ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ୧୩୮ଟି ପରିବାରଙ୍କୁ ଲଟେରୀ ମାଧ୍ୟମରେ ଗୃହ ପ୍ରଦାନ କରାଯାଇଛି । ଆଜି ଏକାମ୍ର ଭିଲ୍ଲା, ମା ଭଗବତୀ ବସ୍ତି, ସାଲିା ସାହି, ଭୋଇ ନଗର ଓ ସରସ୍ୱତୀ ବସ୍ତିର ମୋଟ ୧୩୮ଟି ପରିବାରଙ୍କୁ ପଟିଆ ଅନ୍ତର୍ଗତ ବୁଦ୍ଧ ବିହାର ଆଫୋର୍ଡେବ୍ଲ୍ୟୁ ହାଉସିଂ ପ୍ରକଳ୍ପରେ ଗୃହ ପ୍ରଦାନ କରାଯାଇଛି ।
ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବିଏମ୍ ସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଶ୍ରୀ ଚଞ୍ଚଳ ରାଣା, ସ୍ଲମ ସେଟଲମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ମହାମାୟା ସ୍ୱାଇଁ, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ହାଉସିଂ ଉପାୟୁକ୍ତ ଶ୍ରୀ ଅଜୟ କୁମାର ମହାନ୍ତି, ୩୫ ନମ୍ବର କର୍ପୋରେଟର ଶ୍ରୀମତୀ ରଂଜୁଲତା ରାୟ, ୧୫ ନମ୍ବର ଓ୍ୱାର୍ଡର କର୍ପୋରେଟର ଶ୍ରୀମତୀ ପିଙ୍କି ସ୍ୱାଇଁ, ଭାରତୀ ସିଂ, ସହକାରୀ କମିଶନର ଶ୍ରୀ ସତ୍ୟଜିତ୍ ଦାଶ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ ସିର ବରିଷ୍ଠ ଅଧିକାରୀଙ୍କ ସହ ୧୩୮ ପରିବାର ହିତାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କମିଶନର ଶ୍ରୀ ରାଣା କହିଥିଲେ ଯେ, ସ୍ଥାନାନ୍ତର ହେଉଥିବା ଲୋକେ ଯେପରି ହାତ ପାଆନ୍ତାରେ ସମସ୍ତ ପ୍ରକାର ସୁବିଧା ଯଥା-ପାନୀୟ ଜଳ, ବିଦ୍ୟୁତ୍ ଆଲୋକ, ବର୍ଜ୍ୟ ନିଷ୍କାସନ, ସମସ୍ତ ପ୍ରକାର ଦୋକାନ ଆଦି ପାଇପାରିବେ, ତାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଏହା ଭୁବନେଶ୍ୱରରେ ହିତାଧିକାରୀଙ୍କ ସହ ତାଙ୍କର ପରପିଢି ପାଇଁ ଏହି ଗୃହ ଏକ ପରିଚୟସୃଷ୍ଟି କରିବି ।
ଆପଣମାନଙ୍କ ସ୍ୱପ୍ନର ଘର ସହ ସମସ୍ତ ପ୍ରକାର ସୁବିଧା ବିଏମ୍ ସି ପକ୍ଷରୁ ଯୋଗାଇ ଦିଆଯାଉଛି । ମାତ୍ର ହିତାଧିକାରୀମାନେ ଯେପରି ଘର ଭଡା ନ ଦିଅନ୍ତି, ସେଥିପ୍ରତି ସମସ୍ତେ ସଚେତନ ରହିବା ଦରକାର । ଯଦି କେହି ଭଡା ଦେଇଥିବା ବିଏମ୍ ସି ନଜରକୁ ଆସିବ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ । ପରେ ହିତାଧିକାରୀମାନଙ୍କର ଲଟେରୀ ଉଠାଣ କରାଯାଇଥିଲା । ମାନନୀୟା ମେୟର, ଡେପୁଟି ମେୟର, କମିଶନର, ଅତିରିକ୍ତ କମିଶନର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଏବଂ କର୍ପୋରେଟର ବୃନ୍ଦ ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କରିଥିଲେ ।
ଗୃହ ପାଇବା ପରେ ହିତାଧିକାରୀମାନେ ଖୁସିରେ କାନ୍ଦି ପକାଇଥିଲେ । ଏତେ ଦିନ ପରେ ରାଜଧାନୀରେ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ଖଣ୍ଡିଏ ମିଳିଲା ଏବଂ ଆମର ଗୋଟେ ପରିଚୟ ସୃଷ୍ଟି ହେଲା ବୋଲି କହିଛନ୍ତି ହିତାଧିକାରୀ ।
ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ଏବଂ ସଂଚାଳନ କରିଥିଲେ ଡେପୁଟି କମିଶନର ଶ୍ରୀ ଅଜୟ କୁମାର ମହାନ୍ତି ।

