସ ପାଲଟିଥିବା ମହିଳା ନେତୃତ୍ୱର ଦକ୍ଷତା ଓ ସ୍ୱଚ୍ଛତା ସମ୍ପର୍କରେ ବି ବିଦ୍ୟାଳୟ ପିଲାଙ୍କୁ ପାଠ ପଢାଯିବ । ପଞ୍ଜାବରେ ଲିଙ୍ଗଗତ ସମାନତା କ୍ଷେତ୍ରରେ କାମ କରିବା ସହ ସେଠାକାର ପାଠ୍ୟକ୍ରମରେ ଏହି ସମ୍ବେଦନଶୀଳ ବିଷୟକୁ ସ୍ଥାନିତ କରିଥିବା ଜାତୀୟ ସ୍ତରର ଏକ ବେସରକାରୀ ସଂସ୍ଥା ଓଡିଶାରେ ଅନୁରୂପ ପ୍ରକଳ୍ପ ପାଇଁ ପୂରା ଦମ୍‍ରେ ପ୍ରୟାସ ଆରମ୍ଭ କରିଛି ।

ଏହି ସଂସ୍ଥାର ପ୍ରତିନିଧିମାନେ ଲିଙ୍ଗଗତ ସମାନତା ପାଠ୍ୟକ୍ରମ ପ୍ରସଙ୍ଗରେ ଇତି ମଧ୍ୟରେ ସରକାରୀ ଅଧିକାରୀମାନଙ୍କ ସମେତ ଶିକ୍ଷାବିତ୍‍ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଯୋଗାଯୋଗ କରି ସଂଶୋଧିତ ପାଠ୍ୟକ୍ରମ କିଭଳି ବାସ୍ତବାଭିମୁଖୀ ଓ ପିଲାମାନଙ୍କ ମନଛୁଆଁ ହୋଇପାରିବ ସେ ସଂକ୍ରାନ୍ତରେ ନକ୍ସା ପ୍ରସ୍ତୁତ କରୁଛନ୍ତି ।

ଶହେ ବର୍ଷ ତଳେ ଓଡିଶାରେ ମହିଳମାନଙ୍କୁ ପରଦା ଆଢୁଆଳରେ ରଖାଯାଉଥିବାବେଳେ ସ୍ୱାଧୀନତା ଆନ୍ଦୋଳନ ସମୟରେ ସେମାନେ କିଭଳି ପରଦା ଫିଙ୍ଗି ରାଜରାସ୍ତାକୁ ଆସି ନିର୍ଯ୍ୟାତନା ଓ କାରାବରଣ କଲେ ଓ ଏହା ସେବା ଓ ସଂଗ୍ରାମର କ୍ଷେତ୍ରକୁ କିଭଳି ସମୃଦ୍ଧ କଲା ତାହା ଉପରେ ପାଠ୍ୟପୁସ୍ତକରେ ତଥ୍ୟ ଭିତ୍ତିକ ଉପସ୍ଥାପନା ଲାଗି ଉଦ୍ୟମ ଚାଲିଛି । ଏହାଛଡା ଓଡିଶାର ଯେଉଁ ଅଗ୍ରଗଣ୍ୟା ମହିଳମାନେ ବିଭିନ୍ନ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛନ୍ତି ସେମାନଙ୍କର ଜୀବନୀର ଝଲକ ମଧ୍ୟ ନୂତନ ପାଠ୍ୟକ୍ରମରେ ସ୍ଥାନ ପାଇପାରେ ବୋଲି ଆଶା କରାଯାଉଛି । (ତଥ୍ୟ)