Home Election ବିଜେପିର ୧୨ କୁ କଂଗ୍ରେସର ୧୨

ବିଜେପିର ୧୨ କୁ କଂଗ୍ରେସର ୧୨

ଭୁବନେଶ୍ୱର : ବିଜେପି ତାହାର ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ୧୨ ଖଣ୍ଡ ପ୍ରଥମ ପସନ୍ଦ ଭୋଟ ଦେଇଥିବାବେଳେ କଂଗ୍ରେସ ମଧ୍ୟ ତାହାର ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ୧୨ଖଣ୍ଡ ପ୍ରଥମ ପସନ୍ଦର ଭୋଟ ଦେଇଛି । ତେବେ କଂଗ୍ରେସର ଏହି ୧୨ଖଣ୍ଡ ଭୋଟ ଭିତରେ ଦଳକୁ ସମର୍ଥନ ଦେଉଥିବା ସିପିଏମ ବିଧାୟକଙ୍କ ଲକ୍ଷ୍ମଣ ମୁଣ୍ଡାଙ୍କ ଭୋଟ ଖଣ୍ଡିକ ବି ରହିଛି ।

ବିଧାନସଭାରେ ବିଜେପିର ୭୯ ଜଣ ବିଧାୟକ ଥିବାବେଳେ ୩ଜଣ ସହଯୋଗୀ ବିଧାୟକ ରହିଛନ୍ତି । ଏମାନଙ୍କୁ ମିଶାଇ ବିଜେପି ସପକ୍ଷରେ ମୋଟ୍‍ ୮୨ ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଦଳୀୟ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ୩୫ ଖଣ୍ଡ କରି ପ୍ରଥମ ପସନ୍ଦ ଭୋଟ ଯିବାପରେ ଅବଶିଷ୍ଟ ୧୨ଖଣ୍ଡ ପ୍ରଥମ ପସନ୍ଦ ଭୋଟ ଦିଲ୍ଲୀପ ରାୟଙ୍କ ସପକ୍ଷରେ ପଡିଛି । ଦିଲ୍ଲୀପ ବିଜେପିର ୧୨ ଓ ୧୧ କ୍ରସ ଭୋଟିଂ କୁ ମିଶାଇ ମୋଟ୍‍ ୨୩ଖଣ୍ଡ ପ୍ରଥମ ପସନ୍ଦ ଭୋଟ ପାଇଛନ୍ତି ।

ସେହିଭଳି ଡାକ୍ତର ଦତ୍ତେଶ୍ୱର ହୋତା ପାଇଥିିବା ପ୍ରଥମ ପସନ୍ଦ ଭୋଟ ମଧ୍ୟରେ କେବଳ କଂଗ୍ରେସର ୧୨ ଖଣ୍ଡ ଭୋଟ ରହିଛି । ବିଧାନସଭାରେ କଂଗ୍ରେସର ୧୪ଣ ବିଧାୟକ ଥିବାବେଳେ ସହଯୋଗୀ ସିପିଏମ୍‍ ବିଧାୟକ ଲକ୍ଷ୍ମଣମୁଣ୍ଡା ରହିଛନ୍ତି । ତେବେ କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ସୋଫିଆ ଫିରଦୋସ, ରମେଶ ଜେନା ଓ ଦାଶରଥୀ ଗମାଙ୍ଗ ଦିଲ୍ଲୀପ ରାୟଙ୍କ ସପକ୍ଷରେ କ୍ରସଭୋଟିଂ କରିବାରୁ ଅବଶିଷ୍ଟ ୧୧ ଖଣ୍ଡ ଭୋଟି ସହିତ ଲକ୍ଷ୍ମଣଙ୍କର ଗୋଟିଏ ଭୋଟ ମିଶି ମୋଟ ୧୨ଖଣ୍ଡ ପ୍ରଥମ ପସନ୍ଦ ଭୋଟ ଦତ୍ତେଶ୍ୱରଙ୍କ ସପକ୍ଷରେ ଯାଇଛି ।

ବିଧାନସଭାରେ ବିଜେଡିର ୪୮ଜଣ ସଦସ୍ୟ ରହିଥିବାବେଳେ ଏମାନଙ୍କ ମଧ୍ୟରୁ ୩୧ ଜଣ ଦଳୀୟ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ପ୍ରଥମ ପସନ୍ଦର ଭୋଟ ଦେଇଛନ୍ତି । ୬ ଜଣ ଦିଲ୍ଲୀପ ରାୟଙ୍କ ସପକ୍ଷରେ କ୍ରସ ଭୋଟିଂ କରିଛନ୍ତି ଓ ଅବଶିଷ୍ଟ ୧୧ଜଣ ଦଳର ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କୁ ସେମାନଙ୍କର ପ୍ରଥମ ପସନ୍ଦ ଭୋଟ ଦେଇଛନ୍ତି । ଫଳରେ ଦତ୍ତେଶ୍ୱର ମଧ୍ୟ ଦିଲ୍ଲୀପଙ୍କ ଭଳି ୨୩ଖଣ୍ଡ ପ୍ରଥମ ପସନ୍ଦର ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି । ତେବେ ଦ୍ୱିତୀୟ ପସନ୍ଦର ଭୋଟ ଗଣତିରେ ଦିଲ୍ଲୀପ ଅଧିକ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଦତ୍ତେଶ୍ୱର ହାରିଯାଇଛନ୍ତି ।