Home General ବିଦେଶୀ ଭାଷା ଶିକ୍ଷା ବନ୍ଦ

ବିଦେଶୀ ଭାଷା ଶିକ୍ଷା ବନ୍ଦ

ଭୁବନେଶ୍ୱର : ଓଡିଶାରେ ପୁଞ୍ଜି ନିବେଶ ଲାଗି ବିଦେଶୀ କମ୍ପାନୀମାନେ ଆଗ୍ରହ ପ୍ରକାଶ କରୁଥିବାବେଳେ ରାଜ୍ୟରେ ଥିବା ବିଦେଶୀ ଭାଷା ଶିକ୍ଷା ବ୍ୟବସ୍ଥା ବନ୍ଦହୋଇ ଯାଇଛି । ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ)ରେ ଥିବା ଏହି ଭାଷା ଶିକ୍ଷା କେନ୍ଦ୍ରଟି ପ୍ରାୟ ଚାରି ବର୍ଷ ତଳୁ ବନ୍ଦ ହୋଇଯାଇଥିବା ଜଣାଯାଇଛି ।

ଓଡିଶାର ଛାତ୍ରଛାତ୍ରୀ ଓ ଅନ୍ୟ ଆଗ୍ରହୀମାନଙ୍କୁ ଫ୍ରେଞ୍ଚ ଓ ଜାପାନୀଜ୍‍ ଭଳି ଭାଷା ତାଲିମ ଦେବାପାଇଁ ଓକାକ୍‍ରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ତାଲିମ ନେଇ ବିଦେଶୀ ଭାଷା ଶିକ୍ଷା କରିଥିଲେ । ବିଶେଷକରି ଆଇଟି ତାଲିମପ୍ରାପ୍ତ ଯୁବକ ଯୁବତୀମାନେ ବିଦେଶୀ ଭାଷା ଶିକ୍ଷାଲାଭ କରିବାପରେ ସେମାନେ ସହଜରେ ବିଦେଶରେ ନିଯୁକ୍ତି ପାଇଯାଉଥିଲେ ।

ସରକାରୀ ସ୍ତରରେ ବିଦେଶୀ ଭାଷା ପ୍ରଶିକ୍ଷଣକୁ ଅଧିକାଂଶ ଛାତ୍ରଛାତ୍ରୀ ପସନ୍ଦ ବି କରୁଥିଲେ । ଏଠାରେ ସ୍ୱଳ୍ପ ସମୟ ଓ ଅଳ୍ପ ଅର୍ଥରେ ବିଦେଶୀ ଭାଷା ଶିକ୍ଷା ଦିଆଯାଉଥିବାରୁ ଏଥିପ୍ରତି ଅଧିକ ଆଗ୍ରହ ରହୁଥିଲା । ଏପରିକି ମାତ୍ର ୪/୫ ହଜାର ଟଙ୍କାରେ ଫ୍ରେଞ୍ଚ, ଜାପାନୀଜ୍‍ ଭଳି ଭାଷା ପ୍ରଶିକ୍ଷଣ ହେଉଥିଲା । ବିଦେଶରେ ନିଯୁକ୍ତି ସୁଯୋଗ ସହିତ ବିଦେଶୀ ଭାଷା ଶିଖିଥିବା ଯୁବକ ଯୁବତୀମାନେ ଅନୁବାଦକ ଭାବେ ନିଯୁକ୍ତି ସୁଯୋଗ ପାଇଥିଲେ । ଏଥି ସହିତ ବିଦେଶୀ ଭାଷା ଶିଖିଥିବା କେତେକ ଯୁବକ ଯୁବତୀ ବି ନାମୀ ଦାମୀ ଏନ୍‍ଜିଓରେ କର୍ମସଂସ୍ଥାନ ପାଇଥିଲେ ।

ତେବେ କୌଣସି କାରଣରୁ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନରେ ଥିବା ଓକାକରେ ଏହି ଭାଷା ଶିକ୍ଷା କେନ୍ଦ୍ରଟି ବନ୍ଦ ହୋଇଯିବା ପରେ ଏବେ ଆଗ୍ରହୀ ଛାତ୍ରଛାତ୍ରୀମାନେ ବିଦେଶୀ ଭାଷା ଶିଖିପାରୁ ନାହାନ୍ତି । ଆଗାମୀ ଦିନରେ ଓଡିଶାକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଶିଳ୍ପପତିମାନେ ଆସିବାକୁ ଥିବାରୁ ସେହିସବୁ କମ୍ପାନୀରେ ଫ୍ରେଞ୍ଚ ଓ ଜାପାନୀଜ୍‍ ଭଳି ଭାଷା ଶିଖିଥିବା ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । ତେଣୁ ଏବେ ବିଦେଶୀ ଭାଷା ଶିଖିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ନିରାଶ ହେଉଛନ୍ତି ।

ତେବେ ଓଡିଶାରେ ଅବସ୍ଥାପିତ ଥିବା କିଛି ଜାପାନୀ ନାଗରିକ ଓକାକରେ ଆସି ଜାପାନୀଜ୍‍ ଭାଷା ଶିକ୍ଷା ଦେଉଥିବାବେଳେ ଫ୍ରେଞ୍ଚ ତାଲିମ ନେଇଥିବା ଓଡିଆମାନେ ଏହି ଭାଷା ଶିଖାଉଥିଲେ । ସମ୍ପୃକ୍ତ ଜାପାନୀଜ୍‍ ନାଗରିକମାନେ କରୋନା ମହାମାରୀ ସମୟରେ ଓଡିଶା ଛାଡିଥିବାବେଳେ ଭାଷା ଶିକ୍ଷା କେନ୍ଦ୍ର ବନ୍ଦ ହୋଇଥିବାରୁ ଫ୍ରେଞ୍ଚ ପଢାଉଥିବା ଶିକ୍ଷକମାନେ ମଧ୍ୟ ଅନ୍ୟତ୍ର କର୍ମସଂସ୍ଥାନରେ ଚାଲିଗଲେଣି । ତେବେ ଆଗକୁ ବିଦେଶୀ ଭାଷା ଶିକ୍ଷା ଜରିଆରେ ନିଯୁକ୍ତି ସୁଯୋଗ ଥିବାରୁ ପୁର୍ନବାର ଓକାକ୍‍ରେ ବିଦେଶୀ ଭାଷା ଶିକ୍ଷା ଆରମ୍ଭ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମତ ଦେଉଛନ୍ତି । (ତଥ୍ୟ)