Home Environment ବାୟୁ ପ୍ରଦୂଷଣରେ ଆକ୍ରାନ୍ତ ସଫେଇ କର୍ମୀ

ବାୟୁ ପ୍ରଦୂଷଣରେ ଆକ୍ରାନ୍ତ ସଫେଇ କର୍ମୀ

ଭୁବନେଶ୍ୱର : ସଫେଇ କର୍ମୀ ଓ ନିର୍ମାଣ ଶ୍ରମିକମାନେ ନିଜ ଜୀବନକୁ ବାଜି ଲଗାଇ ପ୍ରଦୂଷିତ ବାୟୁମଣ୍ଡଳରେ କାମ କରୁଥିବାବେଳେ ସେମାନଙ୍କ ନିରାପତ୍ତା ପାଇଁ କିନ୍ତୁ ସରକାରୀ କିମ୍ବା ବେସରକାରୀ ସ୍ତରରେ ସେଭଳି କିଛି ଆଖିଦୃଷ୍ଟିଆ ପ୍ରତିଷେଧକାରୀ ପଦକ୍ଷେପ ନିଆଯାଉ ନାହିଁ । ଏହା କ୍ରମଶଃ ଭୟଙ୍କର ଅବସ୍ଥା ଆଡକୁ ଗତି କରୁଥିବାରୁ ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ ଏ ଦିଗରେ ଦୃଷ୍ଟିଦେବାକୁ ଉଭୟ ପରିବେଶ ବିଜ୍ଞାନୀ ଓ ସ୍ୱାସ୍ଥ୍ୟ ବିଜ୍ଞାନୀମାନେ ପରାମର୍ଶ ଦେଉଛନ୍ତି ।

ଦେଶର ସର୍ବାଧିକ ପ୍ରଦୂଷିତ ୧୦ଟି ସହର ଭିତରେ ଓଡ଼ିଶାର ତିନୋଟି ସହର ସ୍ଥାନ ପାଇସାରିଲାଣି । ଏମିତିକି ଏୟାର କ୍ୱାଲିଟି ଇଣ୍ଡେକ୍ସ ଅତି ଖରାପ ସ୍ତରରେ ପହଞ୍ôଚ ଲୋକଙ୍କୁ ରୋଗବ୍ୟାଧିରେ ପକାଉଛି । ବାୟୁମଣ୍ଡଳରେ ଜମି ରହିଥିବା ବିଷାକ୍ତ ଧୂଳିକଣା ସେବନ ଯୋଗୁ ଫୁସ୍‍ଫୁସ୍‍, ହୃତପିଣ୍ଡଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହେଉଥିବା କୁହାଯାଉଛି ।

ଖୋଦ୍‍ ରାଜଧାନୀ ଭୁବନେଶ୍ୱରରେ ବିଏମ୍‍ସି ପକ୍ଷରୁ ଠିକା ସଂସ୍ଥା ମାଧ୍ୟମରେ ଯେଉଁ ସଫେଇ କର୍ମୀମାନଙ୍କୁ ନିୟୋଜିତ କରାଯାଉଛି ସେମାନେ ରାସ୍ତା ଓଳାଇବା ସମୟରେ ପ୍ରାୟତଃ ମାସ୍କ ବ୍ୟବହାର କରୁନାହାନ୍ତି । ଫଳରେ ସିଧାସଳଖ ଭାବେ ଏହି ସଫେଇ କର୍ମୀମାନେ ମଇଳା ଧୂଳିକଣାଯୁକ୍ତ ବାୟୁ ସେବନ କରି ଧୀରେଧୀରେ ରୋଗାକ୍ରାନ୍ତ ହେଉଛନ୍ତି । ତେଣୁ ବିଏମ୍‍ସି ଓ ଏହାର ଠିକା ସଂସ୍ଥାମାନେ ସଫେଇ କର୍ମୀମାନେ ଯେଭଳି ମାସ୍କ ପରିଧାନ କରିବେ ଏବଂ ପ୍ରତି ସପ୍ତାହରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହିତ ମାଗଣାରେ ଔଷଧ ପତ୍ର ବ୍ୟବସ୍ଥା କରାଯିବ ସେ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।

ସେହିଭଳି ଉଭୟ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ଦୁରବସ୍ଥା ରାସ୍ତା କାମବେଳେ ଉଡୁଥିବା ଧୂଳି ଏମାନେ ସିଧାସଳଖ ଶ୍ୱାସକ୍ରିୟାରେ ଗ୍ରହଣ କରୁଛନ୍ତି । ସେହିଭଳି ସିମେଣ୍ଟ, ରଙ୍ଗ, ମାର୍ବଲ, ଟାଇଲ୍‍ ଆଦି କାମରେ ନିୟୋଜିତ ଶ୍ରମିକମାନେ ସିଧାସଳଖ ଏହାର ଧୂଳିକଣା ମଧ୍ୟ ଶରୀର ଭିତରକୁ ନେଉଛନ୍ତି । ପ୍ରାଥମିକ ପଦକ୍ଷେପ ସ୍ୱରୂପ ଏଭଳି ବିପଜ୍ଜନକ ପ୍ରଦୂଷିତ ବାୟୁ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଥିବା ଶ୍ରମିକମାନଙ୍କ ସୁରକ୍ଷା ଲାଗି ସେମାନଙ୍କ ପାଇଁ ମଧ୍ୟ ମାଗଣାରେ ଉନ୍ନତ କିସମର ମାସ୍କ ଯୋଗାଇ ଦିଆଯିବା ସଂଗେସଂଗେ ନିୟମିତ ବ୍ୟବଧାନରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବାୟୂ ପ୍ରଦୂଷଣ ଜନିତ ରୋଗ ବ୍ୟାଧିରୁ ସେମାନଙ୍କୁ ରକ୍ଷା କରାଯିବା ଆବଶ୍ୟକ

କେବଳ ସେତିକି ନୁହେଁ, ଉଭୟ ସରକାରୀ ଓ ବେସରକାରୀ କୋଠାବାଡ଼ି ନିର୍ମାଣ ଓ ମରାମତି କାର୍ଯ୍ୟ ବେଳେ ଉଡୁଥିବା ଧୂଳିକଣାକୁ ରୋକିବା ଲାଗି ନିର୍ମାଣସ୍ଥଳୀ ଚାରିପଟେ ଟିଣା ଘେରା କିମ୍ବା ଗ୍ରୀନ୍‍ ନେଟ୍‍ ଟାଙ୍ଗିବାର ବ୍ୟବସ୍ଥା ଥିବାବେଳେ ତାହାକୁ ସଂଖ୍ୟାଧିକ ସ୍ଥଳରେ ଉଲ୍ଲଂଘନ କରାଯାଉଛି । ଉଲ୍ଲଂଘନକାରୀ ଠିକାଦାର ଓ ନିର୍ମାଣକାରୀ ସଂସ୍ଥାଗୁଡ଼ିକୁ ଚିହ୍ନଟ କରି ଦଣ୍ଡବିଧାନ କରାଇବା କ୍ଷେତ୍ରରେ ନଗର ଉନ୍ନୟନ ବିଭାଗ ଭଳି ଯେଉଁମାନଙ୍କର ପ୍ରମୁଖ ଦାୟିତ୍ୱ ରହିଛି ସେମାନେ ମଧ୍ୟ ଏଥିପ୍ରତି ଆଖିବୁଜି ଦେଉଛନ୍ତି ।

ଏବେ ବାୟୁ ପ୍ରଦୂଷଣ ରୋକିବା ଲାଗି ବହୁ ବିଳମ୍ବରେ ହେଲେ ମଧ୍ୟ ମୋଟରଯାନର ପ୍ରଦୂଷଣ ଯାଞ୍ଚକୁ କଡ଼ାକଡ଼ି କରାଯାଉଛି । ଅଥଚ ନିର୍ମାଣ ଓ ସଫେଇ କାମ ଯୋଗୁ ବାୟୁ ମଣ୍ଡଳ ଢେର ଅଧିକ ମାତ୍ରାରେ ପ୍ରଦୂଷିତ ହେଉଥିବାବେଳେ ଉଚ୍ଚ ପଦାଧିକାରୀମାନେ ନିଜନିଜ ଘରେ, ଦପ୍ତରରେ ଓ ଯାନବାହନରେ ଏୟାର ପ୍ୟୁରିଫାୟାର ଯନ୍ତ୍ର ବସାଇ କେବଳ ନିଜ ଜୀବନର ନିରାପତ୍ତା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । (ତଥ୍ୟ)