ସମ୍ବଲପୁର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ସମ୍ବଲପୁର ଗସ୍ତରେ ଆସି ସହରର ବିଭିନ୍ନ ଜନକଲ୍ୟାଣକାରୀ ଓ ଭିତ୍ତିଭୂମି ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ ସହ ଅଗ୍ରଗତିର ସମୀକ୍ଷା କରିଛନ୍ତି। ସେ ସମ୍ବଲପୁରରେ ୱାଟକୋ ପକ୍ଷରୁ ନିର୍ମିତ ଜମାଦାରପାଲି ଇନଟେକ୍ ପଏଣ୍ଟ ଏବଂ ଟିପୁପଡ଼ା ଜଳ ବିଶୋଧନ ପ୍ଲାଣ୍ଟ ସ୍ଥଳ ପରିଦର୍ଶନ କରିଥିଲେ।
ଏହା ସହ ମହନଗର ନିଗମ ଦ୍ୱାରା ହାତକୁ ନିଆଯାଇଥିବା ମୋଦିପଡ଼ା ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଥିଲେ। ଠେଲକୋପଡ଼ାଠାରେ ଚାଲିଥିବା ସୁଲଭ ବାସଗୃହ ପ୍ରକଳ୍ପ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପର ସଫଳ ରୂପାୟନ ପାଇଁ ସେ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସମ୍ବଲପୁର ମହାନଗର ନିଗମ ଦ୍ୱାରା ନିର୍ମିତ ବୁର୍ଲା ଅଟଳ ଉଦ୍ୟାନ ବୁଲି ଦେଖିବା ସହ ସେଠାରେ ଉପସ୍ଥିତ ଇଞ୍ଜିନିୟରିଂ ଟିମ୍ ସହିତ ପ୍ରକଳ୍ପ ଯୋଜନା ଓ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଚାଲିଥିବା କାର୍ଯ୍ୟର ମାନ ଓ ପ୍ରଗତିର ସେ ସମୀକ୍ଷା କରିଛନ୍ତି।ବରେଇପାଲି ପଞ୍ଚଗଛିଆ ସ୍ଥିତ ଇଡକୋ ଶିଳ୍ପାଞ୍ଚଳ ପରିଦର୍ଶନ କରି ସେଠାରେ ଥିବା ଏମଏସଏମଇ ଶିଳ୍ପଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ଶିଳ୍ପଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ପରାମର୍ଶ ଦେବା ସହ ଦୀର୍ଘ ଦିନରୁ ଅଚଳ ହୋଇ ପଡ଼ିଥିବା ଶିଳ୍ପଗୁଡ଼ିକର ସମସ୍ୟା ସମାଧାନ କରି ସେଗୁଡ଼ିକର ପୁନରୁଦ୍ଧାର ଏବଂ ଆଧୁନିକୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ।
ଏଥିସହ ସେ ୮୦୦ ଏକର ଜମିରେ ନୂତନ ସମ୍ବଲପୁର ସହର ଯୋଜନା, ପରଧିଆପାଲି ଏବଂ ଠେଲକୋପଡ଼ାରେ ୨୦୦୦ ସୁଲଭ ଆବାସ ପ୍ରକଳ୍ପ, ସମ୍ବଲପୁର ନୂତନ ବସ୍ ଟର୍ମିନାଲ୍ ନିର୍ମାଣ ପାଇଁ ଆର୍ଥିକ ସହଯୋଗ, ସମ୍ବଲପୁର ସହରର ଆଲୋକୀକରଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି। ସମ୍ବଲପୁର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ ଏବଂ ବୁଢ଼ାରଜା ଠାରେ ବୃହତ୍ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ନିମନ୍ତେ ସେ ପ୍ରସ୍ତାବ ଦେଇଛନ୍ତି।

