Home News in Odia ବିଜେଡି କୋର୍ଟକୁ ଅନାସ୍ଥା ବଲ୍‍ ଫିଙ୍ଗିଲା କଂଗ୍ରେସ

ବିଜେଡି କୋର୍ଟକୁ ଅନାସ୍ଥା ବଲ୍‍ ଫିଙ୍ଗିଲା କଂଗ୍ରେସ

ଭୁବନେଶ୍ୱର : ରାଜ୍ୟବ୍ୟାପି ହେଉଥିବା ନାରୀ ଅନ୍ୟାୟ ଏବଂ ଅତ୍ୟାଚାର ବିରୋଧରେ କଂଗ୍ରେସ ଦଳର ଅବିରାମ ସଂଗ୍ରାମ ପରିପ୍ରେକ୍ଷୀରେ ଆଜି କଂଗ୍ରେସ ପକ୍ଷରୁ ବିଜେଡି କୋର୍ଟକୁ ଅନସ୍ଥା ବଲ୍‍ ପିଙ୍ଗା ଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା,ଜୟଦେବ ଜେନା ପ୍ରମୁଖ ରାଜନୀତିର ଏହି ଗୋଟି ଚଳାଇଛନ୍ତି । ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବାକୁ ସେମାନେ ବିଜେଡିକୁ ଆହ୍ବାନ ଦେଇଛନ୍ତି । ବିଜେଡି ନଆଣିଲେ କଂଗ୍ରେସ ଏହି ପ୍ରସ୍ତାବ ଆଣିବ ବୋଲି ରୋକଠୋକ ଶୁଣାଇଛନ୍ତି ।

ତେବେ ଏତେସବୁ ବିଭତ୍ସ ଘଟଣା ଘଟିବା ପରେ ମଧ୍ୟ ସରକାରଙ୍କୁ ସାମାନ୍ୟତମ ଲଜ୍ଜାବୋଧ ହେଉନି ବୋଲି ପିସିସି ସଭାପତି ଶ୍ରୀ ଦାସ କଟୁକ୍ତି ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ନିଜ ବକ୍ତବ୍ୟରେ ଶ୍ରୀ ଦାସ କହିଥିଲେ ଯେ ପ୍ରତ୍ୟହ ନାରୀ ନିର୍ଯାତନା ପାଇଁ ରାଜ୍ୟର ଜନତା ମର୍ମାହତ ଏବଂ ଲଜ୍ଜିତ । କିନ୍ତୁ ରାଜ୍ୟ ସରକାର କିଛି ହୃଦୟଙ୍ଗମ କଲାଭଳି ଦେଖାଯାଉ ନାହିଁ । ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତପରେ ଆମେରିକା ରାଷ୍ଟ୍ରପତି, ଆମେରିକୀୟ ନାଗରିକ ନଯିବା ପାଇଁ ବାରଣ କରିଛନ୍ତି । ଆମ ଦଳର ସଭାପତି ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେଜୀ ଏବଂ ଲୋକସଭା ବିରୋଧି ଦଳ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ତାଙ୍କ ଓଡ଼ିଶାଗସ୍ତ ସମୟରେ ନାରୀ ନିର୍ଯାତନା ବିଷୟରେ ସରକାରଙ୍କୁ ସୂଚାଇଥିଲେ ।

ଏପରିକି ବର୍ତ୍ତମାନ ସୁପ୍ରିମକୋର୍ଟ ଓଡ଼ିଶାରେ ଘଟୁଥିବା ନାରୀ ନିର୍ଯାତନା ଘଟଣା ପାଇଁ ଆମକୁ ଲଜ୍ଜା ଅନୁଭବ ହେଉଛି ବୋଲି ନିଜ ତରଫରୁ ଉଲ୍ଲେଖ କରିଛନ୍ତି । ବିଧାନସଭାରେ ଗଣ୍ଡଗୋଳ ହେବା ସମୟରେ ଆମେ ଗୃହ କମିଟି ଗଠନ କରିବା ପାଇଁ ଦାବି କରିଥିଲୁ  କିନ୍ତୁ ସରକାର କର୍ଣ୍ଣପାତ କଲେ ନାହିଁ । ଯାହାଫଳରେ ଜଗତସିଂହପୁର, ନୟାଗଡ଼, ଗୋପାଳପୁର, ବାଲେଶ୍ୱର ଏବଂ ବଳଙ୍ଗା ଭଳି ଘଟଣା ଗୋଟିକ ପରେ ଗୋଟିଏ ଘଟି ଚାଲିଛି । ଆମେ କିନ୍ତୁ ବିରୋଧି ଦଳ ହିସାବରେ ଲଜ୍ଜିତ । ତେଣୁ ଆମେ ଚୁପ ହୋଇ ବସିପାରିବୁ ନାହିଁ ।  ନିର୍ବାଚନ ବର୍ତ୍ତମାନ ନାହିଁ ଏବଂ ଏହା ନିର୍ବାଚିତ ରାଜନୀତି ପାଇଁ ନୁହଁ । ଏହା କେବଳ ନାରୀଙ୍କ ନ୍ୟାୟ ପାଇଁ ଆମେ ଲଢ଼ୁଛୁ ।

ସରକାର ନା କିଛି କରୁଛନ୍ତି ନା ଗାଦି ଛାଡ଼ୁଛନ୍ତି । ତେଣୁ ମୁଖ୍ୟ ବିରୋଧି ଦଳ ହିସାବରେ ବିଜେଡ଼ି ଅନାସ୍ଥା ପ୍ରସ୍ତାବ ଆଣୁ ଏବଂ କଂଗ୍ରେସ ତାକୁ ସମର୍ଥନ କରିବ । ଯଦି ନ ଆଣୁଛି ତେବେ କଂଗ୍ରେସ ଅନସ୍ଥା ପ୍ରସ୍ତାବ ଆଣିବ ଏବଂ ବିଜେଡ଼ି ସମର୍ଥନ କରୁ । ଯଦି ବିଜେଡ଼ି କିଛିବି କରେନାହିଁ ତେବେ ନାରୀଙ୍କ ନ୍ୟାୟ ପାଇଁ ମୂଲ୍ୟହୀନ ପ୍ରହସନ ରାଜରାସ୍ତାରେ ବନ୍ଦ କରୁ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ ଯେ ସ୍ୱାଧୀନତାକୁ ୭୫ବର୍ଷ ବିତିଯାଇଥିଲେ ସୁଦ୍ଧା ଏଭଳି ଲଜ୍ଜାଜନକ ଘଟଣା ସବୁ ଘଟୁଛି ଏବଂ ଆଇନ ଶୃଙ୍ଖଳାକୁ ସମ୍ଭାଳିବାରେ ସରକାର ବିଫଳ ହେଉଛନ୍ତି । ଓଡ଼ିଶାର ବିଜେପି ସରକାର ବିରୋଧରେ କଂଗ୍ରେସ ଯେଉଁ ଅଭିଯୋଗ ଆଣିଥିଲା ସୁପ୍ରିମକୋର୍ଟ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଆଜି ମୋହର ଲଗାଇଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ଭତ୍ସନାପରେ ସରକାର ଅନ୍ତତଃ ଇସ୍ତଫା ଦେଇଦେବା ଉଚିତ । ଏହା ସହିତ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଲେ ଯେ ସ୍ୱତଃପ୍ରବୃତ ଭାବେ ଓଡ଼ିଶାର ଜନସାଧାରଣ ଯେଭଳି ଶାନ୍ତପୂର୍ଣ୍ଣ ବନ୍ଦକୁ ସଫଳ କଲେ ଏହା ଜଣାଇ ଦେଉଛି ଯେ ଓଡ଼ିଶାର ଜନସାଧାରଣ ଅନ୍ୟାୟ, ଅତ୍ୟାଚାରକୁ ବରଦାସ୍ତ କରିବେ ନାହିଁ ।

ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତରରେ ପିସିସି ସଭାପତି ଶ୍ରୀ ଦାସ ଡବଲ ଇଞ୍ଜିନ ସରକାରର ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ କେହି ମଧ୍ୟ ଲଜ୍ଜିତ ନୁହଁନ୍ତି, ଯଦି ଥା’ନ୍ତେ ତେବେ ଘଟୁଥିବା ନାରୀ ଅତ୍ୟାଚାର ବାବଦରେ ରାଜ୍ୟବାସୀଙ୍କୁ ପଦୁଟିଏ ନିଶ୍ଚିତ କହିଥାନ୍ତେ । ଦମ ଯଦି ଅଛି ତେବେ ଛାତିଫାଡ଼ି ନ୍ୟାୟଦିଅ । ନହେଲେ ହଟିଯାଅ ବୋଲି ସେ ସରକାରଙ୍କୁ ଆହ୍ୱାନ କରିଥିଲେ । ଗଣମାଧ୍ୟମର ଅନ୍ୟ ଏକ ପ୍ରସଙ୍ଗର ଉତ୍ତର ରଖି ସଭାପତି ଶ୍ରୀ ଦାସ କହିଲେ ଯେ ନବୀନ ସବୁବେଳେ ଅନ୍ଧକାର ଭିତରେ।ତାଙ୍କୁ ଭେଟିବାକୁ କେବଳ ଜଣଙ୍କୁ ଅନୁମତି ଅଛି । ଭଗବାନ କରନ୍ତୁ ଆମେ ଆହ୍ୱାନ କରିଥିବା ଅନାସ୍ଥା ପ୍ରସ୍ତାବ ବିଷୟ ତାଙ୍କ ପାଖରେ ପହଞ୍ଚୁ ।

ମୁଁ ପିସିସି ସଭାପତି ଦାୟିତ୍ୱ ନେବ ପରଠୁ ଦୀର୍ଘ ୫ ମାସ ହେଲା ପରିବାର ସହିତ ଶାନ୍ତିରେ ଦିନଟିଏ ମଧ୍ୟ ବିତାଇ ପାରିନି । ଅନବରତ ରାଜ୍ୟ ଜନତାଙ୍କ ପାଇଁ କାମ କରି ଚାଲିଛି । ଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ପରଦିନଠୁ ଯେଭଳି ରାଜ୍ୟରେ ନାରୀ ନିର୍ଯାତନା ଘଟି ଚାଲିଛି ମୋତେ ଘୋର ବ୍ୟଥିତ କରିବା ସହିତ ଲଜ୍ଜା ଅନୁଭୁତ ହେଉଛି । ତେଣୁ ନାରୀ ନ୍ୟାୟ ଆନ୍ଦୋଳନ ବର୍ତ୍ତମାନ ରାଜ୍ୟର ପ୍ରଥମ ଆବଶ୍ୟକତା ଚିନ୍ତାକରି କଂଗ୍ରେସ ଦଳ ନାରୀ ନ୍ୟାୟ ଆନ୍ଦୋଳନ ଆରମ୍ଭ କଲା । କେତେବେଳେ କେମିତି ମୋ ବକ୍ତବ୍ୟ କଡ଼ା ହୋଇଯାଏ କିନ୍ତୁ ଏହା ସରକାରଙ୍କୁ କ୍ରିୟାଶୀଳ କରିବା ହେଉଛି ମୋର ଉଦ୍ଦେଶ୍ୟ । କାହାକୁ ବ୍ୟକ୍ତିଗତ କହେନି ଯାହାବି କହେ ରାଜ୍ୟର ସ୍ୱାର୍ଥରେ କୁହେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ।

 ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପ ସଭାପତି ତାରା ପ୍ରସାଦ ବାହିନୀପତି,ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର,ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି,ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଓ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।