Home Health ବାହାରୁଛନ୍ତି ପୁରୁଣା ହିତାଧିକାରୀ

ବାହାରୁଛନ୍ତି ପୁରୁଣା ହିତାଧିକାରୀ

ଭୁବନେଶ୍ୱର : ବିଏସ୍‍କେୱାଇ-ନବୀନ କାର୍ଡ ପାଇଁ ପଞ୍ଜିକରଣ ଚାଲିଥିବାବେଳେ ଏଥିରେ ନାମ ଦରଜ କରୁଥିବା କେତେକ ଲୋକ ଏହି ଯୋଜନାର ପୁରୁଣା ହିତାଧିକାରୀ ବୋଲି ଜାଣିବାକୁ ପାଇଛନ୍ତି । ନିଜକୁ ପୁରୁଣା ହିତାଧିକାରୀ ବୋଲି ଜାଣିବାପରେ ଖୁସି ବ୍ୟକ୍ତ କରିବା ସହିତ କିଭଳି ଚାଉଳ ଓ ବିଜୁ ସ୍ୱାସ୍ଥ୍ୟକାର୍ଡ ପାଇବେ ସେଥିପାଇଁ ଲାଗି ପଡିଛନ୍ତି ।

ଗାଁ ଗହଳରେ ଥିବା ଯେଉଁ ଲୋକମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିନଥିଲେ ସେମାନଙ୍କ ପାଇଁ ବିଏସ୍‍କେୱାଇ ନବୀନ ଯୋଜନା ଆରମ୍ଭ ହୋଇଛି । ଏଥିରେ ସର୍ତ୍ତ ରହିଛି ଯେ ସେମାନେ କେବଳ ଏହି ନୂଆ ଯୋଜନାର ହିତାଧିକାରୀ ହେବେ, କିନ୍ତୁ ଏହା ଜରିଆରେ ରାସନକାର୍ଡ ପାଇପାରିବେ ନାହିଁ । ତଥାପି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ସ୍ୱାସ୍ଥ୍ୟସୁବିଧା ପାଇବାପାଇଁ ଗାଁ ଗହଳର ଯୋଗ୍ୟ ହିତାଧିକାରୀମାନେ ଆବେଦନ କରିଥିଲେ ।

ବିଏସ୍‍କେୱାଇ-ନବୀନ କାର୍ଡ ପାଇଁ ଜାରି ହୋଇଥିବା ପୋର୍ଟାଲରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀଙ୍କ ତଥ୍ୟ ଲିଙ୍କ୍‍ ଥିବାରୁ ଯେଉଁମାନେ ବିଏସ୍‍କେୱାଇ-ନବୀନ ଯୋଜନାରେ ଆବେଦନ କରିବାକୁ ଯାଇ ନିଜ ଆଧାରକାର୍ଡ ନମ୍ବର ଦେଉଛନ୍ତି ସେମାନଙ୍କ ମଧ୍ୟରୁ କେତେକ ପୂର୍ବରୁ ଏହି ଯୋଜନାରେ ସାମିଲ ଦେଖା ଦେଖାଯାଉଛି । ତେବେ ଏହି ହିତାଧକାରୀମାନେ ପୂର୍ବରୁ ରାସନକାର୍ଡରେ ଚାଉଳ ପାଉନଥିବା କିମ୍ବା ସେହି ନିୟମ ଆଧାରରେ ବିଏସ୍‍କେୱାଇ କାର୍ଡ ପାଇନଥିବାରୁ ଏବେ ଆଶ୍ଚର୍ଯ୍ୟପ୍ରକଟ କରୁଛନ୍ତି ।

ଏଭଳି କିଛି ଘଟଣା ଜଗତ୍‍ସିଂହପୁର ଜିଲ୍ଲାରୁ ନଜରକୁ ଆସିଛି । ଯେଉଁ ହିତାଧିକାରୀମାନଙ୍କ ଆଧାର ନମ୍ବରରେ ସେମାନେ ପୂର୍ବରୁ ବିଏସ୍‍କେୱାଇ ପାଇଁ ଯୋଗ୍ୟ ହିତାଧିକାରୀ ବୋଲି ବାହାରୁଛି ସେମାନେ ଏବେ ଏହାର ସତ୍ୟାସତ୍ୟ ଜାରିବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏଭଳି ହିତାଧିକାରୀମାନେ ମିଳିଥିବା ତଥ୍ୟର ସତ୍ୟାସତ୍ୟ ଜାଣିବାପାଇଁ ବିଏସକେୱାଇ-ନବୀନ ଆବେଦନ ଅବଧି ସରିଥିବାରୁ ଏବେ ସ୍ଥାନୀୟ ବିଡିଓ କିମ୍ବା ଏମ୍‍ଆଇଙ୍କୁ ଭେଟିବାପାଇଁ ଯୋଜନା କରୁଥିବା ସୂଚନା ମିଳିଛି ।

ଉଲ୍ଲେଖନୀୟ ଯେ ବିଏସ୍‍କେୱାଇ-ନବୀନ କାର୍ଡ ଲାଗି ଗାଁ ଗହଳରେ ଏବେ ଜୋରସୋରରେ ଆବେଦନ ଚାଲିଥିଲା । ଆବେଦନର ଶେଷ ତାରିଖ ଚଳିତ ମାସ ୨୬ତାରିଖ ଥିବାବେଳେ ୧୬ତାରିଖ ସୁଦ୍ଧା ପାଖପାଖି ସାଢେ ୩ଲକ୍ଷ ଆବେଦନ ହୋଇ ସାରିଥିଲା । ଏହି ଯୋଜନାରେ ଯେଉଁମାନେ ସାମିଲ ହେବେ ସେମାନେ ବିଏସ୍‍କେୱାଇ ହିତାଧିକାରୀଙ୍କ ସମାନ ସ୍ୱାସ୍ଥ୍ୟସେବା ସୁବିଧା ଅର୍ଥାତ୍‍ ପୁରୁଷମାନେ ୫ଲକ୍ଷ ଏବଂ ମହିଳମାନେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବାକୁ ସକ୍ଷମ ହେବେ । (ତଥ୍ୟ)