Home News in Odia ବିକଶିତ ଗାଁ, ବିକଶିତ ଓଡିଶା ର ଶୁଭାରମ୍ଭ

ବିକଶିତ ଗାଁ, ବିକଶିତ ଓଡିଶା ର ଶୁଭାରମ୍ଭ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ‘ବିକଶିତ ଗାଁ, ବିକଶିତ ଓଡିଶା’ । ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ,  ସହର ଓ ଗାଁ ଭିତରେ ବିକାଶରେ ଯେଉଁ ପାର୍ଥକ୍ୟ ଅଛି, ଏହି ଯୋଜନା ତାକୁ ଦୂର କରି ମୌଳିକ ଭିତ୍ତିଭୂମିରେ ସମାନତା ଆଣିବ । ଓଡିଶାର ପ୍ରାୟ ୬୦ ହଜାର ଗାଁରେ ବିକାଶର ଗଙ୍ଗା ପ୍ରବାହିତ ହେବ । ଗାଁ ଗୁଡିକୁ ବିକାଶର ଗ୍ରୋଥ୍ ଇଂଜିନ କରିବ । ଏହି ଯୋଜନା  ପ୍ରଧାନମନ୍ତ୍ରୀଙ୍କ “ସବ୍‍କା ସାଥ୍, ସବ୍‍କା ବିକାଶ୍, ସବ୍‍କା ବିଶ୍ୱାସ୍, ସବ୍‍କା ପ୍ରୟାସ୍”ର ଶ୍ରେଷ୍ଠ ନିଦର୍ଶନ ।

ଏହି ଯୋଜନାରେ ଗାଁ ଗୁଡିକରେ ଭିତ୍ତିଭୂମିର ବିକାଶ ପାଇଁ ବର୍ଷକୁ ଏକ ହଜାର କୋଟି ଟଙ୍କା ଲେଖାଏଁ, ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।  ଆବଶ୍ୟକ ହେଲେ, ଏହି ଯୋଜନାକୁ ଆହୁରି ସମ୍ପ୍ରସାରିତ କରାଯିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ଗାଁର ଉନ୍ନତି ନହେଲେ ଓଡିଶାର ଉନ୍ନତି ଚିନ୍ତା କରିବା ଅସମ୍ଭବ । ଆମର “ବିକଶିତ ଓଡିଶା, ବିକଶିତ ଗାଁ” କାର୍ଯ୍ୟକ୍ରମ ଆମର ଗାଁ ଗୁଡିକର ବିକାଶ ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତ । ଏକ ଯୋଜନାବଦ୍ଧ ଉପାୟରେ ବାର୍ଷିକ ଯୋଜନା ମାଧ୍ୟମରେ ଏହା କାର୍ଯ୍ୟକାରୀ କରାଯିବ । ଏଥିରେ ଗାଁର ରାସ୍ତାଘାଟ ସହିତ ଶିକ୍ଷା, କମ୍ୟୁନିଟି ଆସେଟ୍, ପୂଜାପାଠ ସ୍ଥାନ, କ୍ରୀଡା ଭିତ୍ତିଭୂମି, କ୍ଷୁଦ୍ର ପର୍ଯ୍ୟଟନ ପ୍ରକଳ୍ପ ଆଦିର ବିକାଶ କରାଯିବ ।

ଏହି ଯୋଜନାରେ ଗାଁର ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି । ବିଶେଷ କରି ଗାଁ ଭିତରର ରାସ୍ତା ଓ ଗାଁକୁ ଗାଁ ସହିତ ଯୋଡୁଥିବା ରାସ୍ତା ନିର୍ମାଣ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଏଥିରେ ପିଚୁ ରାସ୍ତା, ସିମେଣ୍ଟ କଂକ୍ରିଟ୍ ରାସ୍ତା, ପେଭର ବ୍ଲକ ରାସ୍ତା, ସେତୁ ଓ କଲଭର୍ଟ ଆଦି ନିର୍ମାଣ କରାଯାଇ ପାରିବ । ଜଙ୍ଗଲ ଅଞ୍ଚଳରେ ଥିବା ରାସ୍ତା ଗୁଡିକୁ ମଧ୍ୟ ଏଥିରେ କଂକ୍ରିଟ୍ କରାଯାଇ ପାରିବ ।

 ଏହା ସହିତ ସର୍ବ ସାଧାରଣ ବ୍ୟବହାର ଉପଯୋଗୀ ସ୍ଥାନ- ଯେପରି କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧେଇବା ଘାଟର ଉନ୍ନତି, ପରିଧାନ ପରିବର୍ତ୍ତନ ପ୍ରକୋଷ୍ଟ, ମାର୍କେଟ୍ ସେଡ୍ ଆଦି ନିର୍ମାଣ କରାଯିବ ।

ସେହିପରି, ପୂଜାପାଠ ସ୍ଥାନ, ତୀର୍ଥଯାତ୍ରୀଙ୍କ ପାଇଁ ମୌଳିକ ସୁବିଧାର ବିକାଶ, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ, ସାଂସ୍କୃତିକ କେନ୍ଦ୍ର ଆଦି ପ୍ରକଳ୍ପର ମଧ୍ୟ ନିର୍ମାଣ କରାଯାଇ ପାରିବ।

ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ଏଥିରେ ଯୋଜନା ରଖାଯାଇଛି । ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଏବଂ ଯେଉଁ ଭିତ୍ତିଭୂମି ଅଛି ତା’ର ଉନ୍ନତି ଓ ସମ୍ପ୍ରସାରଣ ମଧ୍ୟ କରାଯାଇ ପାରିବ । ଏହା ସହିତ କ୍ରୀଡା ଭିତ୍ତିଭୂମି, କ୍ଷୁଦ୍ର ପର୍ଯ୍ୟଟନ ଭିତ୍ତିଭୂମି ଆଦି ମଧ୍ୟ ନିର୍ମାଣ କରାଯିବାର ବ୍ୟବସ୍ଥା ରହିଛି ।

ପ୍ରତ୍ୟେକ ପ୍ରକଳ୍ପର ସର୍ବନିମ୍ନ ମୂଲ୍ୟ ୩ ଲକ୍ଷ ଟଙ୍କା ରହିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  3 ଲକ୍ଷ ଟଙ୍କା ଏଥିପାଇଁ  ରଖିଛୁ ଯେ, ଏହା ଦ୍ୱାରା ଅତି ଛୋଟ ପ୍ରକଳ୍ପଟିର ମଧ୍ୟ ଗୁଣାତ୍ମକ ମାନ ବଜାୟ ରଖାଯାଇ ପାରିବ । ଆମ ସରକାରରେ ଅର୍ଥର କୌଣସି ଅଭାବ ନାହିଁ। ଅର୍ଥାଭାବରୁ କୌଣସି ଯୋଜନାକୁ ଅଣଦେଖା କରାଯିବ ନାହିଁ।

ପୂର୍ବରୁ ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଯେଉଁ ପ୍ରକଳ୍ପ ଗୁଡିକରେ ସର୍ବନିମ୍ନ୨୦ ପ୍ରତିଶତ ବ୍ୟୟ ହୋଇଥିବ, ସେଗୁଡିକ ମଧ୍ୟ ଏହି ଯୋଜନାରେ ସମ୍ପୂର୍ଣ୍ଣ କରାଯାଇ ପାରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ,  ଆମ ପାଇଁ ବିକାଶ ରାଜନୀତିରୁ ଉର୍ଦ୍ଧ୍ଵରେ ।