Home Judiciary ବିଚାର ପ୍ରତୀକ୍ଷାରେ ୧୭ଲକ୍ଷ ମାମଲା

ବିଚାର ପ୍ରତୀକ୍ଷାରେ ୧୭ଲକ୍ଷ ମାମଲା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଆଇନ୍‍ ଅଦାଲତରେ ଏବେ ପ୍ରାୟ ୧୭ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ପଡି ରହିଛି । ଆଇନ୍‍ ଅଦାଲତ ସଂଖ୍ୟା ବୃଦ୍ଧି ସହ ବଜେଟ୍‍ରେ ଅଧିକରୁ ଅଧିକ ଅର୍ଥ ବରାଦ କରାଯାଉଥିବାବେଳେ ବର୍ଷକୁ ବର୍ଷ ମାମଲା ସଂଖ୍ୟା କମିବା ପରିବେର୍ତ୍ତ ବଢି ଚାଲିବା ଉଦବେଗର କାରଣ ହେଉଛି ।

ମାମଲା ସଂଖ୍ୟା ହ୍ରାସ ଓ ତ୍ୱରିତ ଫଏସଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ସୁପ୍ରିମ୍‍କୋର୍ଟରୁ ନିମ୍ନ ଅଦାଲତ ପର୍ଯ୍ୟନ୍ତ ବିଶେଷ ଗୁରୁତ୍ୱ ଆରୋପ କରୁଥିବାବେଳେ ମାମଲା ସଂଖ୍ୟା କିନ୍ତୁ କମିବାର ନାଁ ଧରୁନାହିଁ । ବର୍ଷକୁ ଯେତେ ମାମଲା ଫଏସଲା ହେଉଛି ତାହା ଅପେକ୍ଷା ଢେର ଅଧିକ ସଂଖ୍ୟକ ମାମଲା ରୁଜୁ ହେବାରେ ଲାଗିଛି ।

ସାରା ଦେଶରେ ଏବେ ୪କୋଟି ୩୦ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ୩କୋଟିରୁ ଅଧିକ ହେଉଛି ଅପରାଧିକ ମାମଲା । ଅପରାଧିକ ମାମଲାଗୁଡିକ ମଧ୍ୟରୁ ଅଧାରୁ ଅଧିକ ୫ବର୍ଷର ପୁରୁଣା । ଏମିତିକି ୩୦ବର୍ଷ ଓ ତଦୁର୍ଦ୍ଧ ସମୟର ଅପରାଧିକ ମାମଲା ବି ଆଇନ୍‍ ଅଦାଲତରେ ଗଡୁଛି ।

ରାଜ୍ୟରେ ବିଚାରାଧିନ ମାମଲାଗୁଡିକ ମଧ୍ୟରୁ ପ୍ରାୟ ୧୩ଲକ୍ଷ ହେଉଛି ଅପରାଧିକ ମାମଲା ଏବଂ ଏହାର ମଧ୍ୟ ୬୦ ପ୍ରତିଶତରୁ ଅଧିକ ୫ବର୍ଷରୁ ଅଧିକ ସମୟ ଧରି ଗଡୁଛି । ଦେୱାନୀ ମାମଲାଗୁଡିକରୁ ଅଧିକାଂଶ ପୁରୁଷ ପୁରୁଷ ଧରି ଛିଡୁନାହିଁ । ଫଳରେ ଜମିବାଡି ବିବାଦରୁ ଲଙ୍କାକାଣ୍ଡ ଘଟି ଅନେକ ଅପରାଧିକ ମାମଲାର ଶାଖା ମେଲିବା ସହିତ ପାରିବାରିକ ଓ ସାମାଜିକ ଜୀବନ ସହିତ ଦୁର୍ବିସହ ହୋଇପଡୁଛି ।

ସାରା ଦେଶରେ ଅପରାଧିକ ମାମଲାଗୁଡିକରେ ଦଣ୍ଡବିଧାନ ହାର ୩୦ ପ୍ରତିଶତରୁ କମ୍‍ ରହୁଛି । କେବଳ ସେତିକି ନୁହେଁ, ବିଚାର ପ୍ରତୀକ୍ଷାରେ ଥିବା ଅପରାଧିକ ମାମଲାଗୁଡିକ ମଧ୍ୟରୁ ୮ ପ୍ରତିଶତ ବି ଫଏସଲା ହୋଇପାରୁ ନାହିଁ ।

ସରକାରୀ ରିପୋର୍ଟ ମୁତାବକ ମହିଳାଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାର ଫଏସଲା ଓ ଦଣ୍ଡବିଧାନ କ୍ଷେତ୍ରରେ ଓଡିଶା ଢେର ପଛରେ ରହିଛି । ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ମଧ୍ୟ ଅବସ୍ଥା ତଦ୍ରୁପ । ଏଭଳି ସମ୍ବେଦନଶୀଳ ମାମଲାରେ ଦଣ୍ଡବିଧାନ ହାର ୧୦ ପ୍ରତିଶତ ଛୁଇଁ ପାରୁନଥିବାବେଳେ ବର୍ଷରେ ମାମଲା ଫଏସଲା ହାର ୫ ପ୍ରତିଶତରୁ କମ୍‍ ରହୁଛି । ଭାରତୀୟ ପିଙ୍ଗଳ କୋଡ୍‍ ଓ ଅନ୍ୟାନ୍ୟ ଅପରାଧ ସଂକ୍ରାନ୍ତୀୟ ସ୍ୱତନ୍ତ୍ର ଆଇନ୍‍ ଆଧାରରେ ରୁଜୁ ହେଉଥିବା ମାମଲାଗୁଡିକର ତ୍ୱରିତ ଫଏସଲା ହୋଇପାରୁ ନାହିଁ । ଯେତେ ମାମଲା ବି ଫଏସଲା ହେଉଛି ସେଥିରୁ ତିନି ଚତୁର୍ଥାଂଶରେ ଅଭିଯୁକ୍ତ ଖଲାସ ହୋଇଯାଉଛନ୍ତି । ତେବେ ଦୁର୍ନୀତି ନିବାରଣ ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ପ୍ରାୟ ୫୦ ପ୍ରତିଶତ ରହୁଛି ଯାହାକି ଜାତୀୟ ହାରଠାରୁ ଅଧିକ ।

ମାମଲା ସଂଖ୍ୟା ହ୍ରାସ ପାଇଁ ୨୦୧୧ ମସିହାରେ ରାଜ୍ୟ ସରକାର ସ୍ୱତନ୍ତ୍ର ମାମଲା ନୀତି ପ୍ରଣୟନ କରିଥିଲେ ଏବଂ ଏହାର କାର୍ଯ୍ୟକାରିତା ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ରାଜ୍ୟ ସ୍ତରରେ ଏବଂ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଅନୁରୂପ କମିଟିମାନ ଜିଲ୍ଲା ସ୍ତରରେ ଗଢାଯାଇଥିଲା । ଏହି କମିଟିର ବୈଠକ ବର୍ଷ ବର୍ଷ ଧରି ବସୁନାହିଁ । ମାମଲା ନୀତିରେ ଲକ୍ଷ୍ୟ ରଖାଯାଇଥିଲା ଯେ ସୀମିତ ସମୟ ମଧ୍ୟରେ ୫ବର୍ଷର ପୁରୁଣା ମାମଲା ଗୁଡିକର ବିଚାର ଶେଷ କରିବାକୁ । ଅନ୍ୟ ପକ୍ଷରେ ଏହି ମାମଲାଗୁଡିକର ବିଚାର ବିଳମ୍ବିତ ହେବା ସହ ୫ବର୍ଷରୁ ପୁରୁଣା ମାମଲାର ସଂଖ୍ୟା କମିବା ପରିବର୍ତ୍ତେ କିନ୍ତୁ ବଢି ବଢି ଚାଲିବା ବିଚାର ବିଭାଗ, ପ୍ରଶାସନିକ ବ୍ୟବସ୍ଥା ଓ ସାମାଜିକ ବ୍ୟବସ୍ଥା ପାଇଁ ଆହ୍ୱାନ ସୃଷ୍ଟି କରୁଥିବା ଅଭିଜ୍ଞ ଆଇନ୍‍ଜୀବୀମାନେ କହୁଛନ୍ତି । (ତଥ୍ୟ)