ଭୁବନେଶ୍ୱର : ବିଚାରପତିମାନଙ୍କ କାର୍ଯ୍ୟଦକ୍ଷତା, ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ସୁପ୍ରିମକୋର୍ଟ ନିରନ୍ତର ନଜର ରଖିଛି ବୋଲି ପ୍ରଧାନ ବିଚାରପତି ଡି.ୱାଇ,ଚନ୍ଦ୍ରଚୂଡଙ୍କ ବକ୍ତବ୍ୟ ପରେ କଲେଜିୟମ ବ୍ୟବସ୍ଥା ପ୍ରତି ଆସ୍ଥା ବଢିଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଏଭଳି ବକ୍ତବ୍ୟକୁ ଦଳ ମତ ନିର୍ବିଶେଷରେ ବହୁ ଆଇନ୍ଜୀବୀ ଖୋଲା ସମର୍ଥନ କରିବା ସହ ଏଭଳି ପ୍ରକ୍ରିୟା ଜାରି ରହିଲେ ଦେଶର ବିଚାର ବ୍ୟବସ୍ଥା ଅଧିକ ସୁଦୃଢ ହୋଇପାରିବ ବୋଲି ଆଶାବ୍ୟକ୍ତ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ କଲେଜିୟମ ବ୍ୟବସ୍ଥା ମାଧ୍ୟମରେ ବିଚାରପତି ନିଯୁକ୍ତି କେନ୍ଦ୍ର ସରକାର ଚାହୁଁନଥିବାବେଳେ ଏଥିଲାଗି ସ୍ୱତନ୍ତ୍ର ସଂସ୍ଥା ଗଠନ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ତେବେ ସରକାରଙ୍କ ଏହି ପ୍ରସ୍ତାବକୁ ସୁପ୍ରିମ୍କୋର୍ଟ ସମର୍ଥନ କରୁନଥିବାରୁ ଏକ ପ୍ରକାର ଶୀତଳଯୁଦ୍ଧ ଲାଗି ରହିଥିବାଭଳି ମନେ ହେଉଛି । ଏ ପରିପ୍ରେକ୍ଷୀରେ ସରକାରୀଦଳ ପକ୍ଷରୁ ବିଚାର ବ୍ୟବସ୍ଥାକୁ ମୃଦୁ ସମାଲୋଚନା କରାଯାଉଥିବାବେଳେ ବିରୋଧିଦଳଗୁଡିକ ପକ୍ଷରୁ ଭିନ୍ନମତ ପ୍ରକାଶ ପାଉଛି ।
ନିକଟରେ ପ୍ରଧାନ ବିଚାରପତି କହିଛନ୍ତି ଯେ ସୁପ୍ରିମ୍କୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପୂର୍ବରୁ ଯେଉଁମାନଙ୍କ ନାମ ଚର୍ଚ୍ଚାକୁ ଆସୁଛି ସେମାନଙ୍କ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ ହେଉଛି । ଏମିତିକି କେଉଁ ବିଚାରପତି କେତେ ମୋକଦ୍ଦମା ଶୁଣୁଛନ୍ତି ଓ ଫଏସଲା କରୁଛନ୍ତି, ସେମାନଙ୍କ ରାୟର ମାନ କ’ଣ ରହୁଛି, କିଏ କେତେଦିନ ଧରି ମାମଲା ଗଡାଉଛି କିମ୍ବା ଶୁଣାଣି ପରେ ସଂରକ୍ଷିତ ଆଳରେ ରାୟ ପ୍ରକାଶ କରିବାକୁ ଦିନ ଗଡାଇ ଚାଲୁଛନ୍ତି, କାହାର ନିରପେକ୍ଷତା ଓ ସ୍ୱଚ୍ଛତା କେତେ ସେ ସଂକ୍ରାନ୍ତରେ ତଥ୍ୟ ସଂଗୃହୀତ ହେଉଛି ।
ଏଭଳି ସୂଚନା ସର୍ବସାଧାରଣରେ ପ୍ରକାଶିତ ହେବାପରେ ବିଚାର ବିଭାଗ ସହ ଜଡିତ ପଦବୀଧାରୀମାନଙ୍କ ଭିତରେ ଚର୍ଚ୍ଚା ଜୋର ଧରିଛି । ଏମିତିକି କିଛି ଅଭିଜ୍ଞ ଓକିଲଙ୍କ ଠାରୁ ଏ ସଂକ୍ରାନ୍ତରେ ସମ୍ପୃକ୍ତ ସଂସ୍ଥାମାନେ ତଥ୍ୟ ସଂଗ୍ରହ କରୁଥିବାରୁ କିଛି ବ୍ୟକ୍ତି ମଧ୍ୟ ଆତଙ୍କିତ ହୋଇପଡିଛନ୍ତି ।
ବିଶେଷକରି ବିଚାର ବିଭାଗୀୟ ସେବାର ଯେଉଁ ବରିଷ୍ଠ ଅଧିକାରୀମାନେ ହାଇକୋର୍ଟର ବିଚାରପତି ହେବାଲାଗି ଆଶାବାନ୍ଧି ବସିଛନ୍ତି ସେମାନେ ଏହି ତଥ୍ୟ ସଂଗ୍ରହକୁ ଆଖିଆଗରେ ରଖି ମାମଲା ଫଏସଲା କ୍ଷେତ୍ରରେ ଅଧିକ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ସେହିପରି ଯେଉଁ ଆଇନ୍ଜୀବୀମାନେ ହାଇକୋର୍ଟର ବିଚାରପତି ହେବାକୁ ଆଗ୍ରହୀ ସେମାନଙ୍କୁ ମଧ୍ୟ ନିଜ ନିଜ ମାମଲା ପରିଚାଳନା କ୍ଷେତ୍ରରେ ଅଧିକ କ୍ରିୟାଶୀଳ ହେବାକୁ ପଡିବ । ସେହିପରି ହାଇକୋର୍ଟଗୁଡିକର ଯେଉଁ ବିଚାରପତିମାନଙ୍କର ସୁପ୍ରିମକୋର୍ଟ ବିଚାରପତି ପଦକୁ ଓ ମୁଖ୍ୟ ବିଚାରପତି ପଦବୀକୁ ଉନ୍ନୀତ ହେବାର ସମ୍ଭାବନା ରହିଛି ସେମାନଙ୍କ ଉପରେ ନ୍ୟାୟ ପ୍ରତ୍ୟାଷୀମାନଙ୍କ ଭରସା ବଢିବା ସ୍ୱାଭାବିକ ।
କିଛି ଅଭିଜ୍ଞ ଓକିଲ କହିଛନ୍ତି ଯେ କେବଳ ନିଯୁକ୍ତି ଓ ପଦୋନ୍ନତି ନୁହେଁ, ଯେଉଁମାନଙ୍କୁ ହାଇକୋର୍ଟର ବିଚାରପତି ଭାବେ ଅସ୍ଥାୟୀ ନିଯୁକ୍ତି ମିଳୁଛି ସେମାନଙ୍କ କାର୍ଯ୍ୟଦକ୍ଷତା, ମାମଲା ଫଏସଲାରେ ନିରପେକ୍ଷତା, ରାୟ ପ୍ରକାଶ କରିବାରେ ତତ୍ପରତା ଓ ରାୟର ଗୁଣବତ୍ତା ଆଧାରରେ ନିୟମିତ କରାଯିବାପାଇଁ ବ୍ୟବସ୍ଥା ଅଛି । ଏହି ପ୍ରକ୍ରିୟାରେ ଯେଉଁମାନେ ଆସିନପାରିବେ ସେମାନଙ୍କ ଅସ୍ଥାୟୀ ନିଯୁକ୍ତି ସ୍ଥାୟୀ ହେବାରେ ବିଳମ୍ବ ଘଟିପାରେ ଏମିତିକି କେତେକ ମଧ୍ୟ ବିଦାହୋଇ ପାରନ୍ତି । ସୁପ୍ରିମ୍କୋର୍ଟଙ୍କ ଏଭଳି ଆଭିମୁଖ୍ୟ କଡାକଡି ଭାବେ ପାଳିତ ହେଲେ ମାମଲା ସଂଖ୍ୟା ହ୍ରାସ ସହିତ ବିଚାର ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଅଧିକ ଦୃଢୀଭୂତ ହେବବୋଲି କୁହାଯାଉଛି । (ତଥ୍ୟ)