ଭୁବନେଶ୍ୱର : ଗୋଟିଏ ନୁହେଁ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏକଦା ଗଢିଥିବା କଳିଙ୍ଗ ଏୟାରୱେଜ୍ ୧୪ଟି ବିମାନ ଚଳାଉଥିଲା । ଏଥିରୁ ୪ଟିର ମାଲିକାନା ବିଜୁ ବାବୁଙ୍କ ନାମରେ ଥିବାବେଳେ ଆଉ ୧୦ଟି ବିଭିନ୍ନ ସ୍ଥାନରୁ ଭଡାରେ ଆଣି ଉଡାଯାଉଥିଲା । କଳିଙ୍ଗ ଏୟାର୍ୱେଜ୍ର ବିମାନଗୁଡିକ ଯାତ୍ରୀ ପରିବହନ ସହ ସାମରିକ କାର୍ଯ୍ୟରେ ମଧ୍ୟ ସହଯୋଗ ଦେଉଥିଲେ ।
କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନବନ୍ଦର ପରିସରରେ ବର୍ଷ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ବିଜୁବାବୁଙ୍କ ବ୍ୟବହୃତ ଏକ ଡାକୋଟା ବିମାନକୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ପରିସରକୁ ଅଣାଯାଇଥିବା ପରିପ୍ରେକ୍ଷୀରେ ଏହି ଡାକୋଟାର ଇତିହାସ ସମ୍ପର୍କରେ ଜାଣିବା ଲାଗି ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି ।
ଏଠାରେ ଉଲ୍ଲେଖନୀୟ ଯେ, ରେଭେନ୍ସା କଲେଜରେ ବିଏସ୍ସି ପଢୁଥିବାବେଳେ ବିଜୁବାବୁ ପାଇଲଟ୍ ଟ୍ରେନିଂ ପାଇଁ ଡିଗ୍ରୀ ପାଠ୍ୟକ୍ରମରେ ଡୋର ବାନ୍ଧିଥିଲେ । ସଫଳତାର ସହ ପାଇଲଟ୍ ତାଲିମ ହାସଲ କରିବା ପରେ ୧୯୩୬ ମସିହାରେ ସେ ଇଂରେଜ ସରକାରଙ୍କ ଇଣ୍ଡିଆନ୍ ନ୍ୟାସନାଲ୍ ଏୟାର୍ୱେଜ୍ରେ ପାଇଲଟ୍ ରୁପେ ଯୋଗଦେଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନିଜ ଜୀବନକୁ ବାଜି ଲଗାଇ ବିଜୁବାବୁ ଜାପାନୀମାନଙ୍କ କବଳରୁ ଅନେକ ଇଂରେଜଙ୍କ ଜୀବନ ରକ୍ଷା କରିଥିଲେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହ ତାଙ୍କର ଥିବା ଗୁପ୍ତ ସମ୍ପର୍କର ଖବର ପାଇ ବ୍ରିଟିଶ ସରକାର ତାଙ୍କୁ ୧୯୪୩ ଜାନୁୟାରୀ ୧୨ ତାରିଖରେ ଗିରଫ କରିଥିଲା । ଜେଲ୍ରୁ ମୁକ୍ତ ହେବାପରେ ସେ ନିଜ ଉଦ୍ୟମରେ କଳିଙ୍ଗ ଏୟାରୱେଜ୍ ସହିତ ଭୁବନେଶ୍ୱରରେ ଏକ ପାଇଲଟ୍ ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ଦେଉଥିଲେ ।
୧୯୪୭ରେ ଦେଶର ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ସେତେବେଳର ମଧ୍ୟବର୍ତ୍ତିକାଳୀନ ସରକାରଙ୍କ ନିମନ୍ତ୍ରଣକ୍ରମେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଇଣ୍ଟର ଏସିଆନ୍ ରିଲେସନ୍ସ କନ୍ଫରେନ୍ସକୁ ମୁସଲିମ୍ ଲିଗ୍ ବର୍ଜନ କରିଥିବାବେଳେ ଦେଶ ବିଦେଶର ପ୍ରାୟ ୧୦ହଜାର ପ୍ରତିନିଧି ଦିଲ୍ଲୀରେ ଅନୁଷ୍ଠିତ ଏହି ଅଧିବେଶନକୁ ଆସିଥିଲେ । କିନ୍ତୁ ଡଚ୍ମାନଙ୍କ କବଳରୁ ମୁକୁଳି ଇଣ୍ଡୋନେସିଆର ଉପସଭାପତି ମହମ୍ମଦ ହଟ୍ଟା ଓ ପ୍ରଧାନମନ୍ତ୍ରୀ ଡ. ସାରିୟର ଏହି ସମ୍ମିଳନୀରେ ଯୋଗ ଦେଇପାରିନଥିବା ପରିପ୍ରେକ୍ଷୀରେ ନେହେରୁଙ୍କ ନିର୍ଦ୍ଦେଶକ୍ରମେ ବିଜୁବାବୁ ତାଙ୍କ ଡାକୋଟା ବିମାନରେ ପତ୍ନୀ ଜ୍ଞାନଦେବୀଙ୍କୁ ସାଙ୍ଗରେ ନେଇ ଇଣ୍ଡୋନେସିଆ ଯାଇ ସେଠାକାର ପ୍ରତିନିଧିଙ୍କୁ ଭାରତ ଆଣିବା ଭଳି ଦୁଃସାହସିକ କାର୍ଯ୍ୟ କରିଥିଲେ । ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମରେ ସେଠାକାର ନେତା ସୁକର୍ଣ୍ଣଙ୍କୁ ବିଜୁବାବୁ ସହାୟତା କରିଥିବା ପରିପ୍ରେକ୍ଷୀରେ କୃତଜ୍ଞତାର ସ୍ୱରୂପ ସେଠାକାର ସରକାର ବିଜୁବାବୁଙ୍କୁ ସମ୍ମାନୀତ କରିବା ସଙ୍ଗେ ସଙ୍ଗେ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲେ ।
ପାକିସ୍ତାନ ଓ ଚୀନ୍ ଯୁଦ୍ଧ ସମୟରେ ଇଣ୍ଡୋନେସିଆକୁ ଭାରତ ପକ୍ଷରେ ରଖିବା କ୍ଷେତ୍ରରେ ବିଜୁବାବୁଙ୍କ ଭୂମିକାକୁ କେନ୍ଦ୍ର ସରକାର ବେଶ୍ ତାରିଫ୍ କରିଥିଲେ । ବିଜୁବାବୁଙ୍କ ଡାକୋଟା ବିମାନ ପାକିସ୍ତାନ ଓ ଚୀନ ଯୁଦ୍ଧର ଘନଘଟା ମଧ୍ୟରେ ଯୁଦ୍ଧକ୍ଷେତ୍ର ଉପରେ ଉଡି ସେନାବାହିନୀଙ୍କୁ ସହଯୋଗ କରିଥିଲା । ସେତେବେଳେ ବି ବିଜୁବାବୁଙ୍କ କଳିଙ୍ଗ ଏୟାରୱେଜ୍ର ଡାକୋଟା ବିମାନ ଚର୍ଚ୍ଚାରେ ଥିଲା । ଏ ପ୍ରସଙ୍ଗରେ ନିଜେ ବିଜୁବାବୁ ବାରମ୍ବାର ଉଲ୍ଲେଖ କରିଥିବାବେଳେ ତାଙ୍କ ଜୀବନୀକାରମାନେ ମଧ୍ୟ ବିଜୁବାବୁଙ୍କର ଡାକୋଟାର କରାମତି ସମ୍ପର୍କରେ ବହୁସ୍ଥଳରେ ଉଲ୍ଲେଖ କରିଛନ୍ତି ।
ନେପାଳର ରାଜତନ୍ତ୍ର ଶାସନ ବିରୁଦ୍ଧରେ ବିଦ୍ରୋହୀମାନଙ୍କୁ ସାମରିକ ସାହାଯ୍ୟ ଯୋଗାଇବା କ୍ଷେତ୍ରରେ ବିଜୁବାବୁଙ୍କର ଭୂମିକା ଥିବା ଐତିହାସିକମାନେ ଉଲ୍ଲେଖ କରିଛନ୍ତି । ତେବେ ବିଜୁବାବୁଙ୍କ ଡାକୋଟା ବିମାନକୁ ଖଣ୍ଡ ଖଣ୍ଡ କରି କାଟି ତିନୋଟି ଲରିରେ କଲିକତାରୁ ଭୁବନେଶ୍ୱର ଅଣାଯାଇଛି ଏବଂ ଏଠାକାର ବିମାନବନ୍ଦର ପରିସରରେ ଏଗୁଡିକୁ ଯୋଡାଯାଇ ରଙ୍ଗ କରାଯିବା ପରେ ସଂରକ୍ଷିତ କରି ରଖାଯିବ ବୋଲି ଜଣାପଡିଛି । (ତଥ୍ୟ)