ଭୁବନେଶ୍ୱର : ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ନୀଳାଦ୍ରିବିହାରର ବୁଦ୍ଧଜୟନ୍ତୀ ପାର୍କ ଓ ଡିଫେନ୍ସ କଲୋନୀ ମଧ୍ୟରେ ଥିବା ପାହାଡ଼କୁ ଡିନାମାଇଟ୍ରେ ଫଟାଇ ଏବଂ ବୁଲ୍ଡୋଜର ଲଗାଇ ତାଡି ଦିଆଯିବା ଫଳରେ ଭରତପୁର ଅଭୟାରଣ୍ୟ ନିକଟରେ ଥିବା ଏହି ସୁନ୍ଦର ପାହାଡ଼ଟି ତାହାର ପରିଚିତି ହରାଇବା ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସର କାରଣ ହେଉଛି ।
ବୁଦ୍ଧଜୟନ୍ତୀ ପାର୍କ ବସ୍ତୁତଃ ଏହି ପୁରୁଣା ପାହାଡ଼ର ଏକ ଅଂଶବିଶେଷ । ଏହି ପାହାଡ଼ର ନିମ୍ନ ଅଂଶକୁ ସରକାର ପ୍ଲଟିଂ କରି ସାଧାରଣ ପ୍ରଶାସନ ବିଭାଗ ମାଧ୍ୟମରେ ବାସଘର ପାଇଁ ନାମମାତ୍ର ଦରରେ ଲୋକଙ୍କୁ ଲିଜ୍ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ବାସ ଉପଯୋଗୀ ଅଞ୍ଚଳରେ ବିଲ୍ଡରମାନଙ୍କ ରାଜତ୍ୱ ଆରମ୍ଭ ହେଲା ଏବଂ ବହୁ ପ୍ଲଟରେ ବିଡ଼ିଏର ଅନୁମୋଦନକ୍ରମେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥାଇ ବଡ଼ ବଡ଼ ଆପାର୍ଟମେଣ୍ଟମାନ ତିଆରି କରାଯାଉଛି । ଏହି ଅଞ୍ଚଳର ଜନସଂଖ୍ୟାକୁ ଆଖି ଆଗରେ ରଖି ସଡ଼କ, ପାନୀୟଜଳ ଯୋଗାଣ, ସ୍ୱରେଜ, ବିଦ୍ୟୁତ୍ସେବା ଆଦି ଲାଗି ଯେତେ ସବୁ ଭିତ୍ତିଭୂମି ବ୍ୟବସ୍ଥା ହୋଇଥିଲା ତାହା ବସ୍ତୁତଃ ଆପାର୍ଟମେଣ୍ଟ ଗୁଡିକ ପାଇଁ ବିଗିଡି ଯାଉଥିବାରୁ ଓଲୁକର ଗଣିବା ଭଳି ସରକାର ପୁଣି ନୂଆ ଭିତ୍ତିଭୂମି ନିର୍ମାଣ କରିବାକୁ ବାଧ୍ୟ ହେଉଛନ୍ତି ।
ଉତ୍କଳ ହସ୍ପିଟାଲରୁ ବୁଦ୍ଧପାର୍କ ପର୍ଯ୍ୟନ୍ତ ପାହାଡ଼ କାଟି ବ୍ୟବସାୟିକ ଆପାର୍ଟମେଣ୍ଟ ପ୍ରଥମେ ତିଆରି କରାଗଲା । ଏହା ପରେ ପରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ବିଭିନ୍ନ ସରକାରୀ ଯୋଜନାରେ ଏହି ପାହାଡ଼ ଉପରେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟମାନ ନିର୍ମାଣ ଚାଲିଛି । ଏହି ଆପାର୍ଟମେଣ୍ଟ ଗୁଡିକ ଲାଗି ଉକ୍ତ ପୁରୁଣା ପାହାଡଟି ତାହାର ପରିଚିତି ହରାଇଥିବାବେଳେ ଏହା ଉପରେ ଥିବା ଅନେକ ଗଛଲତା ବଳି ପଡ଼ିଛନ୍ତି । ଏବେ ଏହି ଉଜୁଡା ଲଣ୍ଡା ପାହାଡର ଅନ୍ତବୁଜୁଳା ବାହାର ପଡିବା ଭଳି ଅବସ୍ଥା ଥିବାବେଳେ ବୁଦ୍ଧପାର୍କରୁ ଏହା ଉପରକୁ ଟାଇଲ୍ ବିଛାଇ ଚଲାପଥ ନିର୍ମାଣ କରାଯାଉଛି ଏବଂ ବୃକ୍ଷରାଜି ଭରା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରିବା ପରେ ଏହି କ୍ଷତବିକ୍ଷତ ପାହାଡ଼ ଉପରେ ଦାମୀ ଆଲୋକସଜ୍ଜା ସତେ ଯେମିତି ପ୍ରକୃତିକୁ ଉପହାସ କରୁଛି ବୋଲି ସ୍ଥାନୀୟ ବାସିନ୍ଦା ଓ ପରିବେଶବିତ୍ ମାନେ କହୁଛନ୍ତି ।
ପୂର୍ବରୁ ଏହି ପାହାଡ଼ ଉପରକୁ ହାତୀ, ମୟୂର, ବିଲୁଆ, କୋକିଶିଆଳି, ଗୋଧୀ, ଠେକୁଆ, ନେଉଳ ସମେତ ଅଜଗର, ଅହିରାଜ, ନାଗ, ତମ୍ପ, ଢମଣା ଆଦି ବିଭିନ୍ନ ପ୍ରକାରର ଜଙ୍ଗଲୀ ଜୀବଜନ୍ତୁ ଦେଖାଯାଉଥିଲେ । ପାହାଡ଼ ତଳେ କୁଳୁକୁଳୁ ନାଦରେ ସ୍ୱଚ୍ଛ ଝରଣା ବୋହୁଥିଲା ଏବଂ ଏହି ଝରଣା ଜଳ ସ୍ୱାସ୍ଥ୍ୟ ପାଇଁ ବେଶ୍ ଅନୁକୂଳ ଥିଲା । ଏହି ଝରଣା ପାଣିକୁ ମଣିଷ ଓ ଜୀବଜନ୍ତୁମାନେ ବ୍ୟବହାର କରୁଥିଲେ । ଏବେ କିନ୍ତୁ ମାନବୀୟ ଅତ୍ୟାଚାର ଯୋଗୁ ଏହି ଝରଣାଟି ଏକ ଚିରସ୍ରୋତା ନର୍ଦ୍ଦମାରେ ପରିଣତ ହୋଇଛି ଏବଂ ତାହାର କଡ଼ଦେଇ ଯିବାକୁ ହେଲେ ନାକରେ ରୁମାଲ ଚାପିବାକୁ ପଡୁଛି ।
ଆଗରୁ ଇଶାନେଶ୍ୱର ମନ୍ଦିର ବେଢାରୁ ଲୋକେ ଏହି ପାହାଡ଼ର ସବୁଜିମାକୁ ଉପଭୋଗ କରୁଥିଲେ । ବୁଦ୍ଧପାର୍କ ଆରମ୍ଭ ହେବାପରେ ପ୍ରାୟ ପ୍ରତିଦିନ ଅପରାହ୍ନରେ ଶହ ଶହ ଲୋକ ପାହାଡ଼ ଉପରକୁ ଚଢି ଗଛ ଛାଇରେ ସମୟ କାଟୁଥିଲେ । ଏବେ କିନ୍ତୁ ବୃକ୍ଷଲତା ବିହୀନ ଲଣ୍ଡା ପାହାଡରୁ ପଥର ସବୁ ତଡାଯାଇ ଅନ୍ୟତ୍ର ଫିଙ୍ଗି ଦିଆଯାଉଛି । ଏହାଛଡା ପାହାଡ଼ ଉପରେ ଓ ତଳେ ଥିବା ଜନବସତିର ରାସ୍ତା କଡ଼ ଗୁଡିକ କଂକ୍ରିଟ, ଟାଇଲ୍ ଆଦିରେ ଛାଇ ଯାଉଥିବାରୁ ଭୂତଳ ଜଳସ୍ତର ବୃଦ୍ଧିକୁ ପ୍ରତିହତ କରାଯାଉଛି ବୋଲି ପରିବେଶବିତ୍ମାନେ କହୁଛନ୍ତି । ଗୋଟିଏ ପଟେ ଏହି ଅଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟାକୁ ଆଖି ଆଗରେ ରଖି ମୁଣ୍ଡଳୀରୁ ମହାନଦୀ ପାଣି ଆଣି ଶିଖରଚଣ୍ଡି ପାହାଡ ଉପରେ ସଂରକ୍ଷଣ ଓ ବିଶୋଧନ କରି ଲୋକଙ୍କୁ ଯୋଗାଇ ଦେବାପାଇଁ ଯେଉଁ ବ୍ୟବସ୍ଥା ଚାଲିଛି ସେଥିରେ ବି ଶିଖରଚଣ୍ଡି ପାହାଡ଼ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଛି । ବସ୍ତୁତଃ ବିକାଶ ନାମରେ ପ୍ରକୃତି ସହିତ ଯେଭଳି ସାଘାଂତିକ ଖେଳ ଖେଳାଯାଉଛି ତାହା ଆଗାମୀ ଦିନରେ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇ ବିନାଶର ରାସ୍ତାକୁ ପ୍ରଶସ୍ତ କରିବ ବୋଲି ପରିବେଶ୍ ବିଶେଷଜ୍ଞମାନେ ଚେତାବନୀ ଦେଉଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ରାଜଧାନୀ ଭୁବନେଶ୍ୱର ଓ ତାହାର ଆଖପାଖ ଅଞ୍ଚଳ ଅତୀତରେ ଘଞ୍ଚ ଜଙ୍ଗଲରେ ଭରି ରହିଥିଲା ଏବଂ ଏଠାରେ ଅନେକ ଝରଣା ମଧ୍ୟ ପ୍ରବାହିତ ହେଉଥିଲା । ସବୁଜ ଜଙ୍ଗଲ ଥିବାରୁ ଭୁବନେଶ୍ୱରବାସୀ ସୁନ୍ଦର ପବନ ମଧ୍ୟ ଉପଭୋଗ କରୁଥିଲେ । ଏବେ କଂକ୍ରିଟ ଜଙ୍ଗଲ ବଢୁଥିବାରୁ ବିକିରଣ ଓ ଅନ୍ୟାନ୍ୟ କାରଣ ସହିତ ଝରଣାଗୁଡିକର ବିଲୁପ୍ତି ଆଦି ଯୋଗୁ ରାଜଧାନୀର ଜଳସ୍ତର ଉଦ୍ବେଗଜନକଭାବେ ହ୍ରାସ ପାଇବାରେ ଲାଗିଛି । (ତଥ୍ୟ)