Home Agriculture ବିକ୍ରି ହେଉନି ଧାନ ବିହନ

ବିକ୍ରି ହେଉନି ଧାନ ବିହନ

ଭୁବନେଶ୍ୱର : ଚଳିତ ବର୍ଷ ପୁଣିଥରେ ଚାଷୀଙ୍କୁ ବିହନ ବାବଦ ସବସିଡ୍‍ ଅର୍ଥ ଡିବିଟି ଜରିଆରେ ଦେବାପାଇଁ କୃଷି ବିଭାଗ ନିଷ୍ପତ୍ତି ନେବାପରେ ରାଜ୍ୟରେ ଧାନ ବିହନ ବିକ୍ରି ଧିମେଇ ଯାଇଛି । ଚାଷୀମାନେ ସ୍ମର୍ଟଫୋନ୍‍ରେ ନିଜକୁ ପଞ୍ଜିକୃତ କରିବା ଓ ଆଗୁଆ ଭାବେ ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ରାଜିହେଉ ନଥିବାରୁ ଚାରିବର୍ଷ ତଳେ ବିହନ ନିଗମର ଯେଉଁ କ୍ଷତି ହୋଇଥିଲା ତାହାର ପୁଣି ପୁନରାବୃତ୍ତି ହେବାର ଆଶଙ୍କା ଉପୁଜିଲାଣି ।

କୃଷି ବିଭାଗ ପକ୍ଷରୁ ପ୍ରତିବର୍ଷ ଚାଷୀମାନଙ୍କୁ ରିହାତି ଦରରେ ଉନ୍ନତମାନର ଅମଳକ୍ଷମ ଧାନ ବିହନ ଯୋଗାଣ ହୋଇଥାଏ । ସରକାର ବିହନ ଉପରେ ପ୍ରଥମେ ରିହାତି ଦେଇଥାନ୍ତି ଓ ଚାଷୀମାନେ ରିହାତି ଦରରେ ସିଧାସଳଖ ବିହନ ଖରିଦ କରିଥାନ୍ତି । ୨୦୧୬-୧୭ ବର୍ଷରେ ପ୍ରଥମଥର ପାଇଁ କୃଷି ବିଭାଗ ବିହନ ବାବଦ ରିହାତି ଅର୍ଥ ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇବାପାଇଁ ନିଷ୍ପତ୍ତି ନେଇଥିଲେ ।

ତଦନୁଯାୟୀ ଚାଷୀମାନଙ୍କୁ ପ୍ରଥମେ ବିହନର ପୂରା ଦାମ୍‍ ଦେଇ ଖରିଦ କରିବାକୁ କୁହାଯାଇଥିଲା । ହେଲେ ଚାଷୀମାନେ ଏଥିପ୍ରତି ଆଗ୍ରହ ନଦେଖାଇବାରୁ ସେହିବର୍ଷ ଧାର୍ଯ୍ୟ ଲକ୍ଷ୍ୟର ଅଧା ବିହନ ବିକ୍ରି ହୋଇଥିଲା ଓ ରାଜ୍ୟ ବିହନ ନିଗମ ୨୬କୋଟି ଟଙ୍କା କ୍ଷତି ସହିଥିଲା । ସରକାରଙ୍କୁ ଏ ବିଷୟରେ ଅବଗତ କରାଯିବାରୁ କ୍ଷତି ଅର୍ଥ ଭରଣା ପାଇଁ ରାଜି ହେବା ସହିତ ୭କୋଟି ଟଙ୍କା ପ୍ରଦାନ କରିଥିଲେ । ଅବଶିଷ୍ଟ ଅର୍ଥ ବର୍ତ୍ତମାନ ସୁଦ୍ଧା ମିଳିନାହିଁ ।

ଏହା ପରଠାରୁ ଡିବିଟି ବ୍ୟବସ୍ଥା ଉଠାଇ ଦିଆଯାଇଥିଲା । ବିହନ ବିକ୍ରି କରୁଥିବା ଡିଲର ଓ ପାକ୍‍ସଗୁଡିକ ପୂରା ଅର୍ଥ ଦେଇ ବିହନ ନେଉଥିଲେ । ଚାଷୀମାନେ ନିଜର ଆଧାର ଓ ପଞ୍ଜିକରଣ ନମ୍ବର ଦେଖାଇ ସେମାନଙ୍କ ଠାରୁ ରିହାତି ଦରରେ ବିହନ ନେଉଥିଲେ । ଏହି ତାଲିକା ଦାଖଲ ପରେ ଡିଲରମାନେ ସବସିଡ୍‍ ଅର୍ଥ ପାଉଥିଲେ । ଏହି ବ୍ୟବସ୍ଥା ସୁରୁଖୁରୁରେ ଚାଲିଥିଲା ।

ତେବେ ଚାରିବର୍ଷ ପରେ ପୁଣିଥରେ କୃଷି ବିଭାଗ ପୁରୁଣା ଫର୍ମୁଲାରେ ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ବିହନ ସବ୍‍ସିଡ୍‍ ଅର୍ଥ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ ଏଥିପାଇଁ ଚାଷୀଙ୍କୁ ନିଜ ନିଜ ସ୍ମାର୍ଟଫୋନ୍‍ରେ ସୁବିଧା ଆପ୍‍ ଡାଉନ୍‍ଲୋଡ କରିବା ସହିତ ସେଥିରେ ନିଜକୁ ପଞ୍ଜିକୃତ କରିବେ । ଏହାପରେ ସେମାନେ କେଉଁ କିସମର ବିହନ ଆବଶ୍ୟକ କରୁଛନ୍ତି ତାହା ଉଲ୍ଲେଖ କରିବେ । ଏହାପରେ ସରକାରଙ୍କ ପକ୍ଷରୁ ସେମାନଙ୍କ ନିକଟକୁ ଇ-ମନି ପଠାଯିବ । ଏହି ଇ-ମନିକୁ ସେମାନେ ବିହନ ବିକ୍ରି କରୁଥିବା ଡିଲରଙ୍କୁ ଦେଖାଇଲେ ସବସିଡ୍‍ ଅର୍ଥ ସେମାନଙ୍କ ଖାତାକୁ ଯିବ । ତେବେ ଏହି ଆପ୍‍ ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ହୋଇପାରିନଥିବା ଜଣାଯାଇଛି ।

ଏବେ ଚାଷୀମାନଙ୍କୁ ବିହନ ବାବଦ ସମ୍ପୂର୍ଣ୍ଣ ଅର୍ଥ ପଇଠ କରି ଧାନ ବିହନ ଉଠାଇବାକୁ ପରାମର୍ଶ ଦିଆଯାଉଛି । ହେଲେ ପୂର୍ବରୁ ଅଳ୍ପ ଦରରେ ବିହନ ଖରିଦ କରୁଥିବା ଚାଷୀମାନେ ସମ୍ପୂର୍ଣ୍ଣ ଅର୍ଥ ଦେଇ ବିହନ ନେବାକୁ ରାଜି ହେଉ ନାହାନ୍ତି । ଫଳରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ମାତ୍ର ୨୦ହଜାର କୁଇଣ୍ଟାଲ ଧାନ ବିହନ ବିକ୍ରି ହୋଇଛି । ଗତବର୍ଷ ଏହି ସମୟ ସୁଦ୍ଧା ୫୦ହଜାର କୁଇଣ୍ଟାଲ ଧାନ ବିହନ ବିକ୍ରି ହୋଇଥିଲା ।

ଇତି ମଧ୍ୟରେ କେତେକ ଚାଷୀ କୃଷି ମନ୍ତ୍ରୀଙ୍କୁ ଭେଟି ପୁରୁଣା ବ୍ୟବସ୍ଥାରେ ରିହାତି ଦରରେ ବିହନ ଯୋଗାଇବାକୁ ଦାବି କରିଥିଲେ ମଧ୍ୟ ତାହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ପାରୁନାହିଁ । ଏଥିଯୋଗୁଁ ଚଳିତବର୍ଷ କେବଳ ଚାଷୀମାନେ ଉନ୍ନତମାନର ଅମଳକ୍ଷମ ବିହନରୁ ବଞ୍ଚିତ ହେବେନାହିଁ, ଚାରିବର୍ଷ ତଳେ ରାଜ୍ୟ ବିହନ ନିଗମ ଯେଭଳି କୋଟି କୋଟି ଟଙ୍କାର କ୍ଷତି ସହିଥିଲା ତାହାର ପୁନରାବୃତ୍ତିହେବ ବୋଲି ଆଶଙ୍କା ପ୍ରକାଶ କରାଯାଉଛି । (ତଥ୍ୟ)