Home Education ବିଦ୍ୟାଳୟରେ ନାହିଁ ବିଜୁଳି, ଶୌଚାଳୟ

ବିଦ୍ୟାଳୟରେ ନାହିଁ ବିଜୁଳି, ଶୌଚାଳୟ

ଭୁବନେଶ୍ୱର : ରାଜ୍ୟର ୨ଶହରୁ ଅଧିକ ବିଦ୍ୟାଳୟରେ ଆଜିର ଦିନରେ ବି ଶୌଚାଳୟଟିଏ ନାହିଁ । ବିଜେଡି ସାଂସଦ ମୁନ୍ନା ଖାଁଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ରାଜ୍ୟସଭାରେ ରଖିଥିବା ଉତ୍ତରରୁ ଏହା ଜଣାଯାଇଛି ।

କେନ୍ଦ୍ରମନ୍ତ୍ରୀ ଉଳ୍ଲେଖ କରିଛନ୍ତି ଯେ ଓଡିଶାରେ ମୋଟ୍‍ ୬୧,୪୬୭ଟି ବିଦ୍ୟାଳୟ ଥିବାବେଳେ ଏଥି ମଧ୍ୟରୁ ୨୦୩ଟି ବିଦ୍ୟାଳୟରେ ଶୌଚାଳୟ ନାହିଁ । ସେହିଭଳି ୧୮୧୩ଟି ବିଦ୍ୟାଳୟରେ ଛାତ୍ରମାନଙ୍କ ଲାଗି ଶୌଚାଳୟ ନଥିବାବେଳେ ୮୮୫ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଏହି ସୁବିଧା ନାହିଁ ।

ରାଜ୍ୟର ୧୬ଟି ବିଦ୍ୟାଳୟର ନିଜସ୍ୱ ଘର ନଥିବାବେଳେ ୩୯୧୫ଟି ବିଦ୍ୟାଳୟର ପାଚେରୀ ନାହିଁ । ଏହିସବୁ ବିଦ୍ୟାଳୟଗୁଡିକ ମେଳା ମୁକୁଳା ହୋଇ ପଡିଛି । ସେହିଭଳି ୧୯୦୩ଟି ବିଦ୍ୟାଳୟରେ ବିଜୁଳି ସଂଯୋଗ ନାହିଁ । ଏଠାରେ ଖରାଦିନେ ପିଲାମାନେ ଗରମରେ ସନ୍ତୁଳି ହେଉଥିବାବେଳେ ବିଦ୍ୟାଳୟକୁ ଟିଭି, କମ୍ପ୍ୟୁଟର ଭଳି ଉପକରଣ ଦିଆଗଲେ ବି ତାହା ଏଠାରେ ଚାଲିବାର ସମ୍ଭାବନା ନାହିଁ ।

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେବା ସହିତ ଅର୍ଥ ଯୋଗାଇ ଦେଉଛନ୍ତି । ବିଦ୍ୟାଳୟରେ ଖାଦ୍ୟ ପ୍ରସ୍ତୁତ ପାଇଁ ସାଜ ସରଞ୍ଜାମ ଯୋଗାଣ ସହିତ ପାଚିକା ନିଯୁକ୍ତ ହୋଇଛନ୍ତି । ହେଲେ ରାଜ୍ୟର ୬୩୩୬ଟି ବିଦ୍ୟାଳୟରେ ରୋଷଘର ନାହିଁ । ଏଠାରେ କେଉଁ ପରିସ୍ଥିତିରେ କିଭଳି ଖାଦ୍ୟ ପ୍ରସ୍ତୁତ ହେଉଥିବ ତାହା ସହଜରେ ଅନୁମେୟ ।

ସେହିଭଳି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ତଟକା ପନିପରିବା ଯୋଗାଣ ପାଇଁ ବିଦ୍ୟାଳୟରେ ପରିବା ବଗିଚା ବା କିଚେନ ଗାର୍ଡେନ ପ୍ରତିଷ୍ଠା ଉପରେ ଜୋର ଦିଆଯାଉଛି । ରାଜ୍ୟର ବର୍ତ୍ତମାନ ସୁଦ୍ଧା ୪ହଜାର ବିଦ୍ୟାଳୟରେ କିଚେନ ଗାର୍ଡେନ ଆରମ୍ଭ ହୋଇପାରି ନାହିଁ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସହାୟତା ଲାଗି ପ୍ରତ୍ୟେକ ବିଦ୍ୟାଳୟରେ ର‌୍ୟାମ୍ପ୍‍ ପ୍ରତିଷ୍ଠା ପାଇଁ କୁହାଯିବା ସହିତ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଉଛି । ହେଲେ ଏବେ ବି ରାଜ୍ୟର ୨୯୧୭ଟି ବିଦ୍ୟାଳୟରେ ର‌୍ୟାମ୍ପ ସୁବିଧା ନଥିବା ଜଣାଯାଇଛି ।

ବିଦ୍ୟାଳୟରେ ପାଠପଢା ସହିତ ଛାତ୍ରଛାତ୍ରୀଙ୍କ ଖେଳକୁଦ ଉପରେ ଗୁରୁତ୍ୱ ଦିଆଯାଉଛି । ସରକାର ମଧ୍ୟ ବିଦ୍ୟାଳୟଗୁଡିକୁ କ୍ରୀଡା ସାମଗ୍ରୀ ଯୋଗାଇ ଦେଉଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୦,୩୯୭ଟି ବିଦ୍ୟାଳୟରେ ଖେଳପଡିଆ ନଥିବା ଖୋଦ୍‍ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସେହିଭଳି ୧୪୯ଟି ବିଦ୍ୟାଳୟରେ ପିଲାଙ୍କ ପାଇଁ ପାଠାଗାର ବ୍ୟବସ୍ଥା ନାହିଁ ।

ତେବେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ପିଇବାପାଣି ଯୋଗାଣ ସମ୍ଭବ ହୋଇପାରିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ରାଜ୍ୟର ୨୧ହଜାରରୁ ଅଧିକ ବିଦ୍ୟାଳୟରେ ଟେବୁଲ, ଚେୟାର ଭଳି ସାଜ ସରଞ୍ଜାମ ନଥିବା ଉଲ୍ଲେଖ କରାଯାଇଛି । ଏହିସବୁ ବିଦ୍ୟାଳୟରେକିଭଳି ପାଠପଢା ହେଉଛି ତାହା ଏକ ବଡ ପ୍ରଶ୍ନବାଚୀ । (ତଥ୍ୟ)