କଟକ : ଐତିହାସିକ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ଆୟୋଜିତ “ସେବା, ସୁଶାସନ ଓ ଗରିବ କଲ୍ୟାଣ” ଉପରେ ମଲ୍ଟିମିଡିଆ ପ୍ରଦର୍ଶନୀରେ ଜନସାଧାରଣଙ୍କ ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଛି। ସିବିସି ଷ୍ଟଲ୍ ଏ ବର୍ଷର ବାଲିଯାତ୍ରାରେ ସବୁଠାରୁ ଆକର୍ଷଣୀୟ ପ୍ରଦର୍ଶନୀ ମଧ୍ୟରୁ ଅନ୍ୟତମ। ଏଠାରେ ଦର୍ଶକମାନେ ଭାରତ ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନା, କାର୍ଯ୍ୟକ୍ରମ ଓ ପଦକ୍ଷେପ ବିଷୟରେ ଜାଣିବାକୁ ପାଉଛନ୍ତି ।
ସପ୍ତମ ଦିନକୁ “ଫିଟ୍ ଇଣ୍ଡିଆ ଅଭିଯାନ” ଅଧୀନରେ ସ୍ୱାସ୍ଥ୍ୟ ଓ ଫିଟନେସ୍ ବାର୍ତ୍ତା ପ୍ରଚାର ଲାଗି ନିଷ୍ଠାପୂର୍ଣ୍ଣ ଭାବେ ଉତ୍ସର୍ଗ କରାଯାଇଥିଲା। ଫିଟନେସ୍ ଗେମ୍ସ, ନୃତ୍ୟ, ସଙ୍ଗୀତ ପ୍ରଦର୍ଶନ ଓ ପାରସ୍ପରିକ ଆଲୋଚନା ଭଳି କାର୍ଯ୍ୟକଳାପ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ପ୍ରତି ସଚେତନତା ସୃଷ୍ଟି ହୋଇଛି।
ଏହି ଅବସରରେ ପ୍ରସିଦ୍ଧ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ଶ୍ରୀ ଅଜୟ ମହାନ୍ତି, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଓକିଲ ଶ୍ରୀ ଦେବୀ ପ୍ରସାଦ ମହାପାତ୍ର, ସିଏମଜିଆଇ ସଂଯୋଜକ ଶ୍ରୀ ପିନାକୀ ମହାନ୍ତି ଏବଂ ବୁର୍ଲା ଭିଏସଏସ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ଼. ଶର୍ମିଲା ଗଡନାୟକ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନେ ସିବିସିର ପ୍ରୟାସକୁ ପ୍ରଶଂସା କରିବା ସହ କହିଥିଲେ, ଏହି ପ୍ରଦର୍ଶନୀ, ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ଜନସାଧାରଣଙ୍କ ମନ ଓ ହୃଦୟ ପର୍ଯ୍ୟନ୍ତ ସୃଜନଶୀଳ ଭାବରେ ପହଞ୍ଚାଇବାର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।
ଡିଜିଟାଲ୍ ଡିସ୍ପ୍ଲେ, ଫଟୋ ପ୍ୟାନେଲ୍ ଓ ସାଂସ୍କୃତିକ ପ୍ରଦର୍ଶନ ସହିତ ସିବିସିର ମଲ୍ଟିମିଡିଆ ପ୍ରଦର୍ଶନୀ ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ସୂଚନା, ମନୋରଞ୍ଜନ ଓ ଜନସହଭାଗୀତାର ଅନନ୍ୟ ସମନ୍ୱୟ ମାଧ୍ୟମରେ ସିବିସି ଷ୍ଟଲ୍ ପ୍ରତ୍ୟେକ ଦିନ ଦର୍ଶକମାନଙ୍କୁ ଆକର୍ଷିତ କରୁଛି ।

