ଭୁବନେଶ୍ୱର : ରାଜ୍ୟର ସଂଖ୍ୟାଧିକ ବିଦ୍ୟୁତ ଗ୍ରାହକ ଚଳିତ ମାସରେ ଏକ ଟଙ୍କା କରି ତଣ୍ଡ ଗଣୁଛନ୍ତି । ସେମାନଙ୍କୁ ବିତରଣ କମ୍ପାନୀ ଯେତିକି ଟଙ୍କାର ବିଲ୍ ଧରାଇଛି ଅନ୍ଲାଇନ୍ରେ ପଇଠ କଲାବେଳକୁ ତାହାଠାରୁ ଏକ ଟଙ୍କା ଅଧିକ କରି ଆଦାୟ କରୁଛି ।
ଚଳିତ ମାସରେ ବିଦୁତ୍ ବିତରଣ କମ୍ପାନୀମାନେ ଗ୍ରାହକଙ୍କୁ ଯେଉଁ ବିଲ୍ ଧରାଇଛନ୍ତି ସେଥିରେ ପ୍ରାୟ ସମସ୍ତଙ୍କର ଦେୟ ଟଙ୍କାରେ ହିସାବ ହୋଇଛି । ଯେଉଁମାନଙ୍କର ବିଲ୍ରେ ଯେତିକି ଟଙ୍କା ଓ ପଇସା ଆସିଛି ସେଥିରେ ପଇସାକୁ ଅଧିକାକରି ଟଙ୍କାରେ ହିସାବ ହୋଇଛି । ଉଦାହରଣ ଭାବେ ଯଦି ଜଣେ ଗ୍ରାହକଙ୍କର ବିଲ୍ରେ ୧୩୨୯.୬୬ ପଇସା ଦେବାର ଅଛି ତେବେ ବିତରଣ କମ୍ପାନୀରେ ତାହା ମୋଟ୍ ଆକାରରେ ୧୩୩୦ ଟଙ୍କା ଭାବେ ଦର୍ଶାଇ ବିଲ୍ ଧରାଇ ଦେଉଛି ।
ହେଲେ ଅନ୍ଲାଇନ୍ରେ ବିଲ୍ ପଇଠ କଲା ବେଳକୁ ୧୩୩୧ ଟଙ୍କା ଦେବାକୁ କୁହାଯାଉଛି । ବହୁ ସଂଖ୍ୟାରେ ଗ୍ରାହକ ଏଭଳି ଭାବେ ଏକ ଟଙ୍କା ଅଧିକ କରି ପଇଠ କରୁଛନ୍ତି । ଯେହେତୁ ଟଙ୍କାଟିଏ ଅଧିକ ଦେବାକୁ ପଡୁଛି ସେଥିପାଇଁ ପ୍ରାୟତଃ କୌଣସି ଗ୍ରାହକ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି କି ବିତରଣ କମ୍ପାନୀ ନିକଟରେ ଅଭିଯୋଗ ବି କରୁନାହାନ୍ତି ।
ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନଙ୍କୁ କିଛି ସ୍ପଷ୍ଟ ଉତ୍ତର ମିଳୁନାହିଁ । ଗ୍ରାହକସେବା କେନ୍ଦ୍ରର କର୍ମଚାରୀମାନେ ଏହା କମ୍ପ୍ୟୁଟରର ଭୁଲ୍ ଓ ଆସନ୍ତା ମାସର ବିଲ୍ରେ ଏହି ବର୍ଦ୍ଧିତ ଏକ ଟଙ୍କା ଆଡଜଷ୍ଟ ହୋଇଯିବ ବୋଲି କହି ବୁଝାଉଛନ୍ତି । ହେଲେ ଛପେଇ ବିଲ୍ ଓ ଅନଲାଇନ୍ ବିଲ୍ ଭିତରେ କାହିଁକି ଏକ ଟଙ୍କାର ଫରକ ରହୁଛି ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି ।
ଅନ୍ୟ ପକ୍ଷରେ ଏଭଳି ଏକ ଟଙ୍କା ତଣ୍ଡ ଗଣୁଥିବା ବହୁ ଗ୍ରାହକ ଚାହିଁଲେ ବି ବିଦ୍ୟୁତ୍ ବିତରଣ କମ୍ପାନୀ ନିକଟରେ ଅଭିଯୋଗ କରିପାରୁ ନାହାନ୍ତି । କାରଣ ବିତରଣ କମ୍ପାନୀ ଦେଇଥିବା ଟୋଲ୍ ଫ୍ରି ନମ୍ବରରେ କୌଣସି ଅଧିକାରୀଙ୍କ ସହିତ କଥା ହେବା ସମ୍ଭବପର ହେଉନାହିଁ । ଅଧିକାଂଶ ସମୟରେ କଥା ମଝିରେ ବି ଲାଇନ୍ କଟିଯାଉଛି । ନହେଲେ ଅନ୍ଲାଇନ୍ରେ ଅଭିଯୋଗ ଦାଖଲ ପାଇଁ ଗୋଟିଏ ପରେ ଗୋଟିଏ ନମ୍ବର ଦବାଇବାକୁ ବହୁ ସମୟ ଲାଗିଯାଉଛି ।
ଏଭଳି ଭାବେ ଗ୍ରାହକଙ୍କ ଠାରୁ ଟଙ୍କାଟିଏ କରି ଗଣି ନେଉଥିବା ବିତରଣ କମ୍ପାନୀମାନେ ଗୋଟିଏ ମାସରେ ଲକ୍ଷ ଲକ୍ଷ ଟଙ୍କା ଅଧିକ ଉଠାଉଥିବାବେଳେ ଏଥିପ୍ରତି କେହି ସେତେଟା ନଜର ଦେଉ ନାହାନ୍ତି । ଏପରିକି ଯେଉଁମାନେ ଯାଇ ଗ୍ରାହକସେବା କେନ୍ଦ୍ରରେ ଅଭିଯୋଗ କରୁଛନ୍ତି ସେମାନଙ୍କ ନିକଟକୁ ଉତ୍ତର ବି ଆସୁନାହିଁ । ତେଣୁ ଘରୋଇ ଗ୍ରାହକଙ୍କୁ ୭କୋଟି ଟଙ୍କାର ବିଲ୍ ଧରାଇ ଚର୍ଚ୍ଚାରେ ଥିବା ବିତରଣ କମ୍ପାନୀର ଏହି ଟଙ୍କିକିଆ ତଣ୍ଡ ଆଦାୟ ଉପରେ ଓଇଆରସି କର୍ତ୍ତୃପକ୍ଷ ନଜର ଦେବା ସହିତ ଏଭଳି ବେଆଇନ୍ ଅର୍ଥ ଆଦାୟ ବନ୍ଦ ପାଇଁ ଗ୍ରାହକମାନେ ଦାବି କରୁଛନ୍ତି । (ତଥ୍ୟ)