ଭୁବନେଶ୍ୱର : ବାଲି ଚୋରଙ୍କ ଠାରୁ ବର୍ଷକୁ ପାଖାପାଖି ୫୦ କୋଟି ଟଙ୍କାର ଜୋରିମାନା ଆଦାୟ ହେଉଥିଲେ ମଧ୍ୟ ଏହି ଚୋରିକୁ ଯେଭଳି ରୋକଯିବାକଥା ତାହା ହୋଇପାରୁ ନାହିଁ । ବାଲି ଚୋରଙ୍କ ଉତ୍ପାତରେ କେବଳ ନଦୀଶଯ୍ୟା ଖାଲି ହୋଇଯାଉଛି ତାହା ନୁହେଁ, ଗାଁ ଗହଳରେ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡିଲାଣି ।
ବାଲି ଚୋରଙ୍କୁ ଧରିବାପାଇଁ ସରକାର ବିଭିନ୍ନ ପ୍ରକାର ପଦ୍ଧତି ଆପଣେଇଛନ୍ତି । ଗତ ଆର୍ଥିକ ବର୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ବାଲି ଚୋରଙ୍କୁ ଧରିବାପାଇଁ ୪ହଜାରରୁ ଅଧିକ ଚଢଉ କରାଯାଇଥିଲା । ଚଢଉ ସମୟରେ ସାଢେ ୪ହଜାରରୁ ଅଧିକ ଗାଡିମୋଟର ଜବତ ହୋଇଥିବାବେଳେ ଚୋରଙ୍କ ଠାରୁ ୪୮ କୋଟି ଟଙ୍କାରୁ ଅଧିକ ଜୋରିମାନା ଆଦାୟ କରାଯାଇଥିଲା । ଚଳିତ ଆର୍ଥିକବର୍ଷରେ ଜୁଲାଇ ଶେଷ ସୁଦ୍ଧା ବାଲି ଚୋରଙ୍କ ଉପରେ ତିନି ହଜାର ଛଢଉ ସହିତ ସେମାନଙ୍କ ଠାରୁ ଆଦାୟ ଜୋରିମାନା ପରିମାଣ ୧୮ କୋଟି ଟଙ୍କାକୁ ଟପିଲାଣି । ଏହି ଜୋରିମାନା ଆଦାୟ ଗତ ଆର୍ଥିକ ବର୍ଷକୁ ଟପିଯିବ ବୋଲି ଆକଳନ କରାଯାଉଛି ।
ବାଲି ଚୋରମାନେ ଏବେ ବିଭିନ୍ନ ନଦୀ ଶଯ୍ୟାରେ ଯେତିକି ଅଞ୍ଚଳ ଲିଜ୍ ଆକାରରେ ନେଉଛନ୍ତି ତାହାଠାରୁ ଅଧିକ ପରିମାଣରେ ବାଲି ଉଠାଉଛନ୍ତି । ଦିନ ରାତି ନଦୀଶଯ୍ୟା ଖାଲି କରିବାରେ ଲାଗିଛନ୍ତି । ଯାନ୍ତ୍ରିକ ପଦ୍ଧତିରେ ବାଲି ଉଠାଉଥିବାରୁ ଏହାର ହିସାବ ସରକାରୀକଳ ପାଉ ନାହାନ୍ତି । ଏହି ବାଲି ଚୋରିରେ ମାଫିଆମାନେ ଜଡିତ ଥିବାରୁ ବହୁ ସ୍ଥାନରେ ସରକାରୀ ବାବୁମାନେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାହସ କୁଳାଇ ପାରୁନାହାନ୍ତି । ଯେଉଁଠାରେ ବି ଚଢଉ ହେଉଛି ସେଠାରେ ବାଲି ଚୋରମାନେ ସରକାରୀ ଅଧିକାରୀଙ୍କୁ ମାଡ ମାରିବା ସହିତ ଗାଡି ଚଢାଇ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି । ଏ ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ନିୟମିତ ଖବର ଆସିବାରେ ଲାଗିଛି ।
ତେବେ ବାଲି ଚୋରି ଓ ମାଫିଆମାନେ ଏଥିରେ ଜଡିତ ହେଉଥିବାରୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ସରକାରୀ ଯୋଜନାରେ ଗାଁ ଗହଳରେ ଘର କରୁଥିବା ହିତାଧିକାରୀମାନେ । ମାଫିଆମାନେ ବାଲି ଲୁଟ୍ ସହିତ ଏହାର ଦର ଆଖିବୁଜା ଭାବେ ବଢାଉଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସରକାରୀ ଯୋଜନାରେ ଘରଖଣ୍ଡିଏ କରିବା ସହଜସାଧ୍ୟ ହେଉନାହିଁ । କାରଣ ସରକାରୀ ଯୋଜନାରେ ଘର ତିଆରି ପାଇଁ ନିର୍ଦ୍ଦିଷ୍ଟ ଅର୍ଥରାଶି ଯୋଗାଇ ଦିଆଯାଉଥିବାବେଳେ ବାଲିର ଦର କିନ୍ତୁ ନିୟନ୍ତ୍ରଣ କରୁନାହାନ୍ତି । ଆବାସ ହିତାଧିକାରୀମାନଙ୍କ ବାଲି ଭଳି ଲଘୁ ଖଣିଜ ସାମଗ୍ରୀ ମାଗଣାରେ ଯୋଗାଣ ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ରହିଥିଲେ ମଧ୍ୟ ତାହା ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରୁନାହିଁ ।
ବାଲି ପରିବହନ ପାଇଁ ଅନଲାଇନ୍ରେ ଟ୍ରାଞ୍ଜିଟ୍ ପାଶ୍, ଟାସ୍କଫୋର୍ସ ଗଠନ, ବାଲି ଖଣିକୁ ଡିଜିପିଏସ୍ ସର୍ଭେ ସହିତ ଖୁଣ୍ଟ ପୋତି ସୀମା ନିର୍ଦ୍ଧାରଣ କରିବା, ସମସ୍ତ ବାଲି ଖଣି ଇଲାକାରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ନିୟମ କାନୁନ୍ କରିଛନ୍ତି । ହେଲେ ଏହାକୁ ଅଧିକାଂଶ ସ୍ଥଳରେ କେହି ପାଳନ କରୁନାହାନ୍ତି । ମନଇଚ୍ଛା ବାଲି ଖନନ ଫଳରେ ବହୁ ସ୍ଥାନେର ନଦୀଶଯ୍ୟା ଖାଲି ହୋଇ ବର୍ଷାଦିନେ ନଦୀ ତାହାର ଗତପଥ ବଦଳାଇ ଦେଉଛି । ଏଥି ସହିତ ଯେଉଁ ଅଞ୍ଚଳରେ ବାଲି ଚୋରମାନେ ଦିନ ରାତି ଟ୍ରାକ୍ଟର ଓ ବଡ ବଡ ଟ୍ରକରେ ବାଲି ପରିବହନ କରୁଛନ୍ତି ସେଠାରେ ରାସ୍ତାଘାଟ ଓ ନଦୀବନ୍ଧକୁ ନଷ୍ଟ କରିଦେଉଛନ୍ତି । ଏ ବାବଦରେ ବି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି । ଏତେ ସବୁ ସତ୍ୱେ ରାଜ୍ୟରେ କିନ୍ତୁ ବେଧଡକ ବାଲି ଚୋରି ଚାଲିଛି ଓ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । (ତଥ୍ୟ)

