Home General ବିକ୍ରି ନହୋଇ କମୁଛି ଧାନ ଓଜନ

ବିକ୍ରି ନହୋଇ କମୁଛି ଧାନ ଓଜନ

ଭୁବନେଶ୍ୱର : ପଶ୍ଚିମଓଡିଶାରେ ଚାଷୀଙ୍କ ଧାନ ଉଠିବାରେ ବିଳମ୍ବ ଉପକୂଳ ଓଡିଶାର ଚାଷୀମାନଙ୍କୁ ଚିନ୍ତାରେ ପକାଇଲାଣି । ସେମାନେ ଅମଳ କରିଥିବା ଧାନ ଶୁଖି ଯାଉଥିବାରୁ ଚଳିତବର୍ଷ ଧାନ ଉଠିଲା ବେଳକୁ ଓଜନ ହ୍ରାସ ଯୋଗୁଁ ବହୁ କ୍ଷତି ସହିବାକୁ ପଡିବ ବୋଲି ଚାଷୀମାନେ ମତ ଦେଇଛନ୍ତି ।

ଗତବର୍ଷ ଖରିଫ ଋତୁରେ ଜଗତ୍‍ସିଂହପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଜାନୁଆରୀ ମାସ ପ୍ରଥମ ସପ୍ତାହରେ ଧାନ ଉଠାଣ ଆରମ୍ଭ ହୋଇଥିଲା । ଏହାର ବହୁ ପୂର୍ବରୁ ଅର୍ଥାତ୍‍ ଡିସେମ୍ବର ମାସରେ ଚାଷୀଙ୍କ ମୋବାଇଲକୁ ଟୋକନ ନମ୍ବର ଆସିଥିଲା । ହେଲେ ଚଳିତବର୍ଷ ଏଥରେ ବଡ ବ୍ୟତିକ୍ରମ ଦେଖାଦେଇଛି । ଜାନୁଆରୀ ମାସ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଧାନ ଉଠିବା ତ ଦୂରରକଥା ସମସ୍ତ ଚାଷୀଙ୍କ ମୋବାଇଲ୍‍କୁ ଟୋକନ ନମ୍ବର ଆସିନାହିଁ ।

ମଣ୍ଡି ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ କହିବାକଥା ଯେ ଚଳିତବର୍ଷ ଟୋକନ ଆସିବରେ ବିଳମ୍ବ ହେଉଛି ଏବଂ ପର୍ଯ୍ୟାୟକ୍ରମେ ଏହା ଚାଷୀଙ୍କ ନିକଟକୁ ଆସୁଛି । ହେଲେ ଯେଉଁ ଚାଷୀମାନେ ଟୋକନ ପାଉଛନ୍ତି ସେମାନେ ମଣ୍ଡିକୁ ଧାନ ନେବେ କି ନାହିଁ ସେହି ଚିନ୍ତାରେ ପଡିଛନ୍ତି । ମଣ୍ଡିକୁ ମିଲରଙ୍କ ଗାଡି କେବେ ଆସିବ କେହି କହିପାରୁ ନାହାନ୍ତି । ଫଳରେ ଧାନ ଉଠାଣ ଆରମ୍ଭ ହୋଇପାରୁ ନାହିଁ ।

ଉପକୂଳ ଜିଲ୍ଲାର ବହୁ ସ୍ଥାନରେ ଯାକଜମକରେ ମଣ୍ଡି ଉଦ୍‍ଘାଟନ ହୋଇଛି । ନଡିଆ ଭଙ୍ଗା ସାଙ୍ଗକୁ ଧାନ ଓଜନ ଯନ୍ତ୍ରର ପୂଜାପାଠ ବି ହୋଇଛି । ହେଲେ କାଁ ଭାଁ ସ୍ଥାନକୁ ଛାଡିଦେଲେ ବହୁ ମଣ୍ଡିରେ କାଉ ଉଡିବା ଭଳି ଅବସ୍ଥା । ଚାଷୀମାନଙ୍କୁ ଧାନ ଆଣିବାପାଇଁ ସମିତି କର୍ତ୍ତୃପକ୍ଷ କହିବାକୁ ବି ଭରସି ପାରୁ ନାହାନ୍ତି । କାରଣ ଥରେ ଚାଷୀମାନେ ଖର୍ଚ୍ଚାନ୍ତ ହୋଇ ମଣ୍ଡିକୁ ଆସିଲା ପରେ ଧାନ ନଉଠିଲେ ହଙ୍ଗାମା ଆରମ୍ଭ କରିଦେବେ ।

ଅନ୍ୟ ପକ୍ଷରେ ଉପକୂଳ ଜିଲ୍ଲାରେ ପ୍ରାୟ ସବୁ ସ୍ଥାନରେ ଧାନ ଅମଳ ହେବାକୁ ମାସାଧିକ ସମୟ ବିତିଲାଣି । ଚାଷୀମାନେ ଧାନକୁ ସଫାସୁତୁରା କରି ବସ୍ତାରେ ପୂରାଇ ଅପେକ୍ଷା କରିଛନ୍ତି । ଧିରେ ଧିରେ ଧାନ ଶୁଖିବା ସହିତ ଏହାର ଓଜନ କମୁଥିବା ଚଷୀମାନେ ମତ ଦେଉଛନ୍ତି । ତେଣୁ ଏବର୍ଷ ସେମାନେ ଅଧିକ ଧାନ ଦେଇ କମ୍‍ ପଇସା ପାଇବେ ବୋଲି କହୁଛନ୍ତି ।

ରାଜ୍ୟର ଅଧିକାଂଶ ଚାଉଳ ମିଲ୍‍ ପଶ୍ଚିମଓଡିଶାରେ ରହିଥିବାବେଳେ ସେଠାରେ ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡି ରହିଛି । ମିଲରମାନେ ଠିକଣା ସମୟରେ ଗାଡି ଲଗାଉନଥିବାରୁ ଏଭଳି ଅବସ୍ଥା ଉପୁଜିଛି । ପଶ୍ଚିମ ଓଡିଶାର ମିଲରମାନେ ଉପକୂଳରୁ ଅଧିକ ପରିମାଣର ଧାନ ଉଠାଣ କରୁଥିବାବେଳେ ସେମାନେ କେବେ ଏଠାକୁ ଆସିବେ ଓ ଧାନ କେବେ ଉଠିବ ଚାଷୀମାନେ ତାହାକୁ ଅପେକ୍ଷା କରିଥିବାବେଳେ ବ୍ୟାଙ୍କ ଋଣ ପରିଶୋଧ କରିପାରୁ ନାହାନ୍ତି କି ରବି ଫସଲ ପାଇଁ ଅର୍ଥ ଯୋଗାଡ କରିପାରୁ ନାହାନ୍ତି । ତେଣୁ ବହୁ ଆଡମ୍ବରରେ ମଣ୍ଡି ଖୋଲିଥିବା ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଧାନ ଉଠାଣ ପାଇଁ ପଦକ୍ଷେପ ନେବାକୁ ଚାଷୀମାନେ ମତ ଦେଉଛନ୍ତି । (ତଥ୍ୟ)