Home Covid ବିଦ୍ୟାଳୟକୁ ଘାରିଲାଣି କରୋନା ଚିନ୍ତା

ବିଦ୍ୟାଳୟକୁ ଘାରିଲାଣି କରୋନା ଚିନ୍ତା

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ନୂଆ ନୂଆ କରୋନା ରୋଗୀ ଚିହ୍ନଟ ହେଉଥିବାବେଳେ ସପ୍ତାହକ ପରେ ରଜଛୁଟି ସରି ବିଦ୍ୟାଳୟ ଖୋଲିଲେ କରୋନା କଟକଣା ଲାଗୁ ହେବ କି ନାହିଁ ତାହାକୁ ନେଇ ଏବେଠାରୁ ଚିନ୍ତା ବଢିଲାଣି । କରୋନାର ପ୍ରଥମ ଲହର ଗୁରୁତର ଆକାର ଧାରଣ କରିଥିବାବେଳେ କରୋନା ଭୟରେ ବର୍ଷାଧିକକାଳ ଧରି ବିଦ୍ୟାଳୟକୁ ବନ୍ଦ ରଖାଯାଇଥିଲା ।

ସମଗ୍ର ଦେଶରେ ଆଜି ସୁଦ୍ଧା କରୋନା ସଂକ୍ରମଣ ୭ହଜାର ନିକଟବର୍ତ୍ତୀ ହୋଇଥିବାବେଳେ ପ୍ରତିଦିନ ନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଏଥିରେ ୩ଜଣ ମୃତ୍ୟୁବରଣ କରିଥିବା ସରକାରୀ ଭାବେ ଦର୍ଶାଯାଇଛି । ସେହିଭଳି ଆମ ରାଜ୍ୟରେ ମଧ୍ୟ ପ୍ରତିଦିନ ନୂଆ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । କରୋନା ଚିହ୍ନଟ ପରୀକ୍ଷା ବଢିଲେ ସଂକ୍ରମିତଙ୍କ ସଂଖ୍ୟା ବଢିବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।

ବର୍ତ୍ତମାନ ବିଦ୍ୟାଳୟ, ମହାବିଦ୍ୟାଳୟଗୁଡିକ ଛୁଟି ଥିବାରୁ ଅଭିଭାବକମାନେ ଆଶ୍ୱସ୍ତ ଅଛନ୍ତି । ତେବେ ରଜ ପରେ ପରେ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବ । ସେହି ସମୟରେ କରୋନା ସଂକ୍ରମଣରୁ ପିଲାଙ୍କୁ ଦୂରେଇ ରଖିବାପାଇଁ ଏବେଠାରୁ ଘରୋଇ ବିଦ୍ୟାଳୟଗୁଡିକ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳୁଛି । ଅତି କମ୍‍ରେ ପ୍ରତ୍ୟେକ ପିଲା ଯେଭଳି ମାସ୍କ ପିନ୍ଧି ବିଦ୍ୟାଳୟକୁ ଆସିବେ ଏବଂ ଥଣ୍ଡାଜ୍ୱରରେ ପୀଡିତ ପିଲା ନଆସିବେ ସେଥିନେଇ ନିୟମ ଜାରିପାଇଁ ପ୍ରସ୍ତୁତି ଚାଲିଛି ।

ବିଦ୍ୟାଳୟଗୁଡିକ ପାଇଁ ଯଦିଓ ସରକାରୀ ସ୍ତରରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ତଥାପି କେତେକ ସରକାରୀ ଚିକିତ୍ସାଳୟରେ କରୋନା କଟକଣା ନିୟମ ପାଳନ କଡାକଡି କରାଯାଇଥିବାବେଳେ ରଥଯାତ୍ରାକୁ ନେଇ ସରକାର ଚିନ୍ତାରେ ଅଛନ୍ତି । ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଲୋକେ ଯେଭଳି ମାସ୍କପିନ୍ଧିବେ ତାହା ଉପରେ ଗୁରୁତ୍ୱ ଦିଆଯିବା ସହିତ ଅନୁରୋଧ କରାଯାଇଛି ।

ରାଜ୍ୟରେ ମୌସୁମୀ ପ୍ରବେଶ କରିଥିବାବେଳେ ଜୁନ୍‍ ୨୦ ସୁଦ୍ଧା ବିଦ୍ୟାଳୟଗୁଡିକ ଖୋଲିବା ବେଳକୁ ବର୍ଷାର ପରିମାଣ ବଢିଥିବ । ଏହି ସମୟରେ ସାଧାରଣତଃ ପିଲାମାନେ ଥଣ୍ଡା, ସର୍ଦ୍ଦି ଓ ଜ୍ୱରରେ ପୀଡିତ ହୋଇଥାନ୍ତି । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ କି ପ୍ରକାର ନିୟମାବଳୀ ପ୍ରସ୍ତୁତ କରାଯିବ ତାହାକୁ ନେଇ ଏବେ ମାନସମନ୍ଥନ ଚାଲିଛି ।

ଲୋକେ ବି ଧିରେ ଧିରେ ସଚେତନ ହୋଇ ମାସ୍କ, ସାନିଟାଇଜର ଭଳି କରୋନା ପ୍ରତିରୋଧ ସାମଗ୍ରୀ ଖରିଦ କରିବା ଆରମ୍ଭ କରିଛନ୍ତି । ବିଶେଷକରି ପିଲାମାନଙ୍କୁ ମାସ୍କ ପିନ୍ଧାଇ ବିଦ୍ୟାଳୟକୁ ଛାଡିବାଲାଗି ଅଭିଭାବକମାନେ ପ୍ରସ୍ତୁତିପର୍ବ ଚଳାଇଥିବାବେଳେ ସରକାର କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)