Home News in Odia ବାୟୁ ପ୍ରଦୂଷଣ ପାଇଁ ପର୍ଯ୍ୟଟକ କମିବା ଆଶଙ୍କା

ବାୟୁ ପ୍ରଦୂଷଣ ପାଇଁ ପର୍ଯ୍ୟଟକ କମିବା ଆଶଙ୍କା

ଭୁବନେଶ୍ୱର : ବାୟୁ ପ୍ରଦୂଷଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅତି ଖରାପ ସ୍ଥିତିରେ ରହୁଥିବାରୁ ଏ ବର୍ଷ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିବା ଆଶଙ୍କା କରାଯାଉଛି । କେବଳ ବିଦେଶୀ ପର୍ଯ୍ୟଟକ ନୁହନ୍ତି, ଏହି କାରଣରୁ ଅନ୍ୟ ରାଜ୍ୟରୁ ପର୍ଯ୍ୟଟକମାନେ ମଧ୍ୟ ଓଡ଼ିଶାକୁ ଯେତେ ସଂଖ୍ୟାରେ ଆସିଥାନ୍ତି ଚଳିତ ପର୍ଯ୍ୟଟନ ଋତୁରେ ତାହା କମିବା ଭଳି ମନେ ହେଉଛି ।

ରାଜଧାନୀ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ମାନ (ଏକ୍ୟୁଆଇ) ୨୦୦ରୁ ୩୦୦ ଏବଂ ବେଳେବେଳେ ୩୫୦ ଟପି ଯାଉଛି । କଟକ, ବାଲେଶ୍ୱରରେ ବି ସମାନ ଅବସ୍ଥା । ତାଳଚେରରେ ଏକ୍ୟୁଆଇ ପରିମାଣ ୨୮୦ରୁ ୩୩୦ ପର୍ଯ୍ୟନ୍ତ ହୋଇଯାଉଥିବାବେଳେ ରାଉରକେଲା, କଳିଙ୍ଗନଗର, ସୁନ୍ଦରଗଡ଼, ତେଲକୋଇ, ସୁକିନ୍ଦା, ବ୍ରହ୍ମପୁର ଆଦିରେ ବି ଏକ୍ୟୁଆଇ ପରିମାଣ ହାରାହାରି ୨୦୦ କିମ୍ବା ତଦ୍ଦୁର୍ଦ୍ଧ ରହୁଛି । ଝାରସୁଗୁଡ଼ାରେ ବି ଏକ୍ୟୁଆଇର ପରିମାଣ ୧୫୦ରୁ ଅଧିକ ରହୁଛି ।

ବିଶେଷକରି କଳକାରଖାନା, ଖଣି ଖାଦାନ, ସହରାଞ୍ଚଳ ଆଦିରେ ବାୟୁ ପ୍ରଦୂଷଣ ଅତି ଖରାପ ସ୍ତରରେ ରହୁଛି । ତେଣୁ କାମ ନଥିଲେ ବାହାରକୁ ନବାହାରିବା ପାଇଁ ବିଶେଷଜ୍ଞମାନେ ବାରଣ କରୁଛନ୍ତି । ଯେଉଁମାନେ ବି ବାହାରକୁ ଯାଉଛନ୍ତି ସେମାନେ ନିଜ ନିରାପତ୍ତା ଲାଗି ଉନ୍ନତମାନର ମାସ୍କ ପରିଧାନ କରିବା ପାଇଁ ଡାକ୍ତରମାନେ ବି ବାରମ୍ବାର ତାଗିଦ କରୁଛନ୍ତି ।

ବାୟୁ ପ୍ରଦୂଷଣ ଯୋଗୁ ଧୂଆଁଳିଆ ଅବସ୍ଥା ଲାଗି ରହୁଥିବାରୁ ଅନେକ କ୍ଷେତ୍ରରେ ବିମାନ ଚଳାଚଳ ବିଳମ୍ବ ହେଉଛି କିମ୍ବା ସ୍ଥଳ ବିଶେଷରେ ବାତିଲ କରାଯାଉଛି । ଏବେ ପ୍ରାୟତଃ ଅନେକ ସ୍ଥାନରେ ବାୟୁ ମଣ୍ଡଳରେ ଧୁମ୍ରକୁଣ୍ଡଳୀ ଭଳି ଆସ୍ତରଣ ଯୋଗୁ ଅନେକ ଅଞ୍ଚଳରେ ଖରା ପଡୁନାହିଁ । ଏଭଳି ସ୍ଥିତିରେ ଶ୍ୱାସନଳୀ ଓ ଫୁସ୍‍ଫୁସ୍‍ ସଂକ୍ରମଣ ଜନିତ ବିଭିନ୍ନ ପ୍ରକାରର ରୋଗ ବ୍ୟାପୁଛି । ବିଶେଷକରି ଶିଶୁ ଓ ବରିଷ୍ଠ ନାଗରିକମାନେ ଏଥିରେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେଉଥିବା ଡାକ୍ତରମାନେ ସ୍ୱୀକାର କରୁଛନ୍ତି ।

ହୋଟେଲ ବ୍ୟବସାୟରେ ଲିପ୍ତ କେତେକ ବ୍ୟକ୍ତି କହୁଛନ୍ତି ଯେ ବିଗତ ବର୍ଷମାନଙ୍କରେ ଡିସେମ୍ବର-ଜାନୁଆରୀ ମାସରେ ସେମାନଙ୍କ ହୋଟେଲରେ ଯେତେ ସଂଖ୍ୟକ ପ୍ରକୋଷ୍ଠ ସଂରକ୍ଷଣ କରାଯାଇଥିଲା ଏବେ ସେହି ସଂଖ୍ୟା ଢେର କମିଛି । ବାୟୁ ପ୍ରଦୂଷଣ ରୋକିବା ପାଇଁ ସରକାର ଯାନବାହନର ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‍ ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ନିର୍ମାଣ ସଂସ୍ଥାଗୁଡ଼ିକୁ କିନ୍ତୁ ନିୟନ୍ତ୍ରଣ କରୁନାହାନ୍ତି । ଏହାଛଡ଼ା କୃଷି ଶ୍ରମିକ ସଂକଟ ସହିତ ଅଧିକ ମଜୁରୀ ଦେବାକୁ ପଡୁଥିବାରୁ ବହୁ ଚାଷୀ ମିଶ୍ରିତ ଅମଳ ଜରିଆରେ ଚାଷ ଜମିରୁ ଧାନ ସଂରକ୍ଷଣ କରିବା ପରେ ପରିତ୍ୟକ୍ତ କୁଟାରେ ନିଆଁ ଲଗାଇ ଦେଉଛନ୍ତି । ଏହା ମଧ୍ୟ ବାୟୁ ପ୍ରଦୂଷଣର ବଡ଼ କାରଣ ହେବା ସହିତ ଜମିର ଉର୍ବରତା ନଷ୍ଟ କରୁଛି । ଏବେଠାରୁ ସାବଧାନ ନହେଲେ ଭବିଷ୍ୟତରେ ସାଙ୍ଘାତିକ ବିପଦ ସୃଷ୍ଟି ହେବ ଏବଂ ଏଥିଯୋଗୁ ବ୍ୟାପକ ଧନଜୀବନ ନଷ୍ଟ ହେବ ବୋଲି ପରିବେଶ ବିଶେଷଜ୍ଞମାନେ ଚେତାବନୀ ଦେଉଛନ୍ତି । (ତଥ୍ୟ)