Home Agriculture ବିଦେଶକୁ ରପ୍ତାନୀ ହେଲା ଓଡ଼ିଶା ମିଲେଟ୍ସ

ବିଦେଶକୁ ରପ୍ତାନୀ ହେଲା ଓଡ଼ିଶା ମିଲେଟ୍ସ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଓଡ଼ିଶାରେ ଉତ୍ପାଦିତ ମିଲେଟ୍ସକୁ ବିଦେଶକୁ ରପ୍ତାନୀ କରାଯାଇଛି । ଏହି କ୍ରମରେ ଆଜି ରାଜ୍ୟ ଉନ୍ନୟନ କମିଶନର ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ରପ୍ତାନୀ କରାଯାଉଥିବା କ୍ଷୁଦ୍ରଶସ୍ୟ ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ଦ୍ୱାରା ପ୍ରୋତ୍ସାହିତ ଶକ୍ତିମୟୀ ମହାସଂଘ ଦ୍ୱାରା ପ୍ରଥମ ଥର ପାଇଁ ଓଡ଼ିଶାରେ ଚାଷ ହେଉଥିବା ବିଭିନ୍ନ କ୍ଷୁଦ୍ରଶସ୍ୟକୁ ଭାରତ ବାହାରକୁ ରପ୍ତାନୀ କରାଯାଇଛି ।

କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ (ଇମେଜ)ଠାରେ ଆଜି ଏକ ଦିନିକିଆ କର୍ମଶାଳା ତଥା କ୍ଷୁଦ୍ରଶସ୍ୟ ରପ୍ତାନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧିନ ଏପେଡ଼ାର ମିଳିତ ପ୍ରୟାସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜେନା କ୍ଷୁଦ୍ରଶସ୍ୟ ସହ ଓଡ଼ିଶାରେ ଉତ୍ପାଦିତ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟକୁ ମଧ୍ୟ ରପ୍ତାନୀ କରିବାକୁ ଉପସ୍ଥିତ ଏପେଡ଼ା ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ଏପେଡ଼ାର ଆଞ୍ଚଳିକ ଶାଖା ମୁଖ୍ୟ ଶ୍ରୀ ସନ୍ଦୀପ ଶାହା କହିଥିଲେ ଯେ ଭାରତ ସରକାର ଓ ଏପେଡ଼ାର ମୁଖ୍ୟ ଉଦ୍ଦେଶ୍ୟ ଭାରତରେ ପ୍ରସ୍ତୁତ ବିଭିନ୍ନ କୃଷିଜାତ ଦ୍ରବ୍ୟକୁ ଭାରତ ବାହାରେ ପହଞ୍ଚାଇବା ସହ ଚାଷୀ ଓ କୃଷି ସହ ଜଡ଼ିତ ଥିବା ଅନୁଷ୍ଠାନକୁ ଅଧିକ ଲାଭ ଦେବା । ଓଡ଼ିଶାରେ ଏଥିରେ ଏକ ବୃହତ୍‌ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ କରିବା ସହ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷରେ ଓଡ଼ିଶାରୁ ଅଧିକରୁ ଅଧିକ କ୍ଷୁଦ୍ରଶସ୍ୟକୁ ବିଭିନ୍ନ ଦେଶକୁ ରପ୍ତାନୀ କରିବାର ଯୋଜନା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମିଲେଟ୍ସ ମିଶନ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଶୈଳେନ୍ଦ୍ର କୁମାର ମହାନ୍ତି, ନାବାର୍ଡ ଓଡ଼ିଶା ଶାଖା ମୁଖ୍ୟ ବିଭୂତି ସାହୁ, ଓଡ଼ିଶା ମିଲେଟ୍ସ ମିଶନର ରାଜ୍ୟ ସଂଯୋଜକ ଶ୍ରୀ ଦିନେଶ ବାଲମ୍‌, ଏପେଡ଼ା ଆଞ୍ଚଳିକ ଶାଖାର ଶ୍ରୀ ସୀତାକାନ୍ତ ମଣ୍ଡଳ, ଏପେଡ଼ା ସଦସ୍ୟ ଶ୍ରୀ ସୁକାନ୍ତ ପାଣିଗ୍ରାହୀଙ୍କ ସହ ରାଜ୍ୟ ତଥା ବିଭିନ୍ନ ଜିଲ୍ଲାରୁ ଆସିଥିବା ବରିଷ୍ଠ ଅଧିକାରୀ, କ୍ରେତା, କୃଷକ ଉତ୍ପାଦକ ସଂଗଠନ ଏବଂ ଚାଷୀମାନେ ଏହି ରପ୍ତାନୀ ଆଧାରିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।