Home General ବିଏମ୍‍ସି ଜଳଛତ୍ରକୁ ଭରସା ପାଉନି

ବିଏମ୍‍ସି ଜଳଛତ୍ରକୁ ଭରସା ପାଉନି

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଖୋଲିଥିବା ଜଳଛତ୍ର ଉପରେ ଲୋକେ ଭରସା କରିପାରୁ ନାହାନ୍ତି । ଗରମ ଓ ଖରାରେ ଆଉଟୁ ପାଉଟୁ ଲୋକେ ଏହି ଜଳଛତ୍ରରେ ଥିବା ପାତ୍ରରୁ ପାଣି ପିଇବା ବଦଳରେ ବିଭିନ୍ନ ସଂସ୍ଥା ଓ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ବଣ୍ଟାଯାଉଥିବା ଜଳଛତ୍ରରେ ପାଣି ମୁନ୍ଦାଏ ପିଇବାକୁ ଆଗ୍ରହ କରୁଛନ୍ତି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଏମ୍‍ସି ପକ୍ଷରୁ ସହର ସାରା ଜଳଛତ୍ର ଖୋଲାଯାଇଛି । ଚାରି ପାଞ୍ଚ ଖଣ୍ଡ ବାଉଁଶ ବାନ୍ଧି ସେଠାରେ ଜଳଛତ୍ର ଲେଖାଥିବା ଚକ ଚକିଆ ସଚିତ୍ର ଫ୍ଲେକସ ଘେରାଇ ଦିଆଯାଇଛି । ଏହା ଭିତରେ ଦୁଇଟି ଜଳପୂର୍ଣ୍ଣ ମାଟିପାତ୍ର ରଖାଯାଇଛି । ଲୋକେ ପାଣି ପିଇବାପାଇଁ ଗ୍ଲାସ ବି ବ୍ୟବସ୍ଥା ହୋଇଛି । ହେଲେ ଲୋକଙ୍କ ହାତକୁ ପାଣି ଗ୍ଲାସଟିଏ ବଢାଇ ଦେବାକୁ ଏଠାରେ କେହି ନାହାନ୍ତି ।

ଜଳଛତ୍ର ଟେଣ୍ଟ ପରିସରରେ ଥିବା ପାତ୍ରରେ କେତେବେଳେ କିଏ କେଉଁ ମାନର ଜଳ ରଖୁଛି ଲୋକେ ତାହା ଜାଣିପାରୁ ନାହାନ୍ତି । ପ୍ରଶ୍ନର ଉତ୍ତର ଦେବାକୁ ବି କେହି ନାହାନ୍ତି । ତେଣୁ ଅନେକ ସ୍ଥାନରେ ଲୋକେ ଶୋଷରେ ଆଉଟୁ ପାଉଟୁ ହେଲେ ମଧ୍ୟ ଏଠାରେ ଭୟରେ ପାଣି ପିଇବାକୁ ଯାଉ ନାହାନ୍ତି । ବରଂ ସହରର ବିଭିନ୍ନ ସ୍ଥାନରେ କିଛି ବେସରକାରୀ ଓ ଦାତବ୍ୟ ସଂସ୍ଥା ଖୋଲିଥିବା ଜଳଛତ୍ରରେ ପାଣି ମୁନ୍ଦାଏ ପିଇବାକୁ ପସନ୍ଦ କରୁଛନ୍ତି ।

ସହରର ବିଭିନ୍ନ ସ୍ଥାନରେ ଏବେ ଜଳବାହିତ ରୋଗ ଦେଖା ଦେଲାଣି । ବିଶେଷକରି ଗରମରୁ ରକ୍ଷା ପାଇବାପାଇଁ ଲୋକେ ଆଖିବୁଜି ବିଭିନ୍ନ ସ୍ଥାନରେ ପାଣି ପିଉଥିବାରୁ ପେଟ ରୋଗରେ ପଡୁଛନ୍ତି । ତେଣୁ ବିଏମ୍‍ସି ଜଳଛତ୍ରରେ ମିଳୁଥିବା ଜଳ ସହିତ ବିଭିନ୍ନ ସ୍ଥାନରେ ମାଗଣାରେ ବଣ୍ଟନ ହେଉଥିବା ଜଳ ଓ ପଣା ପାଇଁ ବ୍ୟବହାର ହେଉଥିବା ଜଳର ନିୟମିତ ମାନ ପରୀକ୍ଷାପାଇଁ ମତ ପ୍ରକାଶ ପାଉଛି ।

ପୂର୍ବରୁ ବିଏମ୍‍ସି ପକ୍ଷରୁ ଖୋଲାଯାଉଥିବା ଜଳଛତ୍ର କେନ୍ଦ୍ରଗୁଡିକରେ ଲୋକଙ୍କୁ ନିୟୋଜିତ କରାଯାଉଥିଲା । ଏହି ଲୋକମାନେ ତୁଷାର୍ତ୍ତମାନଙ୍କୁ ପାଣି ଯୋଗାଇ ଦେବା ସହିତ ସେମାନେ ବ୍ୟବହାର କରୁଥିବା ଗ୍ଲାସଗୁଡିକୁ ପରିଷ୍କାର କରୁଥିଲେ । ହେଲେ ଚଳିତବର୍ଷ ବିଏମ୍‍ସି ଏଭଳି ପଦକ୍ଷେପରୁ ଓହରି ଯାଇଛି । ତେଣୁ ବିଭିନ୍ନ ସ୍ଥାନରେ ତିଆରି ହୋଇଥିବା ଜଳଛତ୍ର ଟେଣ୍ଟ ସବୁ ପବନରେ ଭାଙ୍ଗିରୁଜି ଯିବା ସହିତ କେତେକ ସ୍ଥାନରେ ଜଳପାତ୍ରଗୁଡିକ ଖାଲି ପଡୁଥିବା ଦେଖିବାକୁ ମିଳୁଛି ।

ଭୁବନେଶ୍ୱର ସହରର ତାପମାତ୍ରା ଲଗାତାର ଦୁଇଦିନ ଧରି ରାଜ୍ୟରେ ରାଜ୍ୟରେ ସର୍ବାଧିକ ହୋଇଥିବାବେଳେ ସକାଳୁ ଏଠାରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଯାଉଛି । ମଧ୍ୟାହ୍ନ ସମୟରେ ବିଭିନ୍ନ କାର୍ଯ୍ୟରେ ଘରୁ ପଦାକୁ ବାହାରୁଥିବା ଲୋକେ ଶୋଷ ମେଣ୍ଟାଇବା ପାଇଁ ବିଭିନ୍ନ ସ୍ଥାନରେ ଜଳ ଖୋଜୁଛନ୍ତି । ଏଭଳି ସ୍ଥିତିରେ ବିଏମ୍‍ସିର ଜଳଛତ୍ର ସେମାନଙ୍କ ପାଇଁ ଆବଶ୍ୟକ ଥିବାବେଳେ ଅବ୍ୟବସ୍ଥା ଯୋଗୁଁ ସେଠାରେ ପାଣି ପିଇବାକୁ କେହି ମଙ୍ଗୁ ନାହାନ୍ତି । ତେଣୁ ବିଏମ୍‍ସି କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବା ସହିତ ଅତି କମ୍‍ରେ ପ୍ରତ୍ୟେ ଜଳଛତ୍ରରେ ଜଣେ ଲେଖାଁଏ ଲୋକଙ୍କୁ ନିୟୋଜିତ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)