Home Judiciary ବିଚାରପତି ଅଭାବ ଯୋଗୁଁ ମାମଲା ଗଡୁଛି

ବିଚାରପତି ଅଭାବ ଯୋଗୁଁ ମାମଲା ଗଡୁଛି

ଭୁବନେଶ୍ୱର : ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଓଡିଶା ହାଇକୋର୍ଟରେ ଢେର ଅଧିକ ମାମଲା ଫଏସଲା ହୋଇଥିଲେ ମଧ୍ୟ ଖାଲି ପଡିଥିବା ବିଚାରପତି ପଦବୀ ପୂରଣ ନହେବା ଏବଂ ମାମଲା ସଂଖ୍ୟାକୁ ଆଖିଆଗରେ ରଖି ଅଧିକ ସଂଖ୍ୟାରେ ନୂଆ ବିଚାରପତି ପଦବୀ ସୃଷ୍ଟି କରାନଯିବା ଫଳରେ ବହୁ ପୁରୁଣା ମାମଲା ବର୍ଷ ବର୍ଷ ଧରି ଗଡୁଛି ।

ଓଡିଶା ହାଇକୋର୍ଟରେ ଏବେ ୨୨ଜଣ ବିଚାରପତି କାର୍ଯ୍ୟ କରୁଥିବାବେଳେ ଅନ୍ୟୁନ ୬ଟି ପଦବୀ ଖାଲି ପଡିଛି । ଏବେ ଓଡିଶା ହାଇକୋର୍ଟରେ ଏକ ଲକ୍ଷ ୬୦ହଜାରରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବା କୁହାଯାଉଛି । ବିଶେଷକରି ବିକଳ୍ପ ବ୍ୟବସ୍ଥା ନକରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍)କୁ ଉଠାଇଦେବା ଫଳରେ ସେଠାରୁ ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଥିବା ପ୍ରାୟ ୭୦ହଜାର ମାମଲା ବଡ ଆହ୍ୱାନ ସୃଷ୍ଟି କରିଛି ।

ଏହା ସତ୍ୱେ ଏକାଧିକ ବେଞ୍ଚରେ ଚାକିରି ସଂକ୍ରାନ୍ତୀୟ ମାମଲାର ଶୁଣାଣି କରାଯିବା ଫଳରେ ଅବଶ୍ୟ ସ୍ୟାଟ୍‍ରୁ ସ୍ଥାନାନ୍ତରିତ ହୋଇଥିବା ପୁରୁଣା ମାମଲାଗୁଡିକର ସଂଖ୍ୟା କିଛି ମାତ୍ରାରେ ହ୍ରାସ ହୋଇଛି । ତେବେ ସରକାରଙ୍କ ଅଭିଯୋଗ ଶୁଣାଣି ବ୍ୟବସ୍ଥାରେ ଦୁର୍ବଳତା ଯୋଗୁଁ ନୂଆ ନୂଆ ଚାକିରି ସଂକ୍ରାନ୍ତୀୟ ମାମଲା ରୁଜୁ ହେଉଥିବାରୁ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନାହିଁ ବୋଲି ବରିଷ୍ଠ ଆଇନ୍‍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି ।

ଓଡିଶା ହାଇକୋର୍ଟରେ ଏବେ ୪୦ହଜାରରୁ ଅଧିକ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଥିରୁ କେତେକ ମାମଲା ୧୦ରୁ ୩୦ ଏବଂ ତଦୁର୍ଦ୍ଧ ସମୟ ଧରି ଗଡୁଛି । ସେହିଭଳି ହାଇକୋର୍ଟରେ ପ୍ରାୟ ଏକ ଲକ୍ଷ ୨୦ହଜାର ଅଣଫୌଜଦାରୀ ମାମଲା ମଧ୍ୟ ବିଚାର ପ୍ରତୀକ୍ଷାରେ ରହିଛି । ତେବେ ଆଶ୍ୱାସନାର କଥା ହେଉଛି ଯେ ହାଇକୋର୍ଟରେ ଏବେ ଯେତେ ସଂଖ୍ୟକ ନୂଆ ମାମଲା ରୁଜୁ ହେଉଛି ଫଏସଲା ହେଉଥିବା ମାମଲା ସଂଖ୍ୟା ତାହାଠାରୁ ଢେର ଅଧିକ ।

ଏଠାରେ ଉଲ୍ଲେଖନୀୟ ଯେ ସରକାରୀ ତଥ୍ୟ ମୁତାବକ ରାଜ୍ୟର ବିଭିନ୍ନ ଆଇନ୍‍ ଅଦାଲତରେ ପ୍ରାୟ ୧୭ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ପ୍ରାୟ ୧୨ଲକ୍ଷ ହେଉଛି ଅପରାଧିକ ମାମଲା । ନିମ୍ନ ଅଦାଲତଗୁଡିକରେ ମାମଲା ଶୁଣାଣି ଓ ଫଏସଲା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉପରେ ହାଇକୋର୍ଟ ବିଶେଷ ଗୁରୁତ୍ୱଆରୋପ କରିବା ଫଳରେ ଚଳିତବର୍ଷ ତୁଳନାତ୍ମକ ଭାବେ ଜେଏମଏଫ୍‍ସି ରୁ ଜିଲ୍ଲା ସେସନ୍ସ କୋର୍ଟ ପର୍ଯ୍ୟନ୍ତ ବିଭିନ୍ନ ଅଦାଲତରେ ଫଏସଲା ହାର ଅଧିକ ହୋଇଛି ।

ଗୋଟିଏ ପଟେ ମାମଲା ଫଏସଲା ହାର ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ କିନ୍ତୁ ଅପରାଧିକ ମାମଲାଗୁଡିକରେ ଦଣ୍ଡବିଧାନ ହାର ଢେର କମ୍‍ ରହୁଛି । ଦୁର୍ନୀତି ନିବାରଣ ମାମଲାରେ ଓଡିଶାର ପ୍ରଦର୍ଶନ ଜାତୀୟ ହାର ଠାରୁ ଭଲ । ଏଭଳି ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ୫୦ ପ୍ରତିଶତରୁ ଅଧିକ ରହୁଛି । ତେବେ ବହୁ କ୍ଷେତ୍ରରେ ଦଣ୍ଡିତ ଅଧିକାରୀମାନେ ଉପର ଅଦାଲତରୁ ଯିବା ଯୋଗୁଁ ସେମାନଙ୍କ ମଧ୍ୟରୁ ଖୁବ୍‍ କମ୍‍ ସଂଖ୍ୟକ ଅଧିକାରୀ ଜେଲରେ ରହୁଛନ୍ତି ।

ଭାରତୀୟ ପିଙ୍ଗଳ କୋଡ୍‍ର ବିଭିନ୍ନ ଧାରାରେ ରୁଜୁ ହୋଇଥିବା ମାମଲାଗୁଡିକ ମଧ୍ୟରୁ ଯେତେ ବିଚାର ପ୍ରତୀକ୍ଷାରେ ରହୁଛି ବର୍ଷକରେ ତାହାର ୧୦ ପ୍ରତିଶତ ମଧ୍ୟ ଫଏସଲା ହେଉନାହିଁ । ଯେତିକି ବି ଅପରାଧିକ ମାମଲା ଫଏସଲା ହେଉଛି ସେଥିରୁ ଅଧିକାଂଶରେ ଅଭିଯୁକ୍ତମାନେ ଖସିଯାଉଛନ୍ତି । ତଦନ୍ତରେ ତ୍ରୁଟିବିଚ୍ୟୁତି, ମାମଲା ପରିଚାଳନାରେ ଦୁର୍ବଳତା, ମାମଲାର ଶୁଣାଣି ଓ ଫଏସଲାରେ ବିଳମ୍ବ ଯୋଗୁଁ ସାକ୍ଷ୍ୟ ପ୍ରମାଣ ନଷ୍ଟ ଆଦି ବିଭିନ୍ନ କାରଣ ଯୋଗୁଁ ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ଢେର କମ ରହୁଥିବା ଅଭିଜ୍ଞ ଆଇନ୍‍ଜୀବୀମାନେ ସ୍ୱୀକାର କରିବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାନଗଲେ ଅପରାଧିକ ମାମଲା ବଢି ଚାଲିଥିବ ବୋଲି କହୁଛନ୍ତି । (ତଥ୍ୟ)