ଭୁବନେଶ୍ୱର : ଶିଶୁମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବାପାଇଁ ୨୦୧୨ ମସିହାରୁ ପୋକସୋ ଆଇନ୍ କାର୍ଯ୍ୟକାରୀ ହେଉଥିବାବେଳେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ଏହି ଆଇନ୍ ବଳରେ ରୁଜୁ ହୋଇଥିବା ପ୍ରାୟ ସାତ ହଜାର ମାମଲା ବିଚାର ଅପେକ୍ଷାରେ ରହିଛି । ବିଳମ୍ବିତ ବିଚାର ଯୋଗୁଁ ଏଭଳି ଜଘନ୍ୟ କାର୍ଯ୍ୟରେ ଲିପ୍ତ ଅନେକଙ୍କୁ ଠିକଣା ସମୟରେ ଦଣ୍ଡ ଦିଆଯାଇ ପାରୁନଥିବା ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଓଡିଶାରେ ପୋକସୋ ଆଇନ୍ ବଳରେ ରୁଜୁ ହୋଇଥିବା ୧୪୮୮୦ ଟି ମାମଲା ମଧ୍ୟରୁ ୭୯୫୦ଟି ଫଏସଲା ହୋଇ ପାରିଛି । ଗତବର୍ଷ ଶେଷ ସୁଦ୍ଧା ୬୯୩୦ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଏହା ସରିବାକୁ ବିଳମ୍ବ ହେବାନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ସାଢେ ୧ଲକ୍ଷ ୩୪ ହଜାରରୁ ଅଧିକ ପୋକସୋ ମାମଲା ବିଚାର ପ୍ରତୀକ୍ଷାରେ ଥିବା ଜଣାଯାଇଛି ।
ଏ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନଙ୍କ ମତରେ ପୋକସୋ ମାମଲା ଗୁଡିକର ଶୀଘ୍ର ଫଏସଲା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ନିୟମିତ ବିଚାରପତିଙ୍କ ଅଭାବ, ପୁଲିସ୍ ପକ୍ଷରୁ ଠିକଣା ସମୟରେ ଚାର୍ଜସିଟ୍ ପ୍ରଦାନ ସହିତ ମାମଲା ସଂକ୍ରାନ୍ତରେ ଉପର ଅଦାଲତ ଓ ଜିଲ୍ଲା ସ୍ତରୀୟ କମିଟି ତଦାରଖ କରୁନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।
ପୋକସୋ ମାମଲାଗୁଡିକ ସାଧାରଣତଃ ଜେଜେବି ଓ ଶିଶୁ ଅଦାଲତରେ ବିଚାର ହୋଇଥାଏ । ତେବେ ଏହି ଦୁଇ ଅଦାଲତ ପାଇଁ ନିୟମିତ ବିଚାରପତି ନିଯୁକ୍ତ ହୋଇନଥାନ୍ତି । ଜେଜେବିରେ ସିଭିଲ ଅଦାଲତର ରେଜିଷ୍ଟ୍ରାରଙ୍କୁ ବିଚାରପତି ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବାକୁ ଦିଆଯାଇଥିବାବେଳେ ଶିଶୁ ଅଦାଲତଗୁଡିକରେ ଅତିରିକ୍ତ ଜିଲ୍ଲା ଜଜ୍ ବିଚାରପତି ଭାବେ କାର୍ଯ୍ୟ କରିଥାନ୍ତି । ତେବେ ଏହି ଦୁଇ ଅଦାଲତରେ ବିଚାରପତି ଦାୟିତ୍ୱ ତୁଲାଉଥିବା ଅଧିକାରୀ ଓ ବିଚାରପତିଙ୍କର ଏକାଧିକ କାର୍ଯ୍ୟ ଯୋଗୁଁ ସେମାନେ କେତେକ ସ୍ଥାନରେ ଚାହିଁଲେ ମଧ୍ୟ ସମୟ ଦେଇ ପାରନ୍ତି ନାହିଁ । ସେହିଭଳି ଏହି ସମ୍ବେଦନଶୀଳ ମାମଲାରେ ପୁଲିସ୍ ମଧ୍ୟ କେତେକ ସ୍ଥାନରେ ଠିକଣା ସମୟରେ ଚାର୍ଜସିଟ୍ ଦାଖଲରେ ବିଳମ୍ବ କରିଥାଏ । ପୁଲିସ୍ ଉପରେ ମଧ୍ୟ ଏକାଧିକ କାର୍ଯ୍ୟର ଚାପ ସହିତ ଅନାଗ୍ରହ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥାଏ ।
ତେବେ ରାଜ୍ୟରେ ପୋକସୋ ମାମଲାର ବିଚାରରେ କିଭଳି ଅଗ୍ରଗତି ଘଟୁଛି ଓ କେତେ ମାତ୍ରାରେ ମାମଲା ଫଏସଲା ହେଉଛି ପୂର୍ବରୁ ତାହାର ଯେଭଳି ସମୀକ୍ଷା ହେଉଥିଲା ତାହା ହେଉନାହିଁ । କୋଭିଡ ମହାମାରୀ ପରଠାରୁ ସାଧାରତଃ ଏହା ଆଉ ନାହିଁ କହିଲେ ଚଳେ । ଫଳରେ ରାଜ୍ୟରେ ଏତେ ସଂଖ୍ୟାରେ ପୋକସୋ ମାମଲା ଫଏସଲା ନହୋଇ ପଡି ରହିଯାଉଛି ।
ତେବେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନଙ୍କ ମତରେ ଯଦି ପୋକସୋ ମାମଲାର ତ୍ୱରିତ ଫଏସଲା ନହେବ ତେବେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଏହି ଆଇନ୍ କାର୍ଯ୍ୟକାରୀ ହୋଇଥିବା ତାହା ପୂରଣ ହୋଇପାରିବ ନାହିଁ । ତେଣୁ ଏହି ମାମଲା ବିଚାର ହେଉଥିବା ଅଦାଲତଗୁଡିକରେ ସ୍ଥାୟୀ ବିଚାରପତି ନିଯୁକ୍ତ ସହିତ ପୁଲିସ୍ କିଭଳି ଏହି ସମ୍ବେଦନଶୀଳ ମାମଲା ଧାର୍ଯ୍ୟ ସମୟରେ ଚାର୍ଜସିଟ୍ ଦାଖଲ କରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ । (ତଥ୍ୟ)