Home Education ବିଏଡ୍‍ ପରୀକ୍ଷାରେ ଅଧିକାଂଶଙ୍କ ସମାନ ନମ୍ବର

ବିଏଡ୍‍ ପରୀକ୍ଷାରେ ଅଧିକାଂଶଙ୍କ ସମାନ ନମ୍ବର

ଭୁବନେଶ୍ୱର : ବିଏଡ୍‍ ଖାତା ଦେଖାରେ ଅନିୟମିତତା ଅଭିଯୋଗ ଆସିବାପାରେ ଉଚ୍ଚଶିକ୍ଷା ବିଭାଗ ଏହାର ନାମଲେଖା ପ୍ରକ୍ରିୟାକୁ ସ୍ଥଗିତ ରଖିଥିବାବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସମାନ ନମ୍ବର ପାଇବା ଭଳି ଚାଞ୍ଚଲ୍ୟଖର ଖବର ସାମ୍ନାକୁ ଆସିବାରେ ଲାଗିଛି । ଗୋଟିଏ ଗୋଟିଏ ମହାବିଦ୍ୟାଳୟ ଏପରିକି ଆଖପାଖର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଏଡ୍‍ ପରୀକ୍ଷାରେ ମିଳିଥିବା ନମ୍ବର ସମାନ ରହିଛି ।

ଜୁନ୍‍ ପହିଲାରେ ରାଜ୍ୟରେ ପ୍ରାୟ ଦେଢ ଲକ୍ଷ ଛାତ୍ରଛାତ୍ରୀ ବିଏଡ୍‍ ପରୀକ୍ଷା ଦେଇଥିଲେ । ଜୁନ୍‍ ୧୩ ତାରିଖରେ ପରୀକ୍ଷାଫଳ ପ୍ରକାଶ ପାଇଥିଲା । ୨୭୫୦ଟି ଆସନ ପାଇଁ ଏକ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ଜୁନ୍‍ ୧୯ ତାରିଖ ମଧ୍ୟରେ ସେମାନଙ୍କୁ ବିଭିନ୍ନ ବିଏଡ୍‍ କଲେଜ ପାଇଁ ଆବେଦନ କରିବାକୁ କୁହାଯାଇଥିଲା । ଜୁନ୍‍ ୨୫ ତାରିଖରେ ପ୍ରଥମ କଟ୍‍ ଅଫ୍‍ ପ୍ରକାଶ ପାଇବାକୁ ଦିନ ଧାର୍ଯ୍ୟ ହୋଇଥିଲା ।

ତେବେ ଫଳାଫଳରେ ଅନିୟମିତା ଅଭିଯୋଗ ଆସିବାରୁ ସରକାର ଏହାକୁ ସ୍ଥଗିତ ରଖିଛନ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ଏଭଳି ଅନିୟମିତ ହୋଇଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଅଭିଯୋଗ ପାଇବାପରେ ସରକାର ପରୀକ୍ଷାଖାତା ଯାଞ୍ଚ ପାଇଁ ସ୍ୱତନ୍ତ୍ର କମିଟି ଗଠନ ଘୋଷଣା କରିଥିବାବେଳେ ନାମଲେଖା ପ୍ରକ୍ରିୟାକୁ ଅଟକାଇଛନ୍ତି ।

ଛାତ୍ରଛାତ୍ରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ଗୋଟିଏ କଲେଜର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନଙ୍କ ବିଏଡ୍‍ ପରୀକ୍ଷାଫଳ ସମାନ ରହିଛି । ଆଉ କିଛି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏହା ସାମାନ୍ୟ ଉପର ତଳ ଅଛି । ହଠାତ୍‍ ଏଭଳି ପରୀକ୍ଷାଫଳ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଯାଞ୍ଚ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀମାନେ ଚୁପ୍‍ ହୋଇ ବସିଥିଲେ । ଏବେ ବିଭିନ୍ନ ସ୍ତରରେ ସ୍ୱର ଉତ୍ତୋଳନ ହେବାପରେ ଛାତ୍ରଛାତ୍ରୀମାନେ ମୁହଁ ଖୋଲିବାରେ ଲାଗିଛନ୍ତି ।

ସେହିଭଳି ବିଏଡ୍‍ ପରୀକ୍ଷା ଦେଇଥିବା କେତେ ସଂଖ୍ୟକ ଛାତ୍ରଛାତ୍ରୀ କେତେ ପ୍ରତିଶତ ନମ୍ବର ରଖିଛନ୍ତି ତାହା ପ୍ରକାଶ ପାଉନଥିବାରୁ ଏବଂ ପ୍ରଥମଥର ପାଇଁ ‘ମାଇନସ୍‍ ମାର୍କିଂ’ ଆଧାରରେ ଫଳ ପ୍ରକାଶ ପାଇଥିବାରୁ କୃତକାର୍ଯ୍ୟ ହୋଇଥିବା ଲକ୍ଷାଧିକ ଛାତ୍ରଛାତ୍ରୀ ଅଳ୍ପସଂଖ୍ୟକ ଆସନ ପାଇଁ ବାଧ୍ୟହୋଇ ସାମ୍‍ସ ଜରିଆରେ ଆବେଦନ କରିଥିଲେ । ରାଜ୍ୟ ସରକାର ଏବେ ସ୍ୱତନ୍ତ୍ର କମିଟି ଗଠନକରିଥିବାରୁ ଆଗାମୀ ଦିନରେ କେଉଁ ଆଧାରରେ ଫଳ ପ୍ରକାଶିତ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ସେହିଭଳି ବିଏଡ୍‍ ପରୀକ୍ଷା ଭରସାରେ ଯେଉଁମାନେ ସ୍ନତକୋତ୍ତରରେ ନାମ ଲେଖାଇନଥିଲେ ସେମାନେ ଏବେ ହରଡଘଣାରେ ପଡିଛନ୍ତି । ପୁନଃ ଯାଞ୍ଚ ପରେ ସେମାନେ ଆଉ ବିଏଡ୍‍ ରେ ନାମ ଲେଖାଇପାରିବେ ନାହିଁ ତାହାକୁ ନେଇ ଆଶା ଆଶଙ୍କାରେ ଥିବାବେଳେ କେତେକ ଛାତ୍ରଛାତ୍ରୀ ଦୁଇପଟୁ ନିରାଶ ହେବା ନେଇ ଆତଙ୍କିତ ଅଛନ୍ତି । ତେଣୁ ବିଏଡ୍‍ ପରୀକ୍ଷାରେ ଯେଉଁମାନେ ଏଭଳି ଅନିୟମିତତା କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମତ ଦେଉଛନ୍ତି । (ତଥ୍ୟ)