Home News in Odia ବାଲି ଚୋରି କରି ମାଫିଆ ମାଲେମାଲ୍‍

ବାଲି ଚୋରି କରି ମାଫିଆ ମାଲେମାଲ୍‍

ଭୁବନେଶ୍ୱର : ବାଲି, ମୋରମ, ପଥର ସମେତ ଅନ୍ୟ ଲଘୁ ଖଣିଜ ସାମଗ୍ରୀଗୁଡ଼ିକର ଚୋରା କାରବାର ବର୍ଷବର୍ଷ ଧରି ଓଡ଼ିଶାରେ ଲାଗି ରହିଛି । କେବଳ ଲଘୁ ଖଣିଜ ପଦାର୍ଥ କାହିଁକି, କୋଇଲା, ଲୁହାପଥର ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀର ମଧ୍ୟ ଚୋରା କାରବାର ଚାଲୁ ରହିଥିବାବେଳେ ତାହାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଉନଥିବାରୁ ଖଣି ମାଫିଆମାନେ ବିପୁଳ ସଂପତ୍ତି ଠୁଳ କରୁଥିବାବେଳେ ରାଜ୍ୟ ସରକାର ଏ ବାବଦରେ ବିପୁଳ ରାଜସ୍ୱ ହରାଉଛନ୍ତି ।

ବହୁ କ୍ଷେତ୍ରରେ ରାଜନୈତିକ ଓ ପ୍ରଶାସନିକ ପୃଷ୍ଠପୋଷକତାରେ ଏଭଳି କଳା କାରବାର ଚାଲୁଛି । ଯେଉଁ କେତେକ ସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ସଚ୍ଚୋଟତାର ସହ ଏହି ଚୋରା କାରବାରର ପ୍ରତିରୋଧ କରିବାକୁ ଆଗାଉଛନ୍ତି ସେମାନଙ୍କୁ ଚାକିରି କ୍ଷେତ୍ରରେ ନାନାପ୍ରକାରର ହଇରାଣ ହରକତ କରାଯିବା ସହ କେତେକ ସ୍ଥଳରେ ବି ଗାଡ଼ି ଚଢ଼ାଇ ମାରିଦେବା ପାଇଁ ଉଦ୍ୟମ ହେଉଛି । ଏଭଳି ଘଟଣା ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଥିବାବେଳେ ତାହାର ସଂପୂର୍ଣ୍ଣ ନିରାକରଣ କେବେ ହେବ ଜଣାନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ କିଛିଦିନ ତଳେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ନିକଟରେ ରାସ୍ତା ଉପରେ ଜମିଥିବା ବାଲିରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ସୁପ୍ରତିଷ୍ଠିତା ମହିଳା ସାମ୍ବାଦିକ ଶୀଲା ପଟ୍ଟନାୟକଙ୍କ ମୃତ୍ୟୁ ଘଟିଛି । ଏଥିପାଇଁ କୌଣସି ସରକାରୀ ସଂସ୍ଥା ନିଜ ତ୍ରୁଟି ସ୍ୱୀକାର କରି କ୍ଷତିପୂରଣ ଦେବାକୁ ପ୍ରସ୍ତୁତ ନୁହନ୍ତି । ତେବେ ସେ ଅଞ୍ଚଳର ଲୋକେ ଏବେ ବି ଖୋଲା ଅଭିଯୋଗ କରୁଛନ୍ତି ଯେ ଟ୍ରକ, ଟିପର ଓ ଟ୍ରାକ୍ଟରରେ ଅଧିକ ପରିମାଣର ଚୋରା ବାଲି ଚାଲାଣ ହେଉଥିବାରୁ ସଡ଼କ ଉପରେ ବାଲି ଗଦା ହେଉଛି ଏବଂ ଏଥିଯୋଗୁ ଦୁର୍ଘଟଣା ଘଟିବା ସହିତ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି ।

କିଛିବର୍ଷ ତଳେ ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳର କର୍ତ୍ତବ୍ୟରତ ଜଣେ ଓଏଏସ୍‍ ଅଫିସର କେଳୁଚରଣ ରଣସିଂହ ବାଲି ମାଫିଆଙ୍କୁ ଜବତ କରିବା ପାଇଁ ବାଲିଘାଟ ନିଲାମ କରିବା ଯୋଗୁ ସରକାର ତାଙ୍କୁ ସାବାସି ଦେବା ପରିବର୍ତ୍ତେ ବାଲି ମାଫିଆଙ୍କ ସ୍ୱାର୍ଥ ରକ୍ଷା ଲାଗି ନିଲମ୍ବନ କରିଥିଲେ । ଏ ପ୍ରସଂଗରେ ସ୍ୟାଟ୍‍ରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ଲଢ଼ି ଶ୍ରୀ ରଣସିଂହ ଅବଶ୍ୟ ନ୍ୟାୟ ପାଇଛନ୍ତି । କିନ୍ତୁ ସେତେବେଳକୁ ସେ ଚାକିରିରୁ ଅବସର ଗ୍ରହଣ କରିସାରିଥିଲେ ।

ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥ ପ୍ରଶାସନର ଜମିରୁ ବ୍ୟାପକ ପରିମାଣର ମୋରମ ଓ ପଥର ମାଫିଆମାନେ ଚୋରା ଚାଲାଣ କରି ପୁଳାପୁଳା ଟଙ୍କା କମାଇଥିଲେ । ଏହାକୁ ବନ୍ଦ କରିବା ପାଇଁ ଉଦ୍ୟମ କରିଥିବା ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଓ ଅନ୍ୟ କେତେକ ପ୍ରଶାସନିକ ଅଧିକାରୀଙ୍କୁ ଚୋରା ବେପାରୀମାନେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିବା ଘଟଣାର ନଜିର ମଧ୍ୟ ରହିଛି । ତେବେ ଏହି ଚୋରା ଚାଲାଣ ଘଟଣାରେ ଗୋଟିଏ ସମୟରେ ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲ୍‍ ଉଦ୍‍ବେଗ ପ୍ରକାଶ କରିବା ସହିତ ଉଜୁଡ଼ା ପରିବେଶକୁ ସଜାଡ଼ିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉପରେ ମୋଟା ଅଙ୍କର ଅର୍ଥ ତଣ୍ଡ ବସାଇଥିଲେ ।

ପାରାଦୀପ ସମୁଦ୍ର ତଟରେ କିଛିବର୍ଷ ତଳେ ବ୍ଲାକ୍‍ ରୋଜ ନାମକ ଏକ ବିଦେଶୀ ଜାହାଜ ବୁଡ଼ି ଯାଇଥିଲା । ଏଥିରେ ବିପୁଳ ପରିମାଣର ଖଣିଜ ସାମଗ୍ରୀ ବିଦେଶକୁ ବେଆଇନ୍‍ ଭାବେ ରପ୍ତାନୀ ହେଉଥିଲା । ଏହାପଛରେ କେଉଁମାନଙ୍କ ହାତ ରହିଛି ତାହା ଏଯାବତ୍‍ ପ୍ରମାଣିତ ହୋଇପାରିନାହିଁ । ସେହିଭଳି ସୁପ୍ରିମକୋର୍ଟ ବସାଇଥିବା ଜଷ୍ଟିସ ଏମ୍‍.ବି. ଶାହା କମିଶନ ତାଙ୍କ ରିପୋର୍ଟରେ ଚୋରା ଖଣିଜ ସାମଗ୍ରୀ କାରବାର ଅଭିଯୋଗରେ ୬୯ ହଜାର କୋଟି ଟଙ୍କାର କ୍ଷତିପୂରଣ ଆଦାୟ ଲାଗି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବର୍ଷବର୍ଷ ଧରି ଏହା ସଂପୂର୍ଣ୍ଣ ଭାବେ ଆଦାୟ କରାଯାଇପାରୁନାହିଁ । ସେହିଭଳି କାରଖାନା ପାଇଁ ରାଜ୍ୟର ନଦୀରୁ ପାଣି ଶୋଷୁଥିବା ବହୁ କମ୍ପାନୀ ମଧ୍ୟ ଏ ବାବଦ ରାଜସ୍ୱ ଦେବା ପରିବର୍ତ୍ତେ ଓଲଟା ସରକାରଙ୍କୁ ଆଇନ୍‍ ଅଦାଲତର କାଠଗଡ଼ାରେ ଛିଡ଼ା କରାଉଛନ୍ତି ।(ତଥ୍ୟ)