Home Education ବିଦ୍ୟାଳୟକୁ ଫେରୁ ନାହାନ୍ତି ଚିହ୍ନଟ ପିଲା

ବିଦ୍ୟାଳୟକୁ ଫେରୁ ନାହାନ୍ତି ଚିହ୍ନଟ ପିଲା

ଭୁବନେଶ୍ୱର : ପାଢ ନପଢି ବିଦ୍ୟାଳୟ ବାହାରେ ଥିବା ଯେତିକି ପିଲା ଚିହ୍ନଟ ହେଉଛନ୍ତି ସକଳ ପ୍ରୟାସ ସତ୍ୱେ ସେମାନଙ୍କ ମଧ୍ୟରୁ ଅଧା ପିଲା ବି ପାଠ ପଢିବାକୁ ଆସୁ ନାହାନ୍ତି । ଗତବର୍ଷ ହୋଇଥିବା ସର୍ବେକ୍ଷଣ ସମୟରେ ୭ରୁ ୧୮ବର୍ଷ ବୟସର ୨ଲକ୍ଷରୁ ଅଧିକ ପିଲା ବିଦ୍ୟାଳୟ ବାହାରେ ଥିବା ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ମାତ୍ର ୭୫ହଜାର ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାରେ କର୍ତ୍ତୃପକ୍ଷ ସଫଳ ହୋଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟାଳୟ ବାହାରେ କେତେ ପିଲା ରହିଛନ୍ତି ତାହା ଜାଣିବାପାଇଁ ଗତବର୍ଷ ଏପ୍ରିଲ-ମଇ ମାସରେ ଓଡିଶା ଶିକ୍ଷା ସର୍ବେକ୍ଷଣ କରାଯାଇଥିଲା । ଆଇଆଇଟି ମାଡ୍ରାସ ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦିଆଯାଇଥିଲା । ଏହି ସର୍ବେକ୍ଷଣ ସମୟରେ ଦେଖାଗଲା ଯେ ୭ରୁ ୧୪ବର୍ଷ ବୟସର ୬୯,୬୨୫ଜଣ ପିଲା ବିଦ୍ୟାଳୟ ବାହାରେ ରହିଥିବାବେଳେ ୧୫ରୁ ୧୮ବର୍ଷୟର ପିଲାଙ୍କ ସଂଖ୍ୟା ୧,୬୪,୨୬୩ ରହିଛି । ଏହିଭଳି ମୋଟ୍‍ ୨,୩୩,୮୮୮ଜଣ ପିଲା ବିଦ୍ୟାଳୟ ବାହାରେ ଥିବା ରେକର୍ଡ କରାଯାଇଥିଲା ।

ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣି ପାଠ ପଢାଇବା ସକାଶେ ସେମାନଙ୍କ ଅଭିଭାବକଙ୍କୁ ନେଇ ବୈଠକ କରାଯିବା ସହିତ ବିଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରାଯାଇଥିଲା । ତେବେ ଦେଖାଗଲା ଯେ ଏମାନଙ୍କ ମଧ୍ୟରୁ ବିଦ୍ୟଳୟକୁ ମାତ୍ର ୭୫ହଜାର ପିଲା ପେରିଛନ୍ତି । ବିଶେଷକରି ୧୫ରୁ ୧୮ବର୍ଷ ବୟସର ପିଲାମାନେ ଆଉ ପାଠପଢିବାପାଇଁ ଆଗ୍ରହ ପ୍ରକାଶ କରୁନଥିବା ଏଥିରୁ ଲକ୍ଷ୍ୟ କରାଯାଇଛି । କାରଣ ଏହି ବୟସର ପିଲାଙ୍କ ମଧ୍ୟରୁ ମାତ୍ର ୩୯ହଜାର ପିଲା ବିଦ୍ୟାଳୟକୁ ଆସିଥିଲେ ।

ପିଲାମାନେ କିଭଳି ବିଦ୍ୟାଳୟକୁ ଆସି ପାଠ ପଢିବେ ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ବିଦ୍ୟାଳୟରେ ନାମଲେଖା ଉତ୍ସବ ପାଳନ ଠାରୁ ଆରମ୍ଭ କରି ମାଗଣା ପୋଷାକ, ବହିପତ୍ର, ମଧ୍ୟାହ୍ନଭୋଜନ, ସାଇକେଲ, ଛାତ୍ରବୃତ୍ତି ଆଦି ପ୍ରଦାନ କରୁଛନ୍ତି । ନିକଟରେ ରାଜ୍ୟ ସରକାର ମଧ୍ୟାହ୍ନଭୋଜନ ଯୋଜନାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ସାମିଲ କରିବା ସହିତ ସେମାନଙ୍କୁ ମାଗଣା ପୋଷାକ ମଧ୍ୟ ଯୋଗାଇ ଦେଉଛନ୍ତି ।

ସରକାରୀ ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ସହର ଠାରୁ ଆରମ୍ଭ କରି ଗାଁ ଗହଳରେ ଘରକୁ ଘର ବୁଲି ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାପାଇଁ ବାପ ମା’ଙ୍କୁ ବୁଝାଇବାରେ ଲାଗୁଛନ୍ତି । ଏହା ସତ୍ୱେ ବି ଲକ୍ଷ ଲକ୍ଷ ପିଲା ବିଦ୍ୟାଳୟକୁ ନଆସିବା କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇବାରେ ଲାଗିଛି । ବିଶେଷକରି ପିଲାମାନେ ନବମ ଓ ଦଶମଶ୍ରେଣୀରେ ଅଧାରୁ ପାଠ ଛାଡିବା ଏପରିକି ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରି ପରୀକ୍ଷା ନଦେବା ଏବେ ଗୁରୁତର ସ୍ଥିତି ଉପୁଯାଇଛି । ଯଦିଓ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡିକରେ ଅଧାରୁ ପାଠଛାଡିବାର ହାର ହ୍ରାସ ପାଇଛି କିନ୍ତୁ ହାଇସ୍କୁଲ ସ୍ତରରେ ସ୍ଥିତି ଏବେ ବି ଗୁରୁତର ଥିବା ଶିକ୍ଷାବିତ୍‍ମାନେ ମତ ଦେଉଛନ୍ତିା (ତଥ୍ୟ)