Home Energy ବିଜୁଳି ଖୁଣ୍ଟରୁ ଲକ୍ଷାଧିକ ଆୟ

ବିଜୁଳି ଖୁଣ୍ଟରୁ ଲକ୍ଷାଧିକ ଆୟ

ଭୁବନେଶ୍ୱର : ବିଦ୍ୟୁତ୍‍ ବିତରଣ କମ୍ପାନୀମାନେ ସେମାନଙ୍କୁ ବିଜୁଳି ଖୁଣ୍ଟରେ ବିଭିନ୍ନ କମ୍ପାନୀର ତାର ଟାଣିବା ବାବଦରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଲୋକେ ହଇରାଣ ହରକତ ହେଉଛନ୍ତି । ଛିଣ୍ଡା ତାର ଓ ମୁଣ୍ଡ ଉପରେ ଝୁଲୁଥିବା ବିଭିନ୍ନ କମ୍ପାନୀର ଲୋକଙ୍କ ପାଇଁ ଏବେ କାଳ ହେଲାଣି ।

ରାଜ୍ୟର ସହରାଞ୍ଚଳଗୁଡିକରେ ବିଭିନ୍ନ ଟେଲିକମ୍‍, କେବୁଲ ଟିଭି ଯୋଗାଣକାରୀଙ୍କ ସମେତ ଆଉ କେତେକ ସଂସ୍ଥା ସେମାନଙ୍କ ତାର ଟାଣିବାପାଇଁ ବିଦ୍ୟୁତ୍‍ ଖୁଣ୍ଟକୁ ବ୍ୟବହାର କରୁଛନ୍ତି । ବିଶେଷରେ ଘରୋଇ ଟେଲିଫୋନ୍‍ ଓ ଇଣ୍ଟରନେଟ୍‍ ସେବା ଯୋଗାଣ କରୁଥିବା ସଂସ୍ଥାମାନେ ଏ କ୍ଷେତ୍ରରେ ଆଗରେ ରହିଛନ୍ତି । ରାଷ୍ଟ୍ରାୟତ ସଂସ୍ଥା ବିଏସଏନଏଲ୍‍ ମଧ୍ୟ ବିଜୁଳି ଖୁଣ୍ଟରେ ନିଜର ଅପ୍ଟିକାଲ ଫାଇବର ଟାଣି ଗ୍ରାହକଙ୍କ ଘରେ ପହଞ୍ଚୁଛି ।

ତେବେ ଏହିସବୁ ସଂସ୍ଥାମରେ ବିଦ୍ୟୁତ୍‍ ବିତରଣ କମ୍ପାନୀ ଠାରୁ ଅନୁପତି ପାଇ ତାର ଟାଣିବାପରେ ପରବର୍ତ୍ତୀ ସମୟରେ ଏହି ତାରର କି ସ୍ଥିତି ରହୁଛି ତାହାକୁ ଆନୁ ଅନୁଧ୍ୟାନ କରୁନାହାନ୍ତି । ଏହାର ରକ୍ଷଣା ବେକ୍ଷଣ ତ ଦୂରରକଥା ଆଉ ସେହିସବୁ ଅଞ୍ଚଳକୁ ଆସୁନାହାନ୍ତି । ସେହିଭଳି ଘରୋଇ କମ୍ପାନୀ ଠାରୁ ବିଦ୍ୟୁତ୍‍ ଖୁଣ୍ଟ ଭଡା ବାବଦରେ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ବିଜୁଳି ବିତରଣ କମ୍ପାନୀ ବି ଏହି ତାରକୁ ନିଜର ନୁହେଁ ବୋଲି କହି ଝାଡିଝୁଡି ହୋଇ ବସୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବିତରଣ କମ୍ପାନୀ ଟିପିସିଓଡିଏଲ୍‍ ୨୦୨୨-୨୩ ବର୍ଷରେ ନିଜର ବିଜୁଳି ଖୁଣ୍ଟକୁ ତାର ଟାଣିବା ବାବଦରେ ଭଡା ଲଗାଇ ୨କୋଟି ୨୨ଲକ୍ଷ ଟଙ୍କାରୁ ଅଧିକ ଆୟ କରିଥିବାବେଳେ ୨୦୨୪-୨୫ ବର୍ଷରେ ଏକ କୋଟି ୩୪ଲକ୍ଷ ଟଙ୍କାରୁ ଅଧିକ ଆଦାୟ କରିସାରିଛି । ସେହିଭଳି ଟିପିଡବ୍ଲୁଓଡିଏଲ୍‍ ୨୦୨୧-୨୨ ବର୍ଷରୁ ଲଗାତାର ଭାବେ ଏ ବଦରେ ଟଙ୍କା ଆଦାୟ କରିବାରେ ଲାଗିଛି । କମ୍ପାନୀ ୨୦୨୩-୨୪ ବର୍ଷରେ ୫୦ଲକ୍ଷରୁ ଅଧିକ ଅର୍ଥ ଆଦାୟ କରିଥିବାବେଳେ ୨୦୨୪-୨୫ ର୍ଷରେ ଏହା ୫୨ଲକ୍ଷ ଟଙ୍କାକୁ ଟପିଛି । ସେହିଭଳି ଆଉ ଦୁଇ ବିତରଣ କମ୍ପାନୀ ଟିପିଏନଓଡିଏଲ୍‍ ଏବଂ ଟିପିଏସ୍‍ଓଡିଏଲ୍‍ ମଧ୍ୟ ନିଜ ନିଜର ବିଜୁଳି ଖୁଣ୍ଟକୁ ଭଡାରେ ଲଗାଇ ଲକ୍ଷାଧିକ ଟଙ୍କା ଆଦାୟ କରୁଛନ୍ତି ।

ତେବେ କେଉଁ ଖୁଣ୍ଟରେ କେତେ ପରିମାଣର ତାର କିଭଳି ଟଣାଯିବ ସେଥିପ୍ରତି ବିଦ୍ୟୁତ୍‍ କମ୍ପାନୀଗୁଡିକ ଦୃଷ୍ଟି ନଦେବା ଯୋଗୁଁ ଗୋଟିଏ ଖୁଣ୍ଟରେ ବିଡା ବିଡା ତାର ଝୁଲୁଛି । ଅବସ୍ଥା ଏଭଳି ହୋଇଛି ଯେ ବିଜୁଳି ତାର ମରାମତି କରିବାବେଳେ କର୍ମଚାରୀମାନେ ନିଜ ତାରକୁ ଚିହ୍ନିପାରୁ ନାହାନ୍ତି । ଯେଉଁଠାରେ ଘରୋଇ କମ୍ପାନୀର ତାର ଗୁଡିକ ଝୁଲି ପଡୁଛି କିମ୍ବା ଛିଡିଯାଉଛି ସେଥିରେ ବିଜୁଳି ବିଭାଗର କର୍ମଚାରୀମାନେ ହାତ ମାରୁନାହାନ୍ତି । ସାଧାରଣ ଲୋକେ ଫୋନ୍‍ କଲେ ଏ ସଂକ୍ରାନ୍ତୀୟ ଅଭିଯୋଗ ବି ରଖୁନାହାନ୍ତି ।

କେଉଁ କମ୍ପାନୀର ତାର ଟଣାହୋଇଛି ତାହା ସାଧାରଣ ଲୋକେ ଜାଣିନଥିବା କିମ୍ବା ସମ୍ପୃକ୍ତ କମ୍ପାନୀର ଟେଲିଫୋନ୍‍ ନମ୍ବର ସର୍ବସାଧାରଣରେ ପ୍ରଦର୍ଶିତ ହେଉନଥିବାରୁ ଲୋକେ ସେମାନଙ୍କୁ ବି ଅଭିଯୋଗ କରିପାରୁ ନାହାନ୍ତି । ଫଳରେ କେତେକ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‍ ଖୁଣ୍ଟରେ ଝୁଲୁଥିବା ତାରକୁ ଲୋକେ ନିଜ ଦାୟିତ୍ୱରେ ଖୁଣ୍ଟରେ ଗୁଡାଉଛନ୍ତି ନହେଲେ ବାଉଁଶ ବାନ୍ଧି ଅଟକାଉଛନ୍ତି । ତେଣୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ବିଦ୍ୟୁତ୍‍ ବିତରଣ କମ୍ପାନୀଗୁଡିକ ଯେଭଳି ନିଜ ଖୁଣ୍ଟରେ ଟଣାଯାଉଥିବା ତାରର ରକ୍ଷଣା ବେକ୍ଷଣ କରିବେ ସେ ଦିଗରେ ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । (ତଥ୍ୟ)