Home News in Odia ବିକାଶ ଖର୍ଚ୍ଚରେ ନଗର ଉନ୍ନୟନ ବିଭାଗ ଆଗୁଆ

ବିକାଶ ଖର୍ଚ୍ଚରେ ନଗର ଉନ୍ନୟନ ବିଭାଗ ଆଗୁଆ

ଭୁବନେଶ୍ୱର :  ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଗତ ପାଞ୍ଚ ବର୍ଷ ମଧ୍ୟରେ ବିକାଶ ଖର୍ଚ୍ଚରେ ରେକର୍ଡ କରିଛି । ଗତ ଆର୍ଥିକ ବର୍ଷରେ ଏହି ଖର୍ଚ୍ଚ ୮୫୭୫.୬୧ କୋଟି ଟଙ୍କାରେ ପହଞ୍ଚିଛି । ଏହା ୨୦୨୨-୨୩ ର ୬୯୯୬.୯୨ କୋଟି ଟଙ୍କା ତୁଳନାରେ ଢେର ଅଧିକ ରହିଛି ଯାହା ସମଗ୍ର ରାଜ୍ୟରେ ସହରାଞ୍ଚଳ ଭିତ୍ତିଭୂମି ବିକାଶର ଏକ ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଏ ।

ଏହି ଉଲ୍ଲେଖନୀୟ ସଫଳତା “ଟିମ୍ ଅର୍ବନ୍”ର ସମନ୍ୱିତ ପ୍ରୟାସର ପରିଣାମ, ଯାହା ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନୀତିଗତ ନେତୃତ୍ୱରେ ପ୍ରେରିତ। ଏହା ସାଙ୍ଗକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ସୁଦୃଢ଼ ପ୍ରଶାସନିକ ନେତୃତ୍ୱ, ବିଭାଗୀୟ ପ୍ରାଥମିକତାମାନଙ୍କୁ କ୍ଷେତ୍ର ସ୍ତରରେ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛି।

ବିଭାଗ ଆର୍ଥିକ ଦକ୍ଷତାରେ ଉଲ୍ଲେଖନୀୟ ଉନ୍ନତି ପ୍ରଦର୍ଶନ କରି ସାମଗ୍ରିକ ଉପଯୋଗ ହାର ୮୬.୫୦% ହାସଲ କରିଛି, ଯାହା ପୂର୍ବ ଆର୍ଥିକ ବର୍ଷର ୭୩.୪୭%  ତୁଳନାରେ ବୃଦ୍ଧି ପାଇଛି । ବଜେଟ୍ ଅର୍ଥକୁ ପ୍ରଭାବଶାଳୀ ଢଙ୍ଗରେ ବ୍ୟୟ କରିବା ଦିଗରେ ଏହା ଏକ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି ।

ଏହି ପ୍ରଦର୍ଶନର ଏକ ପ୍ରମୁଖ ବାହକ ହେଉଛି ରାଜ୍ୟ କ୍ଷେତ୍ର ଯୋଜନା ଅଧୀନରେ ଉଲ୍ଲେଖନୀୟ ଅଗ୍ରଗତି । ଏହି ଯୋଜନାଗୁଡିକ ଅଧୀନରେ ଖର୍ଚ୍ଚ ୨୦୨୨-୨୩ ରେ  ୨୬୭୬. ୧୫ କୋଟି ଟଙ୍କାରୁ ଚଳିତ ଆର୍ଥିକ ବର୍ଷରେ ୪୨୮୫.୪୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାର ଉପଯୋଗ ହାର ୯୮.୧୮%  ରହିଛି ।  ବିଗତବର୍ଷ ଯାହାକି ୯୨.୮୨% ଥିଲା । ଏହି ବୃଦ୍ଧି ବିଭାଗର ଆଭ୍ୟନ୍ତରୀଣ ପ୍ରକଳ୍ପ କାର୍ଯ୍ୟକାରିତା ବ୍ୟବସ୍ଥାର ବଢୁଥିବା ଶକ୍ତିକୁ ଦର୍ଶାଉଛି ।

ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡିକୁ  ପାଣ୍ଠି ବଣ୍ଟନ କରିବାରେ ମଧ୍ୟ ବିଭାଗ ଅନୁକରଣୀୟ ପ୍ରଦର୍ଶନ କରିଛି। ରାଜ୍ୟ ଅର୍ଥ ଆୟୋଗଙ୍କ ଆବଣ୍ଟନ କ୍ରମାଗତ ଚତୁର୍ଥ ବର୍ଷ ପାଇଁ  ୯୯.୭୦ %  ଉପଯୋଗ ହାସଲ କରିଛି, ଯାହା୧୪୮୯.୫୧  କୋଟି ଟଙ୍କା ଅଟେ । ଏହା ସୁନିଶ୍ଚିତ କରେ ଯେ ଅତ୍ୟାବଶ୍ୟକ ସହରାଞ୍ଚଳ ସେବା ଯୋଗାଇବା ପାଇଁ ସ୍ଥାନୀୟ ସଂସ୍ଥାଗୁଡ଼ିକ ପର୍ଯ୍ୟାପ୍ତ ସଶକ୍ତ ଅଟନ୍ତି ।

କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ବିଭାଗ ଦୃଢ଼ ପ୍ରଦର୍ଶନ କରିଛି, ଯେଉଁଥିରେ ଖର୍ଚ୍ଚ ପୂର୍ବ ବର୍ଷ ୫୯୫.୯୫ କୋଟି ଟଙ୍କା ତୁଳନାରେ ୧୧୪୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହି ପରିବର୍ତ୍ତନ ଓଡ଼ିଶାର ସହରାଞ୍ଚଳ ବିକାଶ ଏଜେଣ୍ଡାକୁ ଆଗକୁ ବଢାଇବା ପାଇଁ କେନ୍ଦ୍ରୀୟ ଭାଗିଦାରୀର ଲାଭ ଉଠାଇବା ଦିଗରେ ନୂତନ ଗତିକୁ ସୂଚାଉଛି ।

ଭବିଷ୍ୟତରେ,  ବିଭାଗ ଆହୁରି ଅଧିକ ମହତ୍ୱାକାଂକ୍ଷୀ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ରହିଥିବାବେଳେ ୨୦୨୬-୨୭ ପାଇଁ ୧୦୭୬୨.୮୭ କୋଟି ଟଙ୍କାର ବଜେଟ୍‍ ରହିଛି, ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ । ଏହା କେବଳ ସମଗ୍ର ରାଜ୍ୟରେ ସହରାଞ୍ଚଳ ଭିତ୍ତିଭୂମି ଏବଂ ସେବା ବିତରଣକୁ ବଜାୟ ରଖିବା ନୁହେଁ ବରଂ ଉଲ୍ଲେଖନୀୟ ଭାବରେ ବିସ୍ତାର କରିବା ପାଇଁ ଏକ ସ୍ପଷ୍ଟ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ।

ଦକ୍ଷ ଆର୍ଥିକ ପରିଚାଳନାକୁ ସମନ୍ୱିତ ଏବଂ ଶ୍ରୀମତୀ ପାଢ଼ୀଙ୍କ ସ୍ଥିର ନେତୃତ୍ୱରେ  ବିଭାଗ ସହରାଞ୍ଚଳ ଅଭିବୃଦ୍ଧି ପାଇଁ ଏକ ନମନୀୟ ଏବଂ ଭବିଷ୍ୟତ ପାଇଁ ପୟାସ ଜାରି ରଖିଛି  ଯାହା ଏକ ବିକଶିତ ଓଡ଼ିଶାର ଦୃଷ୍ଟିକୋଣ ସହିତ ଦୃଢ ଭାବରେ ଜଡିତ।