Home Energy ବିଜୁଳି ଦର ବଢାଇବାକୁ ଗ୍ରିଡକୋର ମସୁଧା

ବିଜୁଳି ଦର ବଢାଇବାକୁ ଗ୍ରିଡକୋର ମସୁଧା

ଭୁବନେଶ୍ୱର :  ଟାଟା ପାଓ୍ବାରର ଅତିରିକ୍ତ ସୁରକ୍ଷା ଜମା ନୋଟିସକୁ ନେଇ ବିଜୁଳି ଉପଭୋକ୍ତାଙ୍କ ମଧ୍ୟରେ ରାଜ୍ୟବ୍ୟାପି ଅସନ୍ତୋଷ କୁହୁଳୁଥିବାବେଳେ ଏବେ ବୋଝ ଉପରେ ଲଳିତା ବିଡା ଭଳି ଗ୍ରିଡକୋ ବିଜୁଳି ଦର ବଢାଇବାକୁ ପ୍ରସ୍ତାବ ଦେଇଥିବା ସାମ୍ନାକୁ ଆସିଛି । ୟୁନିଟ୍‍ ପିଛା ୫୮ ପଇସା ବଢାଇବାକୁ ଗ୍ରିଡକୋର ପ୍ରସ୍ତାବକୁ ବିରୋଧ କରିଛି ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ।

ଗ୍ରୀଡ଼କୋ ପକ୍ଷରୁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବାର୍ଷିକ ରାଜସ୍ୱ ଆବଶ୍ୟକତା ଦରଖାସ୍ତ  ଓଡିଶା ରାଜ୍ୟ ବିଦ୍ୟୁତ ନିୟମାକ ଆୟୋଗ ପାଖରେ ଗତ ନଭେମ୍ବର ୨୯ତାରିଖ ଦିନ ଦାଖଲ କରାଯାଇଛି । ଏଥିରେ ୟୁନିଟ ପିଛା ୩ଟଙ୍କା ୮୮ପଇସା ହିସାବରେ ୩୯,୦୦୦ ମିଲିୟନ ୟୁନିଟ ବିଜୁଳି ବିକ୍ରି ପାଇଁ ଗ୍ରୀଡ଼କୋ ୧୫,୧୬୧ କୋଟି ଟଙ୍କା ରାଜସ୍ୱ ଆଦାୟ କରିବ ବୋଲି ପ୍ରସ୍ତାବ ରଖିଛି ।

 ଵର୍ତମାନ ବିଜୁଳି ୟୁନିଟ ପିଛା ଗ୍ରାହକଙ୍କ ଠାରୁ ଆବଣ୍ଟନ କମ୍ପାନୀମାନେ ୩ଟଙ୍କା ୩୦ପଇସା ହିସାବରେ ଆଦାୟ କରୁଛନ୍ତି. ଯଦି ଗ୍ରୀଡ଼କୋର ପ୍ରସ୍ତାବିତ ଶୁଳ୍କକୁ ଗ୍ରହଣ କରାଯିବ ତା ହେଲେ ୟୁନିଟ ପିଛା ବିଜୁଳି ଶୁଳ୍କ  ୫୮ପଇସା ବୃଦ୍ଧି ପାଇବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ବୋଲି ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ କୁହାଯାଇଛି ।

ଏହି ପ୍ରସ୍ତାବିତ ଶୁଳ୍କ ବୃଦ୍ଧି ଗ୍ରାହକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ ବୋଲି ମହାସଂଘର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ ଓ ସମ୍ପାଦକ ରବି ବେହେରା କହିଛନ୍ତି । ରାଜ୍ୟର ଏକ କୋଟି ବିଜୁଳି ଉପଭୋକ୍ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଗ୍ରୀଡ଼କୋର ପ୍ରସ୍ତାବିତ ବିଜୁଳି ଶୁଳ୍କ ଗ୍ରହଣୀୟ ନୁହେଁ ଏହାକୁ ପୁନଃ ବିଚାର କରିବାକୁ ଉପଭୋକ୍ତା ମହାସଂଘ ଦାବି କରୁଛି ବୋଲି ଉଭୟ ଶ୍ରୀ କାନୁନଗୋ ଓ ଶ୍ରୀ ବେହେରା ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।