ଭୁବନେଶ୍ୱର : ଅନ୍ୟ ରାଜ୍ୟକୁ ବିଜୁଳି ବିକି ଶକ୍ତି ବିଭାଗ ମାଲେମାଲ ହେଉଥିବାବେଳେ ନିଜ ରାଜ୍ୟରେ ହେଉଥିବା ବିଜୁଳି କ୍ଷତିକୁ କିନ୍ତୁ ଆଖିଦୃଶିଆ ଭାବେ ରୋକାଯାଇ ପାରୁ ନାହିଁ । ବର୍ଷକୁ ଦେଢ ହଜାର କୋଟି ଟଙ୍କାର ବିଜୁଳି ଅନ୍ୟ ରାଜ୍ୟକୁ ବିକ୍ରି କରୁଥିବାବେଳେ ବିଦ୍ୟୁତ୍ ବଣ୍ଟନ ଓ ପରିବହନ ଜନିତ କ୍ଷତି ରୋକିବାରେ କିନ୍ତୁ ଓଡିଶାର ଦେଶର ଷଷ୍ଠ ରୁ ୨୯ ତମ ସ୍ଥାନରେ ଭିତରେ ରହିଛି ।
ଓଡିଶା ବଳକା ବିଦ୍ୟୁତ୍ ରାଜ୍ୟ ହୋଇଥିବାରୁ ଗ୍ରିଡ୍କୋ ଜରିଆରେ ଅନ୍ୟ ରାଜ୍ୟକୁ ବିଜୁଳି ବିକ୍ରି କରୁଛି । ବିଜୁଳି ବିକ୍ରିର ପରିମାଣ ବର୍ଷକୁ ୩୪୪ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୬୫୧ କୋଟି ଟଙ୍କାକୁ ଟପିଗଲାଣି । ୨୦୧୯-୨୦ ବର୍ଷରେ ଓଡିଶା ଅନ୍ୟ ରାଜ୍ୟକୁ ୧୨୮୫ ନିୟୁତ ୟୁନିଟ୍ ବିଜୁଳି ବିକ୍ରିକରି ୩୪୪ କୋଟି ଟଙ୍କାର ରାଜସ୍ୱ ପାଇଥିଲା । ୨୦୨୩-୨୪ ବର୍ଷରେ ଏ ବାବଦୀୟ ରାଜସ୍ୱ ପରିମାଣ ୧୧୨୯ କୋଟି ଟଙ୍କାକୁ ଟପିଥିବାବେଳେ ୨୦୨୪-୨୫ ବର୍ଷରେ ମିଳିଥିବା ରାଜସ୍ୱ ପରିମାଣ ୧୬୫୧ କୋଟି ୫୯ଲକ୍ଷ ଟଙ୍କାରେ ପହଞ୍ଚିଛି ।
ଓଡିଶାରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଟାଟା ପାୱାର ହାତକୁ ଯିବାପରେ ଗ୍ରାହକମାନେ କିଭଳି ଠିକଣା ସେମାନଙ୍କର ବିଲ୍ ପଇଠ କରିବେ ତାହା ଉପରେ ଗୁରୁତ୍ୱ ଦିଆଯିବା ସହିତ ପୁରସ୍କାର ବ୍ୟବସ୍ଥା ବି ରହିଛି । ଏଥିଯୋଗୁଁ ପୂର୍ବାପେକ୍ଷା ଅଧିକ ପରିମାଣରେ ବିଦ୍ୟୁତ୍ ବିଲ୍ ଠିକଣା ସମୟରେ ଆଦାୟ ହୋଇପାରୁଛି । ଏହାଛଡା ବିତରଣ କମ୍ପାନୀ ଦାୟିତ୍ୱ ନେବା ପୂର୍ବର ବାକିଆ ଅର୍ଥ ବି ଆଦାୟ କରୁଛି ।
ଏତେ ସବୁ ସତ୍ୱେ ବିଦ୍ୟୁତ୍ ବଣ୍ଟନ ଓ ପରିବହନ ଜନିତ କ୍ଷତିକୁ ଯେଭଳି ରୋକଯିବା କଥା ତାହା ହୋଇପାରୁ ନାହିଁ । ଟାଟା ପାୱାରର ଟିପିସିଓଡିଏଲ୍ ଏହି କ୍ଷତି ରୋକିବା କ୍ଷେତ୍ରରେ ଦେଶର ୨୯ତମ ସ୍ଥାନରେ ରହିଛି । ଏହି ସଂସ୍ଥାର ପରିବହନ ଓ ବଣ୍ଟନ ଜନିତ କ୍ଷତିର ପରିମାଣ ୨୩.୩୬ ପ୍ରତିଶତ ରହିଛି ଯାହାକି ଅନ୍ୟ ତିନି ସଂସ୍ଥା ତୁଳନାରେ ଅଧିକ । ଟିପିସିଓଡିଏଲ୍ର କ୍ଷତି ପରିମାଣ ୧୯.୧୧ ପ୍ରତିଶତ ଥିବାବେଳେ ଟିପିଡବ୍ଲୁଓଡିଏଲ୍ର କ୍ଷତିର ପରିମାଣ ୧୬.୨୩ ପ୍ରତିଶତ ଏବଂ ଟିପିଏନଓଡିଏଲ୍ର କ୍ଷତିର ପରିମାଣ ୧୨୪୬ ପ୍ରତିଶତ ରହିଛି ।
ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ସଜାଡିବାପାଇଁ କାପେକ୍ସ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଦ୍ୟୁତ୍ ବଣ୍ଟନକାରୀ ସଂସ୍ଥାମାନେ ୩୩ କେଭି ଓ ୧୧ କେଭି ନେଟୱାର୍କର କ୍ଷତିକୁ ହ୍ରାସ କରିବାପାଇଁ ଜିଆଇସି ଆଧାରିତ ଯୋଜନା ହାତକୁ ନିଆଯାଇଛି । ନୂତନ ଫିଡର ଓ ଇଣ୍ଟରଲକିଂ ସଂଖ୍ୟା ବୃଦ୍ଧି କରାଯାଉଛି । ନୂତନ ଗ୍ରିଡ୍ ଏବଂ ପିଏସଏସ ସ୍ଥାପନ, ଅତିରିକ୍ତ ଲୋଡର ଆବଶ୍ୟକତା ପୂରଣ ପାଇଁ ନୂତନ ପିଏସଏସ ନିର୍ମାଣ କରାଯାଉଛି । ଅତିରିକ୍ତ ଜିଏସଏସ ଆବଶ୍ୟକତା ସମ୍ବନ୍ଧରେ ଓପିଟିସିଏଲ୍ ସହିତ ଆଲୋଚନା କରାଯାଉଛି ।
ଏତେ ସବୁ ସତ୍ୱେ ବି ରାଜ୍ୟରେ ବିଦ୍ୟୁତ ପରିବହନଓ ବଣ୍ଟନ ଜନିତ କ୍ଷତିକୁ କିନ୍ତୁ ଆଖିଦୃଶିଆ ହ୍ରାସ କରାଯାଇ ପାରୁନାହିଁ । ଅତୀତରେ ଏଭଳି କ୍ଷତିକୁ ହ୍ରାସ ପାଇଁ ବିଶ୍ୱବ୍ୟାଙ୍କ୍ରୁ ଋଣ ଆସି ତତ୍କାଳୀନ ବଣ୍ଟନକାରୀ ସଂସ୍ଥାଗୁଡିକ ଯୋଗାଇ ଦିଆଯିବା ସହିତ ଲକ୍ଷ୍ୟଧାର୍ଯ୍ୟ ଓ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେଥିରୁ ସେଭଳି ସୁଫଳ ମିଳିନଥିଲା । ବର୍ତ୍ତମାନର ଘରୋଇକରଣ ବ୍ୟବସ୍ଥା ବି କ୍ଷତିକୁ ରୋକିବାରେ ସେତେଟା ସଫଳ ହୋଇପାରୁ ନାହିଁ । ଫଳରେ ଏ ବାବଦୀୟ ବୋଝ ପରୋକ୍ଷରେ ରାଜ୍ୟର ଖାଉଟିମାନେ ବହନ କରୁଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)