ଭୁବନେଶ୍ୱର : ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ୫ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଖୁବ୍ ଶୀଘ୍ର ସେ ବିଜେପିରେ ଯୋଗଦେବେ ବୋଲି କହିଛନ୍ତି।
ଖୋର୍ଦ୍ଧା ଜିଲ୍ଲା ଜୟଦେବ ବିଧାୟକ ଶ୍ରୀ ଢାଲି କହିଛନ୍ତି ଯେ ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇ-ମେଲ୍ ଜରିଆରେ ପଠାଇଛନ୍ତି। ତେବେ ଇସ୍ତଫା ଦେବାର କୌଣସି କାରଣ ସେ ଉଲ୍ଲେଖ କରିନାହାନ୍ତି।
ଶ୍ରୀ ଢାଲି ୧୯୯୨ ମସିହାରେ ବିଜେପି ଟିକେଟରେ ହୋଇଥିବା ଉପନିର୍ବାଚନରେ ମାଲକାନଗିରି ଆସନରୁ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଲଗାତାର ଦୁଇ ଥର ସେ ଏହି ଆସନ ବଜାୟ ରଖିଥିଲେ।
ଏହାପରେ ସେ ବିଜେଡିରେ ଯୋଗ ଦେଇଥିଲେ ଏବଂ ୨୦୦୯ରେ ଜୟଦେବରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ମଧ୍ୟ ସେ ଏହି ଆସନରୁ ବିଜୟୀ ହୋଇଥିଲେ।
ମୋ ସମର୍ଥକ ଏବଂ ଶୁଭେଚ୍ଛୁମାନେ ମୋତେ ବିଜେପିକୁ ଫେରିବାକୁ ପରାମର୍ଶ ଦେଇଥିଲେ। ମୁଁ ତାହା କରିବି। ମୁଁ ବିଜେଡି ନେତୃତ୍ୱଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
ଆଇନ ସ୍ନାତକ ଶ୍ରୀ ଢାଲି ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ନବୀନଙ୍କ ନେତୃତ୍ୱାଧୀନ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ବାଣିଜ୍ୟ ଓ ପରିବହନ (୨୦୦୨-୨୦୦୪) ବ୍ୟତୀତ ସମବାୟ (୨୦୦୦-୨୦୦୪), ବୟନ ଓ ହସ୍ତତନ୍ତ (୨୦-୨୦୦୨) ବିଭାଗ ସମ୍ଭାଳିଥିଲେ।
ନିକଟରେ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ନିକଟରେ ବିଜେଡିର ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ମଧ୍ୟ ଦଳ ବଦଳାଇ ବିଜେପିରେ ସାମିଲ ହୋଇଛନ୍ତି ।
ଅନ୍ୟପକ୍ଷରେ ବିଜେଡିରୁ ବହିଷ୍କୃତ ହୋଇଥିବା ଅନ୍ୟ ଜଣେ ନେତା ରାଜେନ୍ଦ୍ର ଦାସ ଆସନ୍ତା ୪ ତାରିଖରେ ବିଜେପିରେ ଯୋଗଦେବେ । ବିଜେଡି ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅବନ୍ତି ଦାସଙ୍କୁ ପ୍ରାର୍ଥୀ କରିବା ପରେ ପୂର୍ବତନ ବିଧାୟକ ବିଦ୍ରୋହୀ ପ୍ରାର୍ଥୀ ଭାବେ ଧାମନଗର ଉପନିର୍ବାଚନ ଲଢ଼ିଥିଲେ ।
ରାଜେନ୍ଦ୍ର ୨୦୦୯ରେ ବିଜେଡି ଟିକେଟରେ ଧାମନଗର ଜିତିଥିଲେ। ତେବେ ୨୦୧୪ରେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ୨୦୧୯ରେ ତାଙ୍କୁ ପୁଣି ଥରେ ଟିକେଟ୍ ଦିଆଯାଇଥିଲେ ମଧ୍ୟ ବିଜେଡିର କିଛି ନେତା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ, ଯାହା ଫଳରେ ସେ ପରାଜିତ ହୋଇଥିଲେ।