ଭୁବନେଶ୍ୱର : ବାହାନଗା ବଜାର ରେଳ ଷ୍ଟେସନରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପରେ ସିବିଆଇ ତଦନ୍ତ ଆଳରେ ଦୀର୍ଘଦିନ ଧରି ଏଠାରେ ରେଳ ରହଣୀକୁ ବାତିଲ କରିଦିଆଯାଇଥିବାବେଳେ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଓ ବିଭିନ୍ନ ମହଲରୁ ହେଉଥିବା ସମାଲୋଚନା ପରେ ଆଜିଠାରୁ ପୁଣି ଏହି ରେଳ ଷ୍ଟେସନରେ ଉଭୟ ଯାତ୍ରୀ ଓ ମାଲବାହୀ ରେଳଗାଡିର ରହଣୀ ଆରମ୍ଭ ହୋଇଛି ।
ଏଠାରେ ଉଲ୍ଲେଖନୀୟ ଯେ, ଜୁନ୍ ୨ ତାରିଖ ସନ୍ଧ୍ୟାରେ ବାହାନଗା ବଜାର ରେଳଷ୍ଟେସନରେ ଲୁପ୍ ଲାଇନ୍ରେ ଛିଡ଼ା ହୋଇଥିବା ଏକ ମାଲବାହୀ ରେଳଗାଡି ଉପରକୁ କଲିକତା ପଟୁ ଆସୁଥିବା ଦ୍ରୁତଗାମୀ କରମଣ୍ଡଳ ଏକ୍ସପ୍ରେସ୍ ଚଢିଯାଇ ଅନ୍ୟ ଲାଇନ୍ରେ ଆସୁଥିବା ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ୍କୁ ଧକ୍କା ଦେଇଥିଲା ।
ଏହି ରେଳ ଦୁର୍ଘଟଣାରେ ଅନ୍ୟୁନ ୨୯୧ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏବେବି ସହସ୍ରାଧିକ ଆହତ ହୋଇଛନ୍ତି । ଏବେବି କେତେକ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଓଡ଼ିଶା ଭିତରେ ଓ ବାହାରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତବ୍ୟକ୍ତିମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୮୧ଜଣଙ୍କ ଶବ ସେମାନଙ୍କ ପରିବାର ପରିଜନଙ୍କୁ ହସ୍ତାନ୍ତର କରାଯାଇପାରିନାହିଁ । ୮୧ଟି ମୃତଦେହ ପାଇଁ ବର୍ତ୍ତମାନ ସୁଦ୍ଧା ୯୦ରୁ ଅଧିକ ଦାବିଦାର ଥିବାବେଳେ ଭୁବନେଶ୍ୱରସ୍ଥିତ ଏମ୍ସ ପରିସରରେ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ କଣ୍ଟେନରରେ ମୃତଦେହ ଗୁଡିକୁ ସଂରକ୍ଷିତ କରି ରଖାଯିବା ସହ ଏଗୁଡ଼ିକର ଡିଏନ୍ଏ ପରୀକ୍ଷା ପାଇଁ ନମୂନା ଦିଲ୍ଲୀକୁ ପଠାଯାଇଛି । ଏହି ଦୁର୍ଘଟଣା ପରେ ପ୍ରଧାମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ର, ରାଜ୍ୟ ଓ ଅନ୍ୟ ପ୍ରଦେଶର ଅନେକ ନେତା ଓ ଅଧିକାରୀ ଘଟଣାସ୍ଥଳକୁ ଆସି ସ୍ଥିତି ପରଖିବା ସହିତ ମୃତାହତଙ୍କ ଲାଗି କ୍ଷତିପୂରଣ ବ୍ୟବସ୍ଥା କରିଛନ୍ତି ।
ଏହି ରେଳ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ଜିଆର୍ପି କରୁଥିବାବେଳେ ପରବର୍ତ୍ତୀ ସମୟରେ ଏହି ମାମଲା କେନ୍ଦ୍ର ସରକାର ସିବିଆଇକୁ ହସ୍ତାନ୍ତର କରିଛନ୍ତି । ଏହାଛଡା ରେଳ ନିରାପତ୍ତା ବୋର୍ଡ ମଧ୍ୟ ସ୍ୱତନ୍ତ୍ର ଅନୁଧ୍ୟାନ କରୁଛି । ସିବିଆଇର ତଦନ୍ତକାରୀ ଅଧିକାରୀମାନେ ବାହାନଗା ବଜାର ରେଳଷ୍ଟେସନର ସିଗ୍ନାଲ କଣ୍ଟ୍ରୋଲ୍ ରୁମ୍ ସମେତ ଆଉ କେତେକ ପ୍ରକୋଷ୍ଠକୁ ସିଲ୍ କରିବା ପରେ ମରାମତି ହେଲା ପରେ ବି ବାହାନଗା ବଜାର ରେଳଷ୍ଟେସନରେ କୌଣସି ରେଳଗାଡ଼ି ରହୁନଥିଲା । ଫଳରେ ରେଳ ଦୁର୍ଘଟଣା ପରଠାରୁ ଆଜି ପର୍ଯ୍ୟନ୍ତ ବାହାନଗା ଅଞ୍ଚଳର ଲୋକେ ଏହି ଷ୍ଟେସନରୁ ଅନ୍ୟ କୁଆଡେ ଯାଇପାରୁନଥିଲେ କିମ୍ବା ଏଠାକୁ ବି କେହି ରେଳରେ ଆସିପାରୁନଥିଲେ ।
ରେଳ ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ପହଞ୍ôଚବା ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଲୋକେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଫଳରେ ଆଉ ଅନ୍ୟୁନ ୧୨ଶହ ଜଣଙ୍କ ଜୀବନ ରକ୍ଷା କରାଯାଇପାରିଲା ବୋଲି ସରକାର ସ୍ୱୀକାର କରିବା ସହ ସ୍ଥାନୀୟ ଅଞ୍ଚଳ ଲୋକ ଏବଂ ଭିଭିନ୍ନ ସଂଗଠନକୁ ଏଥିଲାଗି ପ୍ରଶଂସାରେ ପୋତି ପକାଇଥିଲେ । ଏମିତିକି ବିଭିନ୍ନ ଦଳର ନେତା ଓ ମନ୍ତ୍ରୀମାନେ ଏଠାକୁ ଆସି ସ୍ଥାନୀୟ ଲୋକଙ୍କୁ କୃତଜ୍ଞତା ସହିତ ସମ୍ବର୍ଦ୍ଧନା ଜଣାଇଥିଲେ । କେନ୍ଦ୍ର ରେଳମନ୍ତ୍ରୀ ଏବଂ ରାଜ୍ୟ ସରକାର ଏ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ । ଷ୍ଟେସନ ନିକଟବର୍ତ୍ତୀ ଯେଉଁ ସ୍କୁଲ ଘରେ ମୃତ ବ୍ୟକ୍ତିମାନଙ୍କ ଶବ ରଖାଯାଇଥିଲା ତାହାକୁ ଭାଙ୍ଗି ସରକାର ନୂଆ କୋଠା ନିର୍ମାଣ କରୁଛନ୍ତି । ବାହାନଗା ଡାକ୍ତରଖାନା ଓ ରେଳ ଷ୍ଟେସନର ମଧ୍ୟ ବିକାଶ ଲାଗି ସ୍ୱତନ୍ତ୍ର ଘୋଷଣା ହୋଇଛି । ଇତିମଧ୍ୟରେ ସିବିଆଇ ଏହି ଷ୍ଟେସନର କେତେକ କର୍ମଚାରୀଙ୍କୁ ପଚରାଉଚରା ସହ ତଦନ୍ତ ଜାରି ରଖିଛି ।
ତେବେ ବିଭିନ୍ନ ମହଲରୁ ସମାଲୋଚନା ସହ ବାହାନଗା ଅଞ୍ଚଳବାସୀ ନିଜ ଜୀବନକୁ ପାଣି ଛଡାଇ ଉଦ୍ଧାର କାର୍ଯ୍ୟ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରିବା ପରିବର୍ତ୍ତେ ଏହି ଷ୍ଟେସନରେ ଯାତ୍ରିବାହୀ ରେଳଗାଡି ରହଣୀକୁ ବନ୍ଦ କରି ରେଳ କର୍ତ୍ତୃପକ୍ଷ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଏକପ୍ରକାର ଦଣ୍ଡିତ କରିଛନ୍ତି ବୋଲି ଗଣମାଧ୍ୟମରେ ବାରମ୍ବାର ଆଲୋଚିତ ହେଉଥିଲା । ଏବେ ସିଲ୍ ହୋଇ ରହିଥିବା ସିଗ୍ନାଲ କଣ୍ଟ୍ରୋଲ୍ ରୁମ୍ ସମେତ ଅନ୍ୟ ପ୍ରକୋଷ୍ଠ ଗୁଡିକୁ ଖୋଲି ଦିଆଯିବା ପରେ ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଅ।।ଜିଠାରୁ ପୁଣି ବାହାନଗା ବଜାର ରେଳ ଷ୍ଟେସନରେ ଯାତ୍ରୀ ଓ ମାଲବାହୀ ରେଳଗାଡି ରହୁଛି । (ତଥ୍ୟ)