Home Environment ବାୟୁ ପ୍ରଦୂଷଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା ନାହିଁ

ବାୟୁ ପ୍ରଦୂଷଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା ନାହିଁ

ଭୁବନେଶ୍ୱର : ପ୍ରାୟ ମାସେ ଧରି ରାଜଧାନୀ ଭୁବନେଶ୍ୱର ସମେତ ଓଡିଶା ଶିଳ୍ପ ପ୍ରଧାନ ଅଞ୍ଚଳ ଗୁଡଇକରେ ବାୟୁ ପ୍ରଦୂଷଣ ମାତ୍ର ଅତି ଖରାପ ସ୍ଥିତିରେ ଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାପାଇଁ କିନ୍ତୁ କିଛି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ ।

ବାୟୁର ଗୁଣବତ୍ତା ମାନ (ଏକ୍ୟୁଆଇ)୭୫ରୁ କମ୍‍ ରହିଲେ ତାହା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ନୁହେଁ । ବିଶ୍ୱର ବହୁ ଶୀତପ୍ରଧାନ ଅଞ୍ଚଳରେ ଏକ୍ୟୁଆଇ ୨୦ ତଳକୁ ରହୁଥିବାବେଳେ ଭାରତର ରାଜଧାନୀରେ ତାହା ବେଳେବେଳେ ୫୦୦କୁ ଟପିଯାଉଛି ଯାହା କି ଅତ୍ୟନ୍ତ କ୍ଷତିକାରକ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।
ରାଜଧାନୀ ଭୁବନେଶ୍ୱରର କେତେକ ସ୍ଥାନରେ ବାୟୁ ପ୍ରଦୂଷଣର ମାତ୍ରା ପ୍ରଦର୍ଶିତ ହେଉଛି । ବିଶେଷକରି ବିଧାନସଭା ନିକଟବର୍ତ୍ତୀ ରବୀନ୍ଦ୍ରମଣ୍ଡପ ଛକ ପାଖରେ ଥିବା ସୂଚନା ଫଳକରେ ରବିବାର ଅପରାହ୍ନରେ ଏକ୍ୟୁଆଇ ୩୧୮ ବୋଲି ଉଲ୍ଲେଖ କରାଯିବା ସହ ତାହା କାଳେ ‘ଭେରି ପୁଅର’ ବା ଅତି ଖରାପ ବୋଲି ମନ୍ତବ୍ୟ ରହିଛି ।

ଉଭୟ ଚିକିତ୍ସା ବିଜ୍ଞାନୀ, ପରିବେଶବିତ୍‍ ଏବଂ ବୈଜ୍ଞାନିକମାନେ ଏଥିପ୍ରତି ଘୋର ଉଦ୍‍ବେଗ ପ୍ରକାଶ କରୁଛନ୍ତି । ରାଜଧାନୀ ସମେତ ଅନୁଗୁଳ, ଝାରସୁଗୁଡା, ରାଉରକେଲା, ସୁନ୍ଦରଗଡ ଆଦି ଅଞ୍ଚଳରେ ମଧ୍ୟ ଏକ୍ୟୁଆଇ ଅତି ଖରାପ ବୋଲି କୁହାଯାଇଛି । ମୋଟାମୋଟି ଭାବେ ଓଡିଶାର କୋଟି କୋଟି ଲୋକ ସେମାନଙ୍କ ଅଜଣାତରେ ପ୍ରଦୂଷିତ ବାୟୁ ସେବନ କରି ବିଭିନ୍ନ ରୋଗ ବ୍ୟାଧିରେ ଘାଣ୍ଟି ହେଉଛନ୍ତି । ଏମିତିକି ଏଥି ଯୋଗୁଁ କାହାର କାହାର ମଧ୍ୟ ମୃତ୍ୟୁ ଘଟୁଛି ।

ଏ ପରିପ୍ରେକ୍ଷୀରେ ଥଣ୍ଡା, ଶର୍ଦ୍ଦି, କାଶ ଆଦିକୁ ହାଲୁକା ଭାବରେ ନନେବାପାଇଁ ଡାକ୍ତର ଓ ବୈଜ୍ଞାନିକମାନେ ବାରମ୍ବାର ସତର୍କ କରାଯିବା ସହିତ ତୁରନ୍ତ ଏହାର ଚିକିତ୍ସା ଲାଗି ପରାମର୍ଶ ଦେଇଛନ୍ତି । ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଏବେ ବାୟୁ ପ୍ରଦୂଷଣ ଜନିତ ରୋଗର ପଡୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବହୁ ଡାକ୍ତର, ଔଷଧ ଦୋକାନୀ ଓ ସାଧାରଣ ଲୋକ ସ୍ୱୀକାର କରୁଛନ୍ତି । ସ୍ଥିତି ବିଗୁଡୁଥିବାରୁ ଲୋକେ ମାସ୍କ ପିନ୍ଧିବା ସହିତ ଆବଶ୍ୟକ ନଥିଲେ ଘରୁ ନବାହାରିବାପାଇଁ ପରାମର୍ଶ ଦିଆଯାଉଛିା

ଅତି ଖରାପ ମାନର ବାୟୁ ସେବନ କରିବା ଫଳରେ ତଣ୍ଟି, ଶ୍ୱାସନଳୀ, ଫୁସ୍‍ଫୁସ୍‍ ଆଦି ସଂକ୍ରମିତ ହେଉଛି ଏବଂ ପରେ ପରେ ଏହାର କୁପ୍ରଭାବ କ୍ଷେତ୍ରବିଶେଷରେ ହୃଦଯନ୍ତ୍ର, ବୃକକ୍‍, ଯକୃତ, ମସ୍ତିସ୍କ, ଚକ୍ଷୁ, ସ୍ନାୟୁ ଆଦି ଉପରେ ମଧ୍ୟ ପଡୁଛି । ବିଶେଷକରି ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିମାନେ ବାୟୁ ପ୍ରଦୂଷଣ ଜନିତ ସମସ୍ୟାରେ ଶୀଘ୍ର ରୋଗାକ୍ରାନ୍ତ ହେଉଛନ୍ତି । ବାୟୁରେ ଯେଭଳି କାର୍ବନ ସମେତ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥର ମାତ୍ରା ନବଢେ ଏବଂ ଧୂଳି ବାଲି ସମେଣ୍ଟଗୁର୍ଡ ଆଦି ବେଶି ପରିମାଣରେ ନମିଶେ ତାହାକୁ ଆଖିଆଗରେ ରଖି ପ୍ରତିକାର ପାଇଁ ମତପ୍ରକାଶ ପାଉଛି ।

ଇତି ମଧ୍ୟରେ ସହରାଞ୍ଚଳରେ ମୋଟରଯାନ ପ୍ରଦୂଷଣ ଅନ୍ୟତମ କାରଣ ବୋଲି ଦର୍ଶାଇ ବୈଧ ପ୍ରଦୂଷଣ ସାର୍ଟିଫିକେଟ ନଥିବା ଯାନବାହାନଗୁଡିକୁ ପେଟ୍ରୋଲ ଡିଜେଲ ଆଦି ମିଳିବ ନାହିଁ ବୋଲି କୁହାଯିବା ପରେ ବହୁ ଗାଡି ଚାଳକ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରେ ଧାଡି ଲଗାଇଛନ୍ତି । ତେବେ ରାସ୍ତାଘା ଓ କୋଠାବାଡି ନିର୍ମାଣ ଯୋଗୁଁ ବାୟୁ ପ୍ରଦୂଷଣ ବଢୁଥିବା ପରିପ୍ରେକ୍ଷୀରେ ସେଗୁଡିକୁ କିନ୍ତୁ କର୍ତ୍ତୃପକ୍ଷ ଆଖିବୁଜି ଦେଇଥିବା ଘେନି ଅଭିଯୋଗ ଉଠୁଛି । (ତଥ୍ୟ)