Home News in Odia ବିଜେଡିର ନୂଆ ଗଣମାଧ୍ୟମ ଟିମ୍‍

ବିଜେଡିର ନୂଆ ଗଣମାଧ୍ୟମ ଟିମ୍‍

ଭୁବନେଶ୍ୱର : ନିର୍ବାଚନରେ ପରାଜୟ ପରେ ବିଜୁ ଜନତା ଦଳ (ବିଜେଡି) ଆଜି ତାହାର ନୂଆ ଗଣମାଧ୍ୟମ ଟିମ୍‍ ଗଠନ କରିଛି । ନୂଆ ଟିମରେ ବରିଷ୍ଠ ଗଣମାଧ୍ୟମ ସଂଯୋଜକ ଦାୟିତ୍ୱ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦିଆଯାଇଥିବାବେଳେ ସୋସିଆଲ ମିଡିଆ ଦାୟିତ୍ୱରେ ସ୍ୱୟଂ ପ୍ରକାଶ ରହିଛନ୍ତି । ସେହିଭଳି ଡକ୍ଟର ଲେନିନ ମହାନ୍ତି ଓ ଡକ୍ଟର ପ୍ରିୟବ୍ରତ ମାଝି ଗଣମାଧ୍ୟମ ସଂଯୋଜକ ଭାବେ କାର୍ଯ୍ୟ କରିବେ ।

ସେହଭଳି ରାଜ୍ୟ ସ୍ତରୀୟ ନୂଆ ମୁଖପାତ୍ର ତାଲିକା ଦଳ ପକ୍ଷରୁ ପ୍ରକାଶ ପାଇଛି । ଏଥିରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ଡକ୍ଟର ଅରୁଣ କୁମାର ସାହୁ, କ୍ୟାପଟେନ୍‍ ଦିବ୍ୟ ଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ଲେଖାଶ୍ରୀ ସାମନ୍ତ ସିଂହାର, ସୁଦାମ ମାରାଣ୍ଡି, ସୁଲତା ଦେଓ, ରମେଶ ଚନ୍ଦ୍ର ମାଝି, ଭୃଗୁ ବକ୍ସିପାତ୍ର ଓ ଡକ୍ଟର ଲେନିନ୍‍ ମହାନ୍ତି ପ୍ରମୁଖ ସ୍ଥାନ ପାଇଛନ୍ତି ।

ସେହିଭଳି ରାଷ୍ଟ୍ରୀୟ ମୁଖପାତ୍ର ତାଲିକାରେ ୫ଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର, କଳିକେଶ ନାରାୟଣ ସିଂହ ଦେଓ, ଡକ୍ଟର ଅମର ପଟ୍ଟନାୟକ, ଡକ୍ଟର ସସ୍ମିତ ପାତ୍ର ଓ ପ୍ରଦୀପ କୁମାର ମାଝି ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ପୂର୍ବତନ ଲୋକସମ୍ପର୍କ ଅଧିକାରୀ ସୁକାନ୍ତ କୁମାର ପଣ୍ଡାଙ୍କୁ ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ଲୋକସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ କଟକ ଲୋକସଭା ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଥିବା ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ ଶ୍ରୀ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ମିଳିଛି ।

ବିଜୁ ଜନତା ଦଳ ଅଫିସରେ ଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହଟାଇ ଦିଆଯାଇଛି । ଜିଲ୍ଲା ସ୍ତରରେ ଦଳୀୟ କାର୍ଯ୍ୟାଳୟରେ ନିଯୁକ୍ତ କର୍ମକର୍ତ୍ତାମାନେ ସେମାନଙ୍କ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଛି ।