Home News in Odia ବିଜେଡିରୁ ଦୁଇ ବିଧାୟକ ନିଲମ୍ବିତ

ବିଜେଡିରୁ ଦୁଇ ବିଧାୟକ ନିଲମ୍ବିତ

ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ତାହାର ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଛି । ସେମାନେ ହେଲେ ଚମ୍ପୁଆର ବିଧାୟକ ସନାତନ ମହାକୁଡ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ସନାତନ ଦ୍ୱିତୀୟଥର ପାଇଁ ବିଧାନସଭାକୁ ଆସିଥିବାବେଳେ ଅରବିନ୍ଦଙ୍କ ପ୍ରଥମଥର ପାଇଁ ବିଧାୟକ ହୋଇଛନ୍ତି । ଦଳ ବିରୋଧି କାର୍ଯ୍ୟପାଇଁ ଉଭୟଙ୍କୁ ନିଲମ୍ବନ କରାଯାଇଥିବା ବିଜେଡି ଦର୍ଶାଇଥିବାବେଳେ ଦୁଇ ବିଧାୟକ କିନ୍ତୁ ଏଭଳି ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି ।

ଆଜି ସଂଧ୍ୟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଗଣମାଧ୍ୟକୁ ଦିଆଯାଇଥିବା ଏହି ନିଲମ୍ବନ ଆଦେଶରେ ଦଳ ବିରୋଧି କାର୍ଯ୍ୟପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଦର୍ଶାଯାଇଛି । ତେବେ ଉଭୟ ସନାତନ ଓ ଅରବିନ୍ଦ କିନ୍ତୁ ଏହାକୁ ଆଗ୍ରାହ୍ୟ କରିଦେଇଛନ୍ତି । କ’ଣ ପାଇଁ ସେମାନଙ୍କୁ ଦଳରୁ ନିଲମ୍ବନ କରାଗଲା ତାହା ଜାଣିନାହାନ୍ତି ବୋଲି କହିଛନ୍ତି । ଉଭୟ ବିଧାୟକ ମଧ୍ୟ ନିଜ ନିଜ ନିର୍ବାଚନମଣ୍ଡଳୀ ପାଇଁ ସେମାନଙ୍କର କାର୍ଯ୍ୟ ଜାରି ରଖିବେ ବୋଲି ମତ ଦେଇଛନ୍ତି ।

ତେବେ ଗତ କିଛିଦିନ ହେଲା ଚମ୍ପୁଆ ବିଧାୟକ ଶ୍ରୀ ମହାକୁଡ ଖୋଲାଖୋଲି ଭାବେ ବିଜେଡି ସରକାର ବିରୁଦ୍ଧରେ ବିଷୋଦଗାର ଆରମ୍ଭ କରିଥିଲେ । ବିଜେଡି ଅମଳରେ କେନ୍ଦୁଝରରେ ସେଭଳି କିଛି କାର୍ଯ୍ୟ ହେଉନାହିଁ ବୋଲି ମତ ଦେଉଥିଲେ । କିନ୍ତୁ ଅରବିନ୍ଦ ମହାପାତ୍ର ଏଭଳି କୌଣସି ମନ୍ତବ୍ୟ ଦେଇନଥିଲେ । ଗତ ବିଧାନସଭା ଅଧିବେଶନ କାଳରେ ଶାସକଦଳକୁ କାଉଣ୍ଟର କରିବାକୁ ଯାଇ ବାରମ୍ବାର ଆଲୋଚନାରେ ସମୟ ନଷ୍ଟ ନକରି ସାହସ ଥିଲେ ୫-ଟି ସଚିବଙ୍କ କାର୍ଯ୍ୟର ତଦନ୍ତ ସହିତ ମାମଲା ରୁଜୁ ପାଇଁ ଆହ୍ୱାନ ଦେଇଥିଲେ ।

ଦୁଇ ବିଧାୟକ କି ପ୍ରକାର ଦଳ ବିରୋଧି କାର୍ଯ୍ୟ କରିଛନ୍ତି ତାହା ସ୍ପଷ୍ଟ ହେଉନଥିବାବେଳେ ବିଜେଡିର ଜଣଙ୍କ ପରେ ଜଣେ ନେତା କିନ୍ତୁ ନିଲମ୍ବନକୁ ସଠିକ୍‍ ଦର୍ଶାଇ ଦଳରେ ବିଶ୍ୱାସଘାତକଙ୍କ ସ୍ଥାନ ନାହିଁ ବୋଲି ମତ ଦେଉଛନ୍ତି । ହେଲେ ଅସଲ କାରଣ ସଂକ୍ରାନ୍ତରେ ମୁହଁ ଖୋଲୁ ନାହାନ୍ତି । ଏହାର କିଛି ସମୟ ପରେ ବିଜେଡି ମଧ୍ୟ ଏକ ପ୍ରେସ୍‍ ରିଲିଜ ଜାରି କରି ନବୀନଙ୍କ ସହିତ ବିଧାୟକମାନେ ଥିବାବେଳେ ଦଳ ବିରୋଧିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି କହିଛି ।

ଦୁଇ ବିଧାୟକଙ୍କୁ ନିଲମ୍ବନ ସହିତ ତତ୍କାଳ ଏ ସଂକ୍ରାନ୍ତରେ ବିଧାନସଭାର ବାଚସ୍ପତିଙ୍କୁ ବିଜେଡି ଅବଗତ କରିଛି । ଫଳରେ ବିଧାନସଭାରେ ଦଳର ବିଧାୟକଙ୍କ ସଂଖ୍ୟା ୪୮କୁ ହ୍ରାସପାଇଛି । ଗତ ନିର୍ବାଚନରେ ଦଳ ୫୧ଜଣ ବିଧାୟକ ବିଜୟୀ ହୋଇଥିବାବେଳେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁପରେ ସେହି ଆସନଟି ବିଜେପି ହାତକୁ ଚାଲିଯିବାପରେ ଦଳର ବିଧାୟକ ସଂଖ୍ୟା ୫୦କୁ ହ୍ରାସ ପାଇଥିଲା । ଏବେ ଦୁଇ ବିଧାୟକଙ୍କ ନିଲମ୍ବନ ପରେ ତାହା ୪୮କୁ ଖସି ଆସିଲା । ଆସନ୍ତା ଏପ୍ରିଲ ମାସରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନରେ ନିଲମ୍ବିତ ଦୁଇ ବିଧାୟକଙ୍କ ଭୋଟ କାହା ପଟକୁ ଯିବ ତାହାକୁ ନେଇ ଏବେଠାରୁ ଆକଳନ ଆରମ୍ଭ ହୋଇଗଲାଣି ।