Home News in Odia ବିଜେଡ଼ି ସାଜିଛି ସଂକଟ ମୋଚକ

ବିଜେଡ଼ି ସାଜିଛି ସଂକଟ ମୋଚକ

ଭୁବନେଶ୍ୱର : ବିଜେଡ଼ି ବିଜେପି ମଧ୍ୟରେ ଥିବା ଗୁଢ ସମ୍ପର୍କ ଆତ୍ମ ପ୍ରକାଶ କରିଛି । ସଂସଦରେ ଆଗତ ମୋଦି ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡ଼ି ବିରୋଧ କରିବ ଓ ଦିଲ୍ଲୀ ଜାତୀୟ ରାଜଧାନୀ ସରକାର ଅଂଚଳ (ସଂଶୋଧନ) ବିଲ-୨୦୨୩ ବିଧେୟକୁ ସମର୍ଥନ କରିବ ବୋଲି ଘୋଷଣା କରିଛି । ସୁତରାଂ ବିଜେଡ଼ି ବିଜେପିର ସଂକଟମୋଚକ ସାଜିଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କାହିଁକି ଏମ.ବି ଶାହା କମିଶନଙ୍କ ସୁପାରିଶ ସତ୍ୱେ ଓଡ଼ିଶାର ଖଣି ଦୁର୍ନୀତି ସିବିଆଇ ତଦନ୍ତ ହେଲାନାହିଁ? କାହିଁକି ଓ କାହା ନିର୍ଦ୍ଦେଶରେ ଚିଟଫଣ୍ଡ ସ୍କାମର ତଦନ୍ତ କରୁଥିବା ସିବିଆଇ ମୁଖ୍ୟମନ୍ତ୍ରୀଙ୍କ ଦୁଆରୁ ଫେରିଆସି ତୁନି ପଡ଼ିଛି?

କଥା କଥାରେ ମହିଳା ସଶକ୍ତି କରଣ ମୋ ସରକାରର ପ୍ରଧାନ ଲକ୍ଷ୍ୟ ବୋଲି ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ମଣିପୁର ମହିଳା ଲଜ୍ଜା ପ୍ରସଙ୍ଗରେ ଆଜି ପର୍ଯ୍ୟନ୍ତ ମୌନବ୍ରତ ଅବଲମ୍ବନ କରିଛନ୍ତି କାହିଁକି? ଯେତେବେଳେ ବିଜେପିର କେତେକ ବରିଷ୍ଠ ନେତା ଘୋଷଣା କରୁଛନ୍ତି ଯେ ସେମାନେ ବିଜେଡ଼ିକୁ ଜନ୍ମ ଦେଇଛନ୍ତି, ସେତେବେଳେ ବିଜେଡ଼ି ବିଜେପି ମଧ୍ୟରେ କୌଣସି ପାର୍ଥକ୍ୟ ନରହିବା ସ୍ୱାଭାବିକ । ଓଡ଼ିଶାବାସୀ ଉଭୟ ଯୋଡ଼ିର ଅସଲ ଉଦ୍ଦେଶ୍ୟ ବୁଝିବେ ଓ ଆଗାମୀ ନିର୍ବାଚନରେ କଂଗ୍ରେସକୁ ସମର୍ଥନ ଦେଇ ବିଜେଡ଼ି-ବିଜେପିକୁ ପରାଜିତ କରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ କହିଥିଲେ ଯେ ଦିଲ୍ଳୀ ବିଧେୟକ ଆଇନରେ ପରିଣତ ହେଲେ ରାଜ୍ୟ ସରକାର ମାନଙ୍କର କ୍ଷମତା ସଂକୁଚିତ ହେବ ଓ ଅମଲା ମାନଙ୍କର କ୍ଷମତା ବୃଦ୍ଧି ପାଇବ । ସେହି ବିଧେୟକୁ ସମର୍ଥନ ଜଣାଇ ବିଜେଡ଼ି ଘୋଷଣା କରିବାକୁ ଚାହେଁଯେ ନିର୍ବାଚିତ ଲୋକ ପ୍ରତିନିଧି ମାନେ ନୁହଁନ୍ତି ଅମଲାମାନେ ହିଁ ପ୍ରକୃତ ଶାସନ କର୍ତା । ଶ୍ରୀ ପଟ୍ଟନାୟକ ଏହି ବ୍ୟବସ୍ଥାର ଦୃଢ଼ ନିନ୍ଦା କରିଥିଲେ ।

ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନଗୋ ବିଜେଡ଼ି କୁ ପ୍ରଶ୍ନ କରି କହିଥିଲେ ଯେ ଏହି ନିଷ୍ପତି ଦ୍ୱାରା ଓଡ଼ିଶାର କି ଲାଭ ହେବ? ସେ ପଚାରିଥିଲେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଠାରୁ ଓଡ଼ିଶାକୁ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ ପାଇଁ କରିଥିବା ଦାବୀ ମିଳିଲା କି? ଏବଂ ଦ୍ୱିତୀୟରେ ଅର୍ଥ କମିଶନ ସୁପାରିଶ କରିଥିବା ଅର୍ଥ କେନ୍ଦ୍ର ସରକାର ଓଡ଼ିଶାକୁ ଦେଉଛନ୍ତି କି?

ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଏହି ସାମ୍ବାଦିକ ସମ୍ମିଳନୀରେ ଅଭିମତ ରଖି କହିଥିଲେ ଯେ ଆଜିର ଘୋଷଣା ବିଜେଡ଼ିର ଛଳନାଶ୍ରୟୀ ରାଜନୀତିର ପର୍ଦ୍ଦାଫାଶ କରିଛି । କେନ୍ଦ୍ର ମୋଦି ସରକାରକୁ ବିଜେଡ଼ି ସମର୍ଥନ ଦେବା ନୂଆ କଥା ନୁହେଁ । ବିଜେପି ଓ କଂଗ୍ରେସ ଠାରୁ ସମଦୂରତାର ଘୋଷଣା ବସ୍ତୁତଃ ଆଜି ପୂର୍ଣ୍ଣଛେଦ ପଡ଼ିଛି । ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ସୁରକ୍ଷା ପାଇଁ ଉଭୟ ଦଳ ପରସ୍ପର ସହ ଛନ୍ଦି ହୋଇଛନ୍ତି ଓ ରାଜ୍ୟ ସ୍ୱାର୍ଥ ଭୁଲୁଣ୍ଠିତ ହୋଇଛି ।