ଭୁବନେଶ୍ୱର : ପାନ ଓ ମୀନର ରାଜ୍ୟର ଭାବେ ପରିଚିତ ଓଡିଶା ଏବେ ପାନ ଉତ୍ପାଦନରେ ଦେଶର ଚତୁର୍ଥ ସ୍ଥାନରେ ରହିଛି । ପଡୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଓଡିଶା ଠାରୁ ଢେର ଅଧିକ ପାନ ଉତ୍ପାଦନ ହେଉଥିବାବେଳେ ଓଡିଶା ପାନ ଆଉ ବିଦେଶକୁ ଯାଉନାହିଁ ।
କେନ୍ଦ୍ର କୃଷି ମନ୍ତ୍ରଣାଳୟର ଏକ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ପାନ ଉତ୍ପାଦନ କ୍ଷେତ୍ରରେ ପଶ୍ଚିମବଙ୍ଗ ଏବେ ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ରହିଛି । ଏଠାରେ ୧୯ହଜାରରୁ ଅଧିକ ହେକ୍ଟର ଜମିରେ ପାନ ଚାଷ ହେଉଥିବାବେଳେ ୬.୬୪ଲକ୍ଷ ମେଟ୍ରିକ ଟନରୁ ଅଧିକ ପାନ ଉତ୍ପାଦନ ହେଉଛି । ଏହା ପଛକୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ରହିଥିବାବେଳେ ଚତୁର୍ଥ ସ୍ଥାନରେ ଓଡିଶା ରହିଛି ।
ଏହି ରିପୋର୍ଟ ଅନୁଯାୟୀ ଓଡିଶାରେ ୨୭୪୧ ହେକ୍ଟର ଜମିରେ ପାନ ଚାଷ ହେଉଥିବାବେଳେ ୨୦୨୧-୨୨ ବର୍ଷରେ ୪୧ହଜାର ମେଟ୍ରିକ ଟନ୍ରୁ ସାମାନ୍ୟ ଅଧିକ ପରିମାଣର ପାନ ଉତ୍ପାଦନ ହୋଇଛି । ତେବେ ପାନ ଉତ୍ପାଦନ କ୍ଷେତ୍ରରେ ଓଡିଶା ପଛକୁ ଉତ୍ତରପ୍ରଦେଶ, କେରଳ, ତାମିଲନାଡୁ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ଭଳି ରାଜ୍ୟ ରହିଛନ୍ତି ।
ପାନ ଉତ୍ପାଦନରେ ଦେଶରେ ୪ନମ୍ବର ସ୍ଥାନରେ ଥିବା ଓଡିଶାରୁ କିନ୍ତୁ ଆଉ ବିଦେଶକୁ ପାନ ରପ୍ତାନି ହେଉନାହିଁ । ଦିଲ୍ଲୀ, ଗୁଜୁରାଟ ଭଳି ରାଜ୍ୟ ବିଦେଶକୁ ପାନ ରପ୍ତାନି କରି ବୈଦେଶିକ ମୁଦ୍ରା ଆୟ କରୁଥିବାବେଳେ ୨୦୧୮-୧୯ ମସିହାରେ ଶେଷଥର ପାଇଁ ଓଡିଶାରୁ ୬ହଜାର କିଲୋରୁ ଅଧିକ ପାନ ବିଦେଶକୁ ଯାଇଥିଲା ।
ପାନ ଉତ୍ପାଦନ କ୍ଷେତ୍ରରେ ଢେର ପଛରେ ପଡିଥିବା ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କେରଳ, ଗୁଜୁରାଟ, ଦିଲ୍ଲୀ ଭଳି ରାଜ୍ୟ ବିଦେଶକୁ ପାନ ରପ୍ତାନି କରି ବୈଦେଶିକ ମୁଦ୍ରା ଆୟ କରୁଥିବାବେଳେ ପାନ ଉତ୍ପାଦନରେ ଏକଦା ଆଗରେ ଥିବା ଓଡିଶା ବିଦେଶକୁ ବିଡାଏ ପାନ ପଠାଇ ପାରୁନାହିଁ । ୨୦୨୨-୨୩ ବର୍ଷର ନଭେମ୍ବର ସୁଦ୍ଧା ପାନ ରପ୍ତାନିରୁ ବିଭିନ୍ନ ରାଜ୍ୟ ୪.୪୬ ନିଯୁତ ଆମେରିକୀୟ ଡଲାର ଆୟ କରିଥିବାବେଳେ ଓଡିଶାର ଭାଗ ଏ କ୍ଷେତ୍ରରେ ଶୂନ ।
ଉଲ୍ଲେଖନୀୟ ଯେ ଉପକୂଳ ଓଡିଶା ବିଶେଷକରି ଜଗତ୍ସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳରୁ ଉତ୍ପାଦିତ ପାନପତ୍ର ସମଗ୍ର ଦେଶରେ ବେଶ୍ ଆଦୃତି ଲାଭ କରିଥିଲା । ଏଠାରୁ ଉତ୍ପାଦିତ ପାନପତ୍ରକୁ ସଂଗ୍ରହପରେ ତାହାକୁ ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ପଚାଯିବା ଦ୍ୱାରା ରପ୍ତାନି କରାଯାଉଥିଲା । କଟକ ଓ ଭୁବନେଶ୍ୱର ରେଳଷ୍ଟେସନରୁ ଦୈନିକ ଶହ ଶହ ଝୁଡି ପାନପତ୍ର ଟ୍ରେନ ଯୋଗେ ଦେଶର ବିଭିନ୍ନ ସହରକୁ ଯାଉଥିଲା ।
ତେବେ ଜଗତ୍ସିଂହପୁର ଓ କଟକ ଜିଲ୍ଲାରେ ପାନଚାଷକୁ ବଢାଇବା ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୧.୨୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ସେହଭଳି ୨୦୧୯-୨୦ ବର୍ଷରେ ବାତ୍ୟା ଫନି ଦ୍ୱାରା ଉଜୁଡି ଯାଇଥିବା ପାନ ଚାଷକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାପାଇଁ ୭.୫୮ କୋଟି ଟଙ୍କା ମିଳିଥିଲା । ଏହା ସତ୍ୱେ ବି ଓଡିଶା ପାନ ବିଦେଶକୁ ଯାଇପାରୁ ନାହିଁ କି ପାନଚାଷୀମାନେ ପୂର୍ବଭଳି ଆୟ କରିପାରୁ ନାହାନ୍ତି । ଅବସ୍ଥା ଏଭଳି ହୋଇଛି ଅନେକ ପାନଚାଷୀ ଏବେ ଅନ୍ୟ ପେଶାକୁ ଧିରେ ଧିରେ ଆପଣେଇ ନେଉଛନ୍ତି । (ତଥ୍ୟ)