Home News in Odia ବିଏମସିର ୧୦୫୦ କୋଟି ବଜେଟକୁ ମଂଜୁରୀ

ବିଏମସିର ୧୦୫୦ କୋଟି ବଜେଟକୁ ମଂଜୁରୀ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧୦୫୦ କୋଟି ଟଙ୍କା ଟଙ୍କାର ବଜେଟକୁ ଆଜି ମଞ୍ଜୁରୀ ମିଳିଛି। ଆଜି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବତନ୍ତ୍ର ବଜେଟ ଅଧିବେସନରେ ବାର୍ଷିକ ବ୍ୟୟବରାଦକୁ ଅନୁମୋଦନ ମିଳିଛି।  

ବଜେଟର ରୂପରେଖ ସହ କେଉଁ କେଉଁ କ୍ଷେତ୍ରରେ କେତେ ଅର୍ଥବ୍ୟୟ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତାର ବିସୃତ ତଥ୍ୟ ଉପସ୍ଥାପନ କରିଥିଲେ ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାଜକିଶୋର ଦାସ। ବିଏମସି ମୁଖ୍ୟତଃ କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟ ସରକାରଙ୍କ ଅନୁଦାନ ଉପରେ ନିର୍ଭର କରେ। ପୂର୍ବରୁ ଏଥିପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କର କୌଣସି ସର୍ତ୍ତ ନଥିଲା। ମାତ୍ର ଏବେ ସରାକର ଅନୁଦାନ ପାଇଁ ବାର୍ଷିକ ଶତକଡା ୧୨.୬୫ ପ୍ରତିଶତ ଆୟ ବୃଦ୍ଧି ପାଇଁ ସର୍ତ୍ତ ରଖିଛନ୍ତି। ତେଣୁ ବିଏମସିକୁ ସରକାରୀ ଅନୁଦାନ ପାଇଁ ଚଳିତ ଆର୍ଥିକ ବର୍ଷ ଆମକୁ ନିଜସ୍ୱ ଆୟ ବୃଦ୍ଧି କରିବାକୁ ପଡିବ ବୋଲି ରାଜକିଶୋର ଦାସ କହିଥିଲେ। 

ଭୁବନେଶ୍ୱରକୁ ସୁସ୍ଥ, ସମୃଦ୍ଧ, ସ୍ୱଚ୍ଛ, ସବୁଜ, ସୁନ୍ଦର ଏବଂ ପରିବେଶ ଅନୁକୂଳ ସହିତ ସୁଦୃଢ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ଏହି ବଜେଟ ବେଶ ସହାୟ ହେବ। ଏହା ଏକ ଲୋକାଭିମୁଖି, ସୁସ୍ଥ, ସମୃଦ୍ଧ ଏବଂ ସମସ୍ତଙ୍କୁ ସୁହାଇବା ଭଳି ବଜେଟ ବୋଲି କହିଛନ୍ତି ମେୟର। ଆସନ୍ତା ଆର୍ଥିକ ବର୍ଷରେ ବିଏମସିର ନିଜସ୍ୱ ଆୟ ୩୦୦ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସରକାରୀ ଅନୁଦାନରୁ ୭୫୦ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଛି। ଏହା ଦ୍ୱାରା ରାସ୍ତାଘାଟ, ଡ୍ରେନ, ସୌନ୍ଦର୍ଯ୍ୟକରଣ, ବର୍ଜ୍ୟ ପରିଚାଳନା ଆଦି ସୁଗମ ହୋଇପାରିବ ବୋଲି ସେ କହିଛନ୍ତି । ସେମଧ୍ୟରୁ କେବଳ ପ୍ରଶାସନିକ, ଦରମା, ପେନସନ ବାବଦରେ ୮୦୪ କୋଟି ୮୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଏବଂ ପରିମଳ, ସଫେଇ ଓ ବାୟୋ ମାଇନିଂ ପାଇଁ ଖର୍ଚ୍ଚ ହେବ ୨୦୬ କୋଟି ୬୧ ଲକ୍ଷ ଟଙ୍କା। ସେହିପରି ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ ହେବ ୧୯୧ କୋଟି।

ରକ୍ଷଣାବେକ୍ଷଣ, ସଫେଇ କାର୍ଯ୍ୟ ଓ ଅନ୍ୟାନ୍ୟ ନାଗରିକ ସେବାପାଇଁ ଏହି ବଜେଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରର ଭିତ୍ତିଭୂମି ବିକାଶ, ପାର୍କ ଓ ସବୁଜ ପରିବେଶ ସୃଷ୍ଟି ପାଇଁ ମଧ୍ୟ ବଜେଟରେ ଆର୍ଥିକ ବ୍ୟବସ୍ଥା ରହିଅଛି । କେବଳ ସେତିକି ନୁହେଁ ଡିଜିଟାଲ ସେବାର ସଂପ୍ରସାରଣ, ସଫେଇ ବ୍ୟବସ୍ଥାର ସୁଦୃଢିକରଣ, ପରିବେଶ ସୁରକ୍ଷା ଓ ସମସ୍ତ ବର୍ଗଙ୍କ ପାଇଁ ଉତ୍ତମ ଧରଣର ବାସୋପଯୋଗୀ ପରିବେଶ ପ୍ରଦାନ କରିବା ପାଇଁ ଏହି ବଜେଟରେ ଗୁରୁତ୍ୱାରୋପ କରାଯାଇଛି ।