Home News in Odia ବିକାଶର ମିଛ ଡିଣ୍ଡିମ ପିଟୁଛନ୍ତି ସରକାର

ବିକାଶର ମିଛ ଡିଣ୍ଡିମ ପିଟୁଛନ୍ତି ସରକାର

ଭୁବନେଶ୍ୱର : ରାଜ୍ୟରେ ଶାସନ ଦିଗହରା ହେଉଥିବାବେଳେ ମିଥ୍ୟା ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର । କେବଳ ରଙ୍ଗମାରି ଭେଳିକି ଦେଖାଇ ମିଛ କୁହା କୁଆ ଭଳି ଚାରିଆଡେ ରାଉରାଉ ଶବ୍ଦ ଶୁଭୁଛି । କଂଗ୍ରେସ ଯେଭଳି ସଂଗ୍ରାମ କରି ଦେଶକୁ ସ୍ୱାଧୀନତା ଆଣିଥିଲା ସେହିଭଳି ସମ୍ବିଧାନର ସୁରକ୍ଷା ପାଇଁ କଂଗ୍ରେସ ତା’ର ସଂଗ୍ରାମ ଜାରି ରଖିବ ।

ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ । ନାରୀ ହିଂସା ସୀମା ପାର ହୋଇଥିବାବେଳେ ରାଜ୍ୟରେ ବିଜେପି ଶାସନ ଚଳାଇଥିବା ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଓ ଅପରାଗ ସରକାରଙ୍କ ଠାରୁ ବିକାଶ ଆଶାକରିବା ବୃଥା ବୋଲି କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନିପତି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କଂଗ୍ରେସ ଭବନ ଠାରେ ସମ୍ବିଧାନ ବଞ୍ଚିଲେ ଦେଶ ବଞ୍ôଚବ । ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି ।

ସମ୍ବିଧାନର ସୁରକ୍ଷା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଏ.ଆଇ.ସି.ସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ ଯେଉଁ ଡାକରା ଦେଇଛନ୍ତି ତାହା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ କର୍ମୀମାନେ ଏହାକୁ ଏକ ସଂଗ୍ରାମ ରୂପେ ଗଢ଼ି ତୋଳିବାକୁ ସଂକଳ୍ପ ନେଇଛନ୍ତି ବୋଲି ଶ୍ରୀ ବାହିନି ପତି କହିଛନ୍ତି । ରାଜ୍ୟରେ ଛାତ୍ରୀମାନେ କୁଆଁରୀ ମା’ ହେଉଥିବା ଏ ସରକାରର ଶାସନ ବ୍ୟବସ୍ଥାର ନଗ୍ନତାକୁ ପ୍ରମାଣିତ କରୁଛି । ରାଜ୍ୟରେ ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ସେଥିରୁ ଗୋଟିଏ ହେଲେ ସଠିକ ଢ଼ଙ୍ଗରେ କାର୍ଯ୍ୟକାରୀ କଲେ ନାହିଁ । ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ନ ପାରି ହାଃ ହୁତାଶ ଭିତରେ ଜୀବନ ବିତାଉଛନ୍ତି । ମଣ୍ଡିରେ କଟନୀ ଛଟନୀ ନାମରେ ଚାଷୀମାନଙ୍କୁ ଶୋଷଣ କରାଯାଉଛି ।

ଯାଜପୁର ସମେତ ଉପକୁଳ ଜିଲ୍ଲାରେ ହଇଜା ହାଃ ହାଃ କାର ପରିସ୍ଥିତି ସୃଷ୍ଟି କରିଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବାରେ ବିଫଳ ହୋଇଛି । ଏଭଳି କି ଭୁବନେଶ୍ୱରରେ ହଇଜାର ପଦଧ୍ୱନି ଶୁଭିଲାଣି । ସ୍ୱାସ୍ଥ୍ୟ ବିଭାଗ ଠୋସ୍ ପଦକ୍ଷେପ ନେବାରେ ସକ୍ଷମ ନ ହେବାରୁ ହଇଜାରେ ଅନେକ ରୋଗୀ ଅକାଳରୁ ଜୀବନ ଗଲାଣି । ସମ୍ବିଧାନ ସଂଶୋଧନ ନାମରେ କେନ୍ଦ୍ରରେ ମୋଦୀ ସରକାର ଧ୍ୱଂସ କରି ଦେବାକୁ ବସିଛି । ଓଡ଼ିଶା ବିଧାନସଭାରୁ କଂଗ୍ରେସ ବିଧାୟକମାନଙ୍କୁ ଯେଭଳି ନିଲମ୍ବିତ କରାଯାଇ ତାହା ବିଧି ବ୍ୟବସ୍ଥାର ସଂପୂର୍ଣ୍ଣ ଉଲଘଂନ ହୋଇଥିଲା ।

ସମ୍ବିଧାନ ଓ ସାମ୍ବିଧାନିକ ବିଧିବ୍ୟବସ୍ଥା ପ୍ରତି ମୋହନ ଓ ମୋଦୀ ସରକାରଙ୍କର ଆଦୌ ଆନ୍ତରିକତା ନାହିଁ ତାଙ୍କ କାର୍ଯ୍ୟ ଶୈଳୀରୁ ପ୍ରମାଣିତ ବୋଲି ବାହିନିପତି ଅଭିଯୋଗ କରିଛନ୍ତି । ସମ୍ବିଧାନ ଗାରିମା ଓ ଗୌରବ ସ୍ୱାଭିମାନ ବଂଚାଇ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଭିତରେ ସହଜ ସୁନ୍ଦର ଜୀବନ ବଂଚାଇବାର ସୁଯୋଗ ଦେବାକୁ କଂଗ୍ରେସ ଯେଉଁ ଆନ୍ଦୋଳନ ଡାକରା ଦେଇଛି ତାହା ଦିଲ୍ଲୀରୁ ପଲ୍ଲି ପର୍ଯ୍ୟନ୍ତ ବ୍ୟାପକ ହେବ । ୧୧ ବର୍ଷ ଧରି ନରେନ୍ଦ୍ର ମୋଦୀ ସରକାର ଯେଭଳି ଗୋଟିକ ପରେ ଗୋଟିଏ ଜନ ବିରୋଧି ଓ ସମ୍ବିଧାନ ବିରୋଧି କାର୍ଯ୍ୟ କରୁଛନ୍ତି ତାହା ସହିବାର ସମସ୍ତ ସୀମା ପାର କରିଛି । ପହେଲ୍‌ଗାମରେ ଯେଉଁ ନର ହତ୍ୟା ହେଲା ୪ଜଣ ଆତଙ୍କବାଦୀଙ୍କୁ ଧରିବାରେ ସରକାର ବିଫଳ ହୋଇଛି ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଇସାରାରେ ଯୁଦ୍ଧ ବନ୍ଦ କରି ଭାରତ ବର୍ଷର ସ୍ୱାଭିମାନଙ୍କୁ ମୋଦୀ ତଳେ ପକାଇଛନ୍ତି । ସମସ୍ତ ବିରୋଧି ଦଳ ସରକାରଙ୍କୁ ସହଯୋଗ କରିବେ ଓ ପହେଲଗାମ ହତ୍ୟାର ଉପଯୁକ୍ତ ଜବାବ ଦେବେ ବୋଲି ଆଶା କରିଥିଲେ । କିନ୍ତୁ କାହାକୁ ବିଶ୍ୱାସକୁ ନ ନେଇ ଟ୍ରମ୍ପଙ୍କ କଥାରେ ଯୁଦ୍ଧ ବନ୍ଦ କରିଥିବାରୁ ଦେଶବାସୀ ଏହାର ଉପଯୁକ୍ତ ବିଚାର କରି ମୋଦୀ ସରକାର ମୁଖା ଖୋଲିବ ବୋଲି କଂଗ୍ରେସ ବିଶ୍ୱାସ କରେ ।

ବିଧାୟକଦଳ ଉପନେତା ଅଶୋକ ଦାସ କହିଥିଲେ ଯେ ସ୍ୱାଧୀନତା ପରେ ଆମ ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରୁ ଲାଗୁ ହୋଇଥିଲା । ଜନତାଙ୍କ ହିତକାରୀ ଭାବେ ବିଧିବ୍ୟବସ୍ଥାରେ ଦେଶରେ ଶାସନ ଚାଲିବ ଓ ଲୋକ ଉପକୃତ ହେବେ । ବିଜେପି ସରକାର ଯେବେଠାରୁ ଆସିଛି ସେବେଠାରୁ ସମ୍ବିଧାନ ଖିନ୍‌ଭିନ୍ କରି ବିଶୃଙ୍ଖଳା ସୃଷ୍ଟି କରିଛି । ତେଣୁ କଂଗ୍ରେସ ସମ୍ବିଧାନ ବଂଚାଅ ଦେଶ ବଂଚାଅ ଡାକରା ଦେଇ ଲୋକଙ୍କ ପାଖକୁ ଯାଉଛି । ବିଜେପିର ମନ୍ତ୍ରୀମାନେ ଜିଲ୍ଲାକୁ ଜିଲ୍ଲା ବୁଲି ମିଥ୍ୟା ପ୍ରଚାରରେ ମାତିଛନ୍ତି । ମିଥ୍ୟା ପ୍ରତିଶ୍ରୁତି ଦେଇ ଯେଭଳି ପ୍ରତାରଣା କରିଛନ୍ତି ସେହିବାର୍ତ୍ତା ଲୋକଙ୍କ ପାଖରେ ପହଂଚାଇବା ପାଇଁ କଂଗ୍ରେସ ସମ୍ବିଧାନ ବଂଚାଓ ଦେଶ ବଂଚାଅ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ଶ୍ରୀ ଦାସ କହିଛନ୍ତି ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ଭିତରେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ଜାନକୀ ବଲ୍ଲଭ ପଟ୍ଟନାୟକ, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ପିସିସି ସମ୍ପାଦକ ଶ୍ରୀଳ୍ପିଶ୍ରୀ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, କିଶୋର ଜେନା, ରଜନୀ ମହାନ୍ତି, ଅଶୋକ ଦାସ, ପ୍ରକାଶ ଜେନା, ପ୍ରଶାନ୍ତ ଚମ୍ପତି ପ୍ରମୁଖ ଉପସ୍ଥିତ ଥିଲେ ।