ନୂଆପଡା : ନୂଆପଡା ଉପନିର୍ବାଚନରେ ବିଜୁ ଜନତା ଦଳର ବିଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ଉପସଭାପତି ତଥା ବିଧାୟକ ଡ଼. ଅରୁଣ ସାହୁ । ଗତ ୨୫ ବର୍ଷରେ ହୋଇଥିବା ଉପନିର୍ବାଚନ ଗୁଡିକରେ ୯୦ ପ୍ରତିଶତ ସଫଳତା ପାଇବାରେ ବିଜୁ ଜନତା ଦଳର ରେକର୍ଡ ରହିଛି । ନୂଆପଡା ଉପନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ପ୍ରଚାରରେ ବିଜେପି ଦଳ ନେତାମାନେ ନିର୍ବାଚନ ମୈଦାନକୁ ନ ଆସିକି ବହୁତ କଥା କହୁଥିଲେ କିନ୍ତୁ ବର୍ତ୍ତମାନ ନୂଆପଡାବାସୀ କହୁଛନ୍ତି ବିଜେଡିର ବିଜୟ ସୁନିଶ୍ଚିତ ।
ବିଜୁ ଜନତା ଦଳ ପ୍ରଚାର ପ୍ରସାରରେ ବହୁତ ଆଗରେ ରହିଛି । ବର୍ତ୍ତମାନ ନୂଆପଡାର ସମସ୍ତ ବ୍ଲକ, ମୁ୍ୟନିସିପାଲଟି, ଏନ୍ଏସି, ପଞ୍ଚାୟତ, ଗାଁ, ଗଳିକନ୍ଦି ଓ ସାହିମାନଙ୍କରେ ବିଜେଡି ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଦଳ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ବିଜେପି ସରକାର ଚରମ ବିଫଳ । ବିଫଳତାର ସବୁ ରେକର୍ଡ ଭାଙ୍ଗୁଛି ବିଜେପି ସରକାର । ୫୦୦ ଦିନ ହେଲା ଡବଲ ଇଂଜିନ ସରକାର ନୂଆପଡାରେ ମାଟି ଗାଣ୍ଡୁଏ ମଧ୍ୟ ପକେଇ ନାହିଁ । ସାଧାରଣ ନିର୍ବାଚନ ପୂର୍ବରୁ ମାଳ ମାଳ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କୌଣସି ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି । ସେହିଭଳି ନୂଆପଡା ଉପନିର୍ବାଚନରେ ବିଜେପି ନେତାମାନେ ନୂଆପଡା ପାଇଁ ବହୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ।
ଉପନିର୍ବାଚନରେ ନୂଆପଡାବାସୀ ବିଜୁ ଜନତା ଦଳକୁ ବିପୁଳ ଭୋଟ ଦେଇ ସମଗ୍ର ଓଡିଶାକୁ ସଂକେତ ଦେବେ ଯେ, ବିଜେପି ସରକାର ସମସ୍ତ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଆଗାମୀ ଦିନରେ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓଡ଼ିଶାରେ ସରକାର ଗଢ଼ିବା ସହ ରାଜ୍ୟରେ ପୁଣି ଥରେ ସୁଶାସନ ଫେରି ଆସିବ ।
ଖାଲି ବାହାସ୍ପୋଟ ମାରି କଥା କହିବାରେ ସୀମିତ ବିଜେପି ସରକାର । ସାଧାରଣ ଲୋକଙ୍କ ସାମଗ୍ରୀକ ବିକାଶ ପ୍ରତି ସେମାନଙ୍କ ନିଘା ନାହିଁ । ପରିଣାମ ସ୍ୱରୁପ ରାଜ୍ୟରେ ଦୁର୍ନୀତି, ଦୁଷ୍କର୍ମ ଓ ଅପରାଧ ବଢିବାରେ ଲାଗିଛି । ତେଣୁ ଏହି ବିଫଳ ସରକାରଙ୍କୁ ଜବାବ ଦେବା ପାଇଁ ନୂଆପଡା ଉପନିର୍ବାଚନ ହେଉଛି ଉପଯୁକ୍ତ ସମୟ ବୋଲି ଶ୍ରୀ ସାହୁ କହିଥିଲେ ।

