Home Education ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି

ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି

School and Mass Education

ଭୁବନେଶ୍ୱର : କରୋନା ପ୍ରକୋପ ହ୍ରାସ ପରେ ବିଦ୍ୟାଳୟ ଖୋଲିବାପାଇଁ ସରକାର ସଜବାଜ ହେଉଥିବାବେଳେ ହାଇସ୍କୁଲଗୁଡିକରେ ଶିକ୍ଷକ ଅଭାବ ଏବେ ଚିିନ୍ତା ବଢାଇଛି । ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୯ହଜାରରୁ ଅଧିକ ପଦବୀ ଖାଲିପଡିଛି ।

ମାର୍ଚ୍ଚମାସରୁ କରୋନା ସଂକ୍ରମଣ ଭୟରେ ବିଦ୍ୟାଳୟ ବନ୍ଦ ଥିବାବେଳେ ବିଦ୍ୟାଳୟ ଖୋଲିଲେ ପାଠପଢା ଜୋରଦାର ହେବ । ଏପରିକି ଅନେକ ଛୁଟିକୁ ବାତିଲ କରି ସରକାର ପାଠପଢା ଉପରେ ଗୁରୁତ୍ୱ ଦେବେ ବୋଲି ସୂଚନା ମିଳୁଛି । ତେବେ ଛାତ୍ରଛାତ୍ରୀଙ୍କୁ ପଢାଇବାପାଇଁ ବିଦ୍ୟାଳୟରେ ଏବେ ଶିକ୍ଷକ ସଙ୍କଟ । ବିଶେଷକରି ଦେଢ ହଜାରରୁ ଅଧିକ ବିଜ୍ଞାନ ଶିକ୍ଷକ ପଦବୀ ଖାଲିପଡିବା ଏବେ ପାଠପଢା କ୍ଷେତ୍ରରେ ବାଧକ ସାଜିବ ବୋଲି କୁହାଯାଉଛି ।

ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ୯୬୪୧ଟି ଶିକ୍ଷକ ପଦବୀ ଖାଲି ଥିବାବେଳେ ଏଥିରୁ ୧୫୫୯ ହେଉଛି ବିଜ୍ଞାନ ଶିକ୍ଷକ । ପୁରୀ ଜିଲ୍ଲାରେ ସର୍ବାଧିକ ୧୭୪ ବିଜ୍ଞାନ ଶିକ୍ଷକ ଖାଲିପଡିଥିବାବେଳେ ଗଞ୍ଜାମର ୧୪୨ଟି ପଦବୀ ଖାଲିପଡିଛି । ବୌଦ, ନୂଆପଡା, ସୋନପୁର ଭଳି ଜିଲ୍ଲାକୁ ବାଦ୍‍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାର ହାଇସ୍କୁଲରେ ଖାଲି ପଡିଥିବା ବିଜ୍ଞାନ ଶିକ୍ଷକଙ୍କ ସଂଖ୍ୟା ଦୁଇଅଙ୍କ ରହିଛି ।

କେବଳ ବିଜ୍ଞାନ ଶିକ୍ଷକ ନୁହେଁ, ହାଇସ୍କୁଲରେ ୨୩୨୩ଟି କଳା ଶିକ୍ଷକ ଖାଲିପଡିଥିବାବେଳେ ୨୦୧୮ଟି ହିନ୍ଦୀ, ୧୩୩୭ଟି ଖେଳ ଓ ୧୩୨୪ଟି ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡିଛି । ଖାଲି ପଡିଥିବା ଶିକ୍ଷକ ପଦବୀ ମଧ୍ୟରେ ସର୍ବାଧିକ ୮୧୮ଟି ଗଞ୍ଜାମ ଜିଲ୍ଲାରେ ଥିବାବେଳେ କଟକରେ ଦ୍ୱିତୀୟ ସର୍ବାଧିକ ୬୭୨ଟି ପଦବୀ ଖାଲି ପଡିଛି । ବୋଦ, ଦେବଗଡ ଓ ସୋନପୁର ଜିଲ୍ଲା ଖାଲି ପଡିଥିବା ଶିକ୍ଷକ ପଦବୀ ସଂଖ୍ୟା ଦୁଇ ଅଙ୍କରେ ସୀମିତ ଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ଏହା ତିନି ଅଙ୍କ ରହିଛି । ସେହିଭଳି ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ ଗୁଡିକରେ ୧୫୧୯ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ବ୍ଲକଗ୍ରାଣ୍ଟ ହାଇସ୍କୁଲ ଗୁଡିକରେ ୧୯୩୮ ଶିକ୍ଷକ ପଦବୀ ଖାଲି ଅଛି ।

ଶିକ୍ଷାବିତ୍‍ମାନଙ୍କ ମତରେ ଖାଲି ପଡିଥିବା କଳା ଶିକ୍ଷକ ପଦବୀରେ କୌଣସି ପ୍ରକାରେ କାମ ଚଳାଇ ନିଆଯାଇ ପାରିବ, ହେଲେ ବିଜ୍ଞାନ ପଦବୀ ପୂରଣ ନହେଲେ ଛାତ୍ରଛାତ୍ରୀଙ୍କୁ ପାଠପଢାଇବା କାଠିକର ପାଠ ହୋଇଯିବ । ଆସନ୍ତା ବର୍ଷ ପହିଲାରୁ ଯଦି ସରକାର ବିଦ୍ୟାଳୟ ଖୋଲନ୍ତି ତେବେ ପାଠ୍ୟକ୍ରମ ସାରିବା ବି କଷ୍ଟକର ହେବ । ତେଣୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସରକାର ଅନ୍ତତଃ ପକ୍ଷେ ଖାଲି ପଡିଥିବା ବିଜ୍ଞାନ ଶିକ୍ଷକ ପଦବୀ ପୂରଣ କରିବା ଆବଶ୍ୟକ ।