Home General ବିକି ପାରିଲେନି ରକ୍ତ ଚନ୍ଦନ କାଠ

ବିକି ପାରିଲେନି ରକ୍ତ ଚନ୍ଦନ କାଠ

ଭୁବନେଶ୍ୱର : ତିତିଲ ବାତ୍ୟା ସମୟରେ ଗଜପତି ଜିଲ୍ଲାର ଜଙ୍ଗଲରୁ ମିଳିଥିବା ରକ୍ତଚନ୍ଦନ କାଠ ବିକ୍ରି ହୋଇ ନପାରିବାରୁ ୩୪୯ କୋଟି ଟଙ୍କାରୁ ଅଧିକ ରାଜସ୍ୱ କ୍ଷତିକୁ ଧରିଛନ୍ତି ସିଏଜି । ସିଏଜି ଅଡିଟ୍‍ରୁ ଏହା ଧରାପଡିଥିବାବେଳେ ଚଳିତବର୍ଷ ଫେବୃୟାରୀ ଶେଷ ସୁଦ୍ଧା ରାଜ୍ୟ ସରକାର ଏହାର ଉତ୍ତର ରଖିନାହାନ୍ତି ।

ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ୨୦୧୮ ମସିହାରେ ଆସିଥିବା ତିତିଲ ବାତ୍ୟାରେ ଗଜପତି ଜିଲ୍ଲାର ଜଙ୍ଗଲରୁ ଉପୁଡି ଯାଇଥିବା, ଅଧା ଭାଙ୍ଗିଥିବା ରକ୍ତଚନ୍ଦନ ଗଛ ମିଳିଥିଲା । ଏହି ମୂଲ୍ୟବାନ୍‍ କାଠକୁ ବିକ୍ରି ପାଇଁ ଓଡିଶା ଜଙ୍ଗଲ ଉନ୍ନୟନ ନିଗମର (ଓଏଫ୍‍ଡିସି) ର ନିର୍ଦ୍ଦେଶକମଣ୍ଡଳୀ ଅନୁମତି ପ୍ରଦାନ କରିଥବଲେ । ତେବେ ଭାରତ ସରକାର ରପ୍ତାନି ନୀତିରେ କୋହର କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ବାତ୍ୟାରେ ପଡି ଯାଇଥିବା କାରଣରୁ ୮୧୦ ମେଟ୍ରିକ ଟନ୍‍ ରକ୍ତ ଚନ୍ଦନ କାଠକୁ ଲଗ୍‍ ଫର୍ମରେ ରପ୍ତାନି ପାଇଁ ଅନୁମତି ଦେଇଥିଲେ ଏବଂ ବିଜ୍ଞପ୍ତି ପ୍ରକାଶ ପାଇବାର ୧୨ମାସ ମଧ୍ୟରେ ଚୂଡାନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୨୨ ନଭେମ୍ବର ମାସରେ ଏହି ଅବଧିକୁ ଆଉ ୬ମାସ ତଥା ୨୦୨୩ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ତେବେ ଆର୍ନ୍ତଜାତୀୟ ଟେଣ୍ଡର ପାଇଁ ରାଜ୍ୟ ସରକାର ୨୦୨୨ ଜାନୁୟାରୀ ମାସରେ ଏକ ୮ଜଣିଆ କମିଟି ଗଠନ କରିଥିଲେ । ଆନ୍ଧ୍ରପ୍ରଦେଶ ଜଙ୍ଗଲ ନିଗମ କିଭଳି ରକ୍ତ ଚନ୍ଦନ କାଠ ବିକ୍ରି କରୁଛନ୍ତି ତାହାର ଅନୁଧ୍ୟାନ ପାଇଁ ଆନ୍ଧ୍ରପ୍ରଦେଶ ଯିବାକୁ ମଧ୍ୟ ଏକ କମିଟି ଗଠନ କରାଯାଇଥିଲା ।

ପାରଳାଖେମୁଣ୍ଡି ଡିଏଫ୍‍ଓ ୨୦୨୨ ଫେବୃୟାରୀରେ ଦର୍ଶାଇଥିଲେ ଯେ ବ୍ରହ୍ମପୁର କେନ୍ଦ୍ରୀୟ ଗୋଦାମରେ ଥିବା ୮୧୦ ମେଟ୍ରିକ ଟନ୍‍ ରକ୍ତଚନ୍ଦନ କାଠ ମଧ୍ୟରୁ ୫୦୩ ଟନ୍‍ ଏ ଗ୍ରେଡ୍‍, ୨୩୨ ଟନ୍‍ ବି ଗ୍ରେଡ୍‍ ଓ ୨୩.୬୩ ଟନ୍‍ ସି ଗ୍ରେଡ୍‍ର ରହିଛି । ଏହି ସମସ୍ତ ରକ୍ତଚନ୍ଦନ କାଠର ମୂଲ୍ୟ ୩୪୭ କୋଟି ୯୨ଲକ୍ଷ ଟଙ୍କା ହେବ । ତେବେ ବାତ୍ୟାରେ ଉଦ୍ଧାର ହୋଇଥିବା ରକ୍ତଚନ୍ଦନ କାଠର ବହୁ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ବିକ୍ରି ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏହାର ଗୁଣବତ୍ତା ଖରାପ ସହିତ ଶୁଖିବାର ସମ୍ଭାବନା ଥିଲା ।

ସିଏଜି ଦର୍ଶାଇଛନ୍ତି ଯେ ଏଭଳି ମୂଲ୍ୟବାନ କାଠର ବିକ୍ରୟରେ ବିଳମ୍ବ ଯୋଗୁଁ ୩୪୯ କୋଟି ୭୦ଲକ୍ଷ ଟଙ୍କା ମିଳିପାରି ନଥିଲା । ତେବେ ଏ ସଂକ୍ରାନ୍ତରେ ସରକାରଙ୍କୁ ଅବଗତ କରାଯିବା ପରେ ଡିଏଫ୍‍ଓ ଦର୍ଶାଇଥିଲେ ଯେ ସମସ୍ତ ଅନୁମତି ପରେ ଏହାକୁ ବିକ୍ରି କରାଯିବ । ତେବେ ଏହାର ଉତ୍ତର ଗ୍ରହଣୀୟ ନୁହେଁ ବୋଲି ସିଏଜି ଦର୍ଶାଇଛନ୍ତି । କାରଣ କେନ୍ଦ୍ର ସରକାର ଏହାର ରପ୍ତାନି ପାଇଁ ସର୍ତ୍ତ ଅନୁଯାୟୀ ବିଜ୍ଞପ୍ତି ଠାରୁ ୧୨ମାସର ଅବଧି ଦେଇଥିବାବେଳେ ରପ୍ତାନି ପାଇଁ ମୋଡାଲିଟି ଚୂଡାନ୍ତ ସହିତ ଏହାର ବିକ୍ରି ପାଇଁ ଅନୁମତି ଦେଇ ସାରିଥିଲା ଯାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ୨୦୨୨ ନଭେମ୍ବର ସୁଦ୍ଧା ଏହି ରକ୍ତଚନ୍ଦନ କାଠ ବିକ୍ରି ନହେବା ଫଳରେ ରାଜସ୍ୱ ମିଳିପାରି ନଥିଲା । ଏହି ମାମଲା ସରକାରଙ୍କ ନଜରକୁ ୨୦୨୨ ନଭେମ୍ବର ମାସରେ ଅଣାଯାଇଥିବାବେଳେ ଚଳିତବର୍ଷ ଫେବୃୟାରୀ ଶେଷସୁଦ୍ଧା ଏହାର ଉତ୍ତର ସିଏଜି ପାଇନାହାନ୍ତି । (ତଥ୍ୟ)