Home News in Odia ବିଜେପି ଏକାକୀ ଲଢିବ

ବିଜେପି ଏକାକୀ ଲଢିବ

ଭୁବନେଶ୍ୱର : କିଛି ଦିନ ବିଜେପି-ବିଜେଡି ମେଣ୍ଟକୁ ନେଇ ଚାଲିଥିବା ଆଲୋଚନାର ଏକ ପ୍ରକାର ଅନ୍ତ ଘଟିଛି । ଆଜି ନୂଆଦିଲ୍ଲୀରୁ ଫେରିବାପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦୁଇ ଦଳ ମଧ୍ୟରେ ମେଣ୍ଟ ହେବନାହିଁ ଓ ବିଜେପି ଏକାକୀ ଲଢିବ ବୋଲି ସୂଚନା ଦେଇଛନ୍ତି ।

ବିଜେଡି-ବିଜେପି ମେଣ୍ଟ ନେଇ ଗତ ପ୍ରାୟ ସପ୍ତାହେ ଧରି ଆଲୋଚନା ଚାଲିଥିବାବେଳେ ୪ଦିନ ଧରି ରାଜ୍ୟ ବିଜେପି ସଭାପତିଙ୍କ ସମେତ ରାଜ୍ୟ ପ୍ରଭାରୀ ଓ ଅନ୍ୟ ନେତାମାନେ ଦିଲ୍ଲୀରେ ଡେରା ପକାଇଥିଲେ । ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଓ ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଘରେ ମାରାଥନ ବୈଠକ ହୋଇଥିଲା । ଏହି ବୈଠକ ଉପରେ ସମସ୍ତଙ୍କ ନଜର ଥିଲା ।

ତେବେ ବୈଠକ ସାରି ଓଡିଶା ଫେରି ଆସିଥିବା ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ ସଫା ସଫା କହିଛନ୍ତି ଯେ ଓଡିଶାରେ ବିଜେପି ଏକାକୀ ଲଢିବ ଓ ଲୋକଙ୍କ ଆର୍ଶୀବାଦରେ ସରକାର ଗଠନ କରିବ ।

ତେବେ କେନ୍ଦ୍ରରେ ବିଜେପି ୪୦୦ରୁ ଅଧିକ ଆସନ ଦଖଲ କରି ସରକାର ଗଠନ ପାଇଁ ଘୋଷଣା କରିବା ସହିତ ନିଜର ପୁରୁଣା ସହଯୋଗୀଙ୍କ ସହିତ ମେଣ୍ଟ ଆଲୋଚନା କରିଥିଲା । ଇତି ମଧ୍ୟରେ ଅକାଳୀ, ଟିଡିପି ସହିତ ମେଣ୍ଟ ଚୂଡାନ୍ତ ହୋଇଥିବାବେଳେ ବିଜେଡି ସହିତ ମେଣ୍ଟ ନେଇ ଆଲୋଚନା ଜାରି ରହିଥିଲା । ଆଲୋଚନା ପାଇଁ ବିଜେଡି ପକ୍ଷରୁ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଓଡିଶା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପଦୁଟିଏ କହିନଥିବାରୁ ମେଣ୍ଟ ନିଶ୍ଚିତ ବୋଲି ସମସ୍ତେ ଧରି ନେଇଥିଲେ ।

ତେବେ ଏହାପରେ ରାଜ୍ୟ ବିଜେପି ଦାୟିତ୍ୱରେ ଥିବା ପ୍ରଭାରୀମାନେ ମେଣ୍ଟ ନେଇ କୌଣସି ସୂଚନା ନଥିବା କହିଥିବାବେଳେ ମନମୋହନ ସାମଲ ମଧ୍ୟ ତାହାକୁ ଦୋହରାଇଥିଲେ । ଏପରିକି ମନମୋନହ ମେଣ୍ଟକୁ ମନା କରିବାପରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏକ ଭିଡିଓ ଜାରି କରାଯାଇ ରାଜନୀତିରେ ଗୁଜବ ଓ ମିଛ ଅତ୍ୟନ୍ତ ଖରାପ କଥା ବୋଲି କୁହାଯାଇଥିଲା ।

ତେବେ ମେଣ୍ଟ ଚୂଡାନ୍ତ ପର୍ଯ୍ୟାୟରେ ରହିଥିବା ନେଇ ଗତକାଲି ଖବର ଆସିଥିବାବେଳେ ଆଜି କିନ୍ତୁ ମେଣ୍ଟ ଆଲୋଚନାର ଏକ ପ୍ରକାର ପରିସମାପ୍ତି ହୋଇଛି । ଆଜି ବିଜେଡି ତାହାର ବରିଷ୍ଠ ନେତାଙ୍କ ବୈଠକ ଅପରାହ୍ନରେ ଡାକିଥିବାରୁ ଏବେ ଏହା ଉପରେ ସମସ୍ତଙ୍କ ନଜର ରହିଛି ।