Home Agriculture ବାହାରୁ ଆସୁଛି ଅରୁଆ ଚାଉଳ

ବାହାରୁ ଆସୁଛି ଅରୁଆ ଚାଉଳ

ଭୁବନେଶ୍ୱର : ଧାନର ସରକାରୀ ଦର ବୃଦ୍ଧି ପରେ ଏବେ ରାଜ୍ୟରେ ଅଧିକରୁ ଅଧିକ ଧାନଚାଷ ପାଇଁ ଚାଷୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ଚାଷୀମାନେ ବିକ୍ରି ଉଦ୍ଦେଶ୍ୟରେ ମୋଟା କିସମର ଧାନ ଚାଷ କରୁଥିବାରୁ ଅନ୍ୟ ରାଜ୍ୟରୁ ବିପୁଳ ପରିମାଣର ସରୁ ଅରୁଆ ଚାଉଳ ଓଡିଶାକୁ ଆସିବାରେ ଲାଗିଛି ।

ରାଜ୍ୟରେ ବାର୍ଷିକ ପାଖାପାଖି ୬ଲକ୍ଷ ମେଟ୍ରିକ ଟନ୍‍ ଅରୁଆ ଚାଉଳ ଆବଶ୍ୟକ ହେଉଥିବାବେଳେ ଏହାର ସିଂହଭାଗ ଆନ୍ଧ୍ରପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ପଞ୍ଜାବ, ହରିଆନା, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଆଦି ରାଜ୍ୟରୁ ଆସୁଛି । ରାଜ୍ୟରେ ସରୁଆ ଅରୁଆ ଚାଉଳର ଚାହିଦା ବୃଦ୍ଧି ପାଉଥିବାରୁ ବ୍ୟବସାୟୀମାନେ ସେହିସବୁ ରାଜ୍ୟରୁ ଏହା ଆମଦାନୀ କରିବାରେ ଲାଗିଛନ୍ତି । ହେଲେ ରାଜ୍ୟର ଚାହିଦା ଅନୁଯାୟୀ ଅରୁଆ ଚାଉଳ ଉତ୍ପାଦନ ଉପରେ ସେତେଟା ଗୁରୁତ୍ୱ ଦିଆଯାଉନାହିଁ ।

ଖାଉଟିମାନଙ୍କର ଅରୁଆ ଚାଉଳ ଚାହିଦାକୁ ଦୃଷ୍ଟିରେ ରଖି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପାଖାପାଖି ୪ଲକ୍ଷ ମେଟ୍ରିକ କୁଇଣ୍ଟାଲ ଅରୁଆ ଚାଉଳ ଯୋଗାଇ ଦିଆଯାଉଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାଢେ ୪ହଜାର କୁଇଣ୍ଟାଲ ଅରୁଆ ଚାଉଳ ଯୋଗାଇ ଦିଆଯାଉଛି । ଏତେ ପରିମାଣର ଅରୁଆ ଚାଉଳ ରାଜ୍ୟ ବାହାରୁ ଓଡିଶାକୁ ଆସିବା ଫଳରେ ଓଡିଶାରୁ ସଂଗ୍ରହ ହେଉଥିବା ଉଷୁନା ଚାଉଳ ବଳକା ହେବାରେ ଲାଗିଛି ।

ଓଡିଶା ଭଳି ଅନ୍ୟ କୌଣସି ରାଜ୍ୟରେ ଉଷୁନା ଚାଉଳର ସେଭଳି ବ୍ୟବହାର ନଥିବାରୁ ଅରୁଳା ଚାଉଳ ଉତ୍ପାଦନକୁ ଦୃଷ୍ଟିରେ ରଖି ଧାନ ଚାଷ କରିବାକୁ ଭାରତୀୟ ଖାଦ୍ୟ ନିଗମ ବାରମ୍ବାର କହି ଆସୁଛନ୍ତି । ତେବେ ଉଭୟ ଚାଷୀ ଓ ଚାଉଳକଳ ମାଲିକମାନେ କିନ୍ତୁ ସରୁଧାନ ବଦଳରେ ମୋଟା ଧାନ ଚାଷ ଓ ସଂଗ୍ରହ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଚଳିତବର୍ଷ ଧାନ ଦର ବୃଦ୍ଧି ଯୋଗୁଁ ଚାଷୀମାନେ ଅଧିକ ପରିମାଣରେ ଧାନ ଚାଷ ଉପରେ ଗୁରୁତ୍ୱ ଦେଉଥିବାରୁ ଉଷୁନା ଚାଉଳ ମହଜୁଦ ପରିମାଣ ବୃଦ୍ଧି ପାଇବାର ଆଶଙ୍କା ଉପୁଜିଲାଣି ।

ତେବେ ଇତି ମଧ୍ୟରେ ରାଜ୍ୟ ବାହାରର ବ୍ୟବସାୟୀମାନେ ମୋଟା ଧାନରୁ ସରୁ ଚାଉଳ ପ୍ରସ୍ତୁତ କରିବାର କଳ ସ୍ଥାପନ ସହିତ ଓଡିଶାରୁ ଶସ୍ତାରେ ଧାନ ନେଇ ସେଠାରେ ଅରୁଆ ଚାଉଳ ପ୍ରସ୍ତୁତ କରି ଅଧିକ ଦରରେ ଓଡିଶାକୁ ପଠାଇବାରେ ଲାଗିଛନ୍ତି । ଓଡିଶାକୁ ଦୈନିକ ଶହ ଶହ ଟ୍ରକ ଅରୁଆ ଚାଉଳ ଆସୁଥିବାବେଳେ ଏ ବାବଦରେ କୋଟି କୋଟି ଟଙ୍କା ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କ ନିକଟକୁ ଚାଲିଯାଉଛି ।

ଓଡିଶାରେ କେନ୍ଦ୍ର ସରକାରଙ୍କର ଧାନ ଗବେଷଣା କେନ୍ଦ୍ର ଉନ୍ନତମାନର ସରୁଧାନ ବିହନ ଉଦ୍ଭାବନ କରିଥିବାବେଳେ ଓଡିଶାର ଚାଷୀମାନେ କିଭଳି ସରୁ କିସମର ଧାନ ଚାଷ ସହିତ ଅନ୍ୟ ରାଜ୍ୟ ଏପରିକି ବିଦେଶକୁ ଅରୁଆ ଚାଉଳ ରପ୍ତାନି କରିବେ ତାହା ଉପରେ ଗୁରୁତ୍ୱ ଦେବାକୁ ମତପ୍ରକାଶ ପାଉଛି । ଏହା ନହେଲେ ଦିନକୁ ଦିନ ସରକାରଙ୍କ ଉପରେ ଉଷୁନା ଚାଉଳର ବୋଝ ବଢିବାରେ ଲାଗିବ । (ତଥ୍ୟ)