ଭୁବନେଶ୍ୱର : ଓଡ଼ିଶାର ୨୧ଟି ଲୋକସଭା ଆସନମଧ୍ୟରୁ ୧୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବିଜେପି ପଶ୍ଚିମ ଓଡ଼ିଶାର କେନ୍ଦ୍ରସ୍ଥଳ ସମ୍ବଲପୁରରୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି।
ବର୍ତ୍ତମାନର ସାଂସଦ ନିତେଶ ଗଙ୍ଗଦେବଙ୍କ ସ୍ଥାନରେ ଦଳ ସମ୍ବଲପୁର ଆସନରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ବାଦ୍ ଦିଆଯାଇଛି।
ରାଇରଙ୍ଗପୁରର ବର୍ତ୍ତମାନର ବିଧାୟକ ନବ ଚରଣ ମାଝୀଙ୍କୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରିଛି ବିଜେପି ।
ଆଶ୍ଚର୍ଯ୍ୟର କଥା ହେଉଛି, ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଆସନରୁ ବିଜୟୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସ୍ଥାନରେ ଶ୍ରୀ ମାଝୀଙ୍କୁ ଦଳ ପ୍ରାର୍ଥୀ କରିଥିଲା।
ଶ୍ରୀ ଗଙ୍ଗ ଦେବଙ୍କ ସମେତ ତିନି ଜଣ ସାଂସଦଙ୍କୁ ଦଳ ବାଦ୍ ଦେଇଛି। ଅନ୍ୟ ଦୁଇ ସାଂସଦ ହେଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା।
ବରଗଡ଼ରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଳାହାଣ୍ଡି ଆସନରୁ ମାଲବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରାଯାଇଛି।
ସେହିଭଳି ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ବିଜେପି ସେହି ଆସନରୁ ପୁନର୍ବାର ପ୍ରାର୍ଥୀ କରିଛି।
ସେହିପରି କେନ୍ଦ୍ରାପଡ଼ାରୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୁରୀରୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, କେନ୍ଦୁଝରରୁ ଅନନ୍ତ ନାୟକ, ଜଗତସିଂହପୁର ଆସନରୁ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି ଓ ଆସିକାରୁ ଅନିତା ଶୁଭଦର୍ଶନୀଙ୍କୁ ଦଳ ପ୍ରାର୍ଥୀ କରିଛି।
ବ୍ରହ୍ମପୁର ଆସନ ପାଇଁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳୀୟ ଟିକେଟ ଦିଆଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ଭଦ୍ରକ ପାଇଁ ଟିକେଟ ମିଳିଛି।