ଭୁବନେଶ୍ୱର : ରାଜ୍ୟ ବିଜେପି ଉପସଭାପତି ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଡକ୍ଟର ସସ୍ମିତ ପାତ୍ର ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।
ଦଳରେ ସାମିଲ୍ ହୋଇଥିବା ଡକ୍ଟର ସାମନ୍ତସିଂହାରଙ୍କୁ ଶ୍ରୀ ମଙ୍ଗରାଜ, ଡକ୍ଟର ପାତ୍ର ଓ ଶ୍ରୀ ଜେନା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ଲେଖାଶ୍ରୀ ସାମନ୍ତସିଂହାରଙ୍କ ଯୋଗଦାନ ଫଳରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ମଙ୍ଗରାଜ, ଡକ୍ଟର ପାତ୍ର ଓ ଶ୍ରୀ ଜେନା କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଡକ୍ଟର ସାମନ୍ତସିଂହାର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଖୋଲା ହୃଦୟରେ ବିଜେଡ଼ି ଗ୍ରହଣ କରିଥିବାରୁ ଧନ୍ୟବାଦ । ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି । ଓଡ଼ିଶାର ବିକାଶ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଓଡ଼ିଆଙ୍କ ଅସ୍ମିତା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଜାତିକୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପ୍ରଶଂସନୀୟ ।
ବିକାଶ କାମରେ ଗୁଣ୍ଡୁଚି ମୂଷାର ଭୂମିକା ନିର୍ବାହ କରିବାକୁ ଚାହୁଁଛି । ଦୀର୍ଘ ୧୦ ବର୍ଷ ବିଜେପି ପାଇଁ ଶତ ପ୍ରତିଶତ ଦେଇଛି । ୧୦ ବର୍ଷ ପରେ ବି ବିଜେପିରେ ମୋର ଇଚ୍ଛା ପୂରଣ ହେଲାନି । ବିଜେପିରେ ଆଉ କାମ କରିବାର ସୁଯୋଗ ନଥିଲା । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଯାତ୍ରାରେ ସାମିଲ ପାଇଁ ନିଷ୍ପତ୍ତି ନେଲି । ରାଜନୀତିକୁ ଆସିବା ଉଦ୍ଦେଶ୍ୟ ବିଜେପିରେ ପୂରଣ ହୋଇପାରିଲାନି । ବିଜେଡ଼ିରେ ରହି ଓଡ଼ିଶାବାସୀଙ୍କ ସେବା କରିବି । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି ।
ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।